ଅଫିସର ନିଯୁକ୍ତିକୁ ନେଇ ତେଜୁଛି ଅସନ୍ତୋଷ : କା’ରେ ଚାଲିଛି ଅଧିକାଂଶ ବିଭାଗ, ବଦଳି ନୀତି ବୋଲି କିଛି ନାହିଁ

ଭୁବନେଶ୍ୱର: ବର୍ଷେ କି ଦୁଇବର୍ଷ ନୁହେଁ, ଯାହା ସୂଚନା ମିଳିଛି ପାଖାପାଖି ୧୦ବର୍ଷର ସିସିଆର୍‌ ନାହିଁ। ଖାସ୍‌ ଏହି କାରଣରୁ କମିସନର ପାହ୍ୟାକୁ ସରକାର ପଦୋନ୍ନତି ଦେଇନାହାନ୍ତି। ଏମିତି ପରିସ୍ଥିତିରେ ୨୦୦୦ ବ୍ୟାଚ୍‌ ଆଇଏଏସ୍‌ ଟି ଓ୍ଵାପଙ୍ଗ ଆଓଙ୍କୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (ଆର୍‌ଡିସି) ନିଯୁକ୍ତି କରାଗଲା କେମିତି?
ପଶ୍ଚିମାଞ୍ଚଳ ରାଜସ୍ୱ ଆୟୁକ୍ତ ଡି. ଭି ସ୍ୱାମୀ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ପଦବିରେ ଆଉ କାହାକୁ ନିଯୁକ୍ତି ଦେବାର ଆବଶ୍ୟକତା ନାହିଁ, ସମ୍ଭବତଃ ଏମିତି ମନେ କରି ରାଜ୍ୟ ସରକାର ଏହି ପଦବିରେ ଆଉ କାହାକୁ ଅବସ୍ଥାପିତ କରିବାକୁ ଚାହୁଁନାହାନ୍ତି କି?

ଆଇଏଏସ୍‌ ଅଫିସର ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ କେବଳ କ୍ଷମତା କରି଼ଡ଼ରକୁ ଆନ୍ଦୋଳିତ କରୁଛି ତା ନୁହେଁ, ପ୍ରଶାସନିକ ବ୍ୟବସ୍ଥାକୁ ଦୋହଲାଇ ଦେଲାଣି। ଧୀରେ ଧୀରେ ଅଚଳାବସ୍ଥା ଆଡ଼କୁ ଟାଣି ନେଉଛି। ସବୁଠାରୁ ବଡ଼ କଥା ହେଉଛି, ରାଜ୍ୟର ପ୍ରମୁଖ କିଛି ଜିଲ୍ଲାରେ ଜିଲ୍ଲାପାଳ ବଦଳୁ ନାହାନ୍ତି କି ବିଭାଗମାନଙ୍କର ସଚିବଙ୍କୁ ମଧ୍ୟ ପରିବର୍ତନ କରାଯାଉନାହିଁ। ଅଥଚ କିଛି ଅଫିସରଙ୍କୁ ବାରମ୍ବାର ଅଦଳବଦଳ କରାଯାଉଥିବା ବେଳେ ଆଉ କିଛି କ୍ଷେତ୍ରରେ ସରକାର ନିୟମିତ ଅଫିସର ନିଯୁକ୍ତି ଦେବାକୁ ଯେମିତି ଚାହୁଁନାହାନ୍ତି। ଯଦିଓ ସରକାରଙ୍କ ଏ କ୍ଷେତ୍ରରେ ଅଖଣ୍ଡ କ୍ଷମତା ରହିଛି, ତଥାପି ସାଧାରଣତଃ ଦୁଇ ବର୍ଷ ନ ହେଲେ କୌଣସି ଅଧିକାରୀଙ୍କୁ ତାଙ୍କ ପଦବିରୁ ବଦଳି କରାଯାଇନଥାଏ। ବିଶେଷକରି ଜିଲ୍ଲାପାଳ, ସଚିବ ଆଦିଙ୍କ ନିଯୁକ୍ତି କ୍ଷେତ୍ରରେ ସରକାର ଏହାକୁ ଗୁରୁତ୍ୱ ଦେଇଥାନ୍ତି। ମାତ୍ର ନିକଟରେ କେନ୍ଦୁଝରରୁ ଆଇଏଏସ୍‌ ଅଫିସର ଏନ୍‌ ତିରୁମାଲ୍ଲା ନାୟକଙ୍କୁ ହଠାତ୍‌ ବଲାଙ୍ଗୀର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା। କଣ ହେଲା କେଜାଣି, ରାଜ୍ୟ ସରକାର ତାଙ୍କୁ କିଛି ଦିନ ବ୍ୟବଧାନ ଅନ୍ତରରେ ପୁଣି ନୟାଗଡ ଜିଲ୍ଲାକୁ ଆଉ ଥରେ ବଦଳି କରିଛନ୍ତି। ସେହିଭଳି ଗତବର୍ଷ ଛୁଟିରୁ ଫେରିବା ପରେ ବରିଷ୍ଠ ଆଇଏଏସ୍‌ ଅଫିସର ମୋନା ଶର୍ମାଙ୍କୁ ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଥିଲେ। ହଠାତ୍‌ ପୁଣି ତାଙ୍କୁ ବଦଳି କରାଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅଣାଯାଇଛି। ଓଏଏସ୍‌ ଅଫିସରଙ୍କ କ୍ଷେତ୍ରରେ ଏଭଳି ଉଦାହରଣର ତାଲିକା ବେଶ୍‌ ଲମ୍ବା। ଅଧିକାରୀଙ୍କୁ ବଦଳି କରାଯାଉଛି ଓ ନିର୍ଦେଶନାମା ବାତିଲ୍‌ ହୋଇ ସଂପୃକ୍ତ ଅଧିକାରୀ ପୁନଃ ଅବସ୍ଥାପିତ ହେଉଛନ୍ତି।

ରାଜ୍ୟ ସରକାର ନିଜେ ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ୱ ଦେଉଛନ୍ତି। ସରକାରୀ ତଥ୍ୟ ମୁତାବକ, ରାଜ୍ୟ ଅର୍ଥନୀତିକୁ ଏ କ୍ଷେତ୍ରର ଏକ ବଡ଼ ଅବଦାନ ରହିଛି। ରାଜ୍ୟରେ ମୋଟ ଘରୋଇ ଉତ୍ପାଦର ୧୩% ଏହି କ୍ଷେତ୍ର ଯୋଗାଇ ଦେଇଥାଏ। ରାଜ୍ୟ ସରକାର ପର୍ଯ୍ୟଟନର ବିକାଶ ପାଇଁ ଅନେକ ସ୍ୱପ୍ନ ଦେଖିଛନ୍ତି। ଏଭଳିସ୍ଥଳେ ହଠାତ୍‌ ଏକାଧିକ ଦାୟିତ୍ୱରେ ଥିବା ବିଶାଳ ଦେବଙ୍କୁ ପର୍ଯ୍ୟଟନ ବିଭାଗ ଦାୟିତ୍ୱ ପୁଣି କାହିଁକି ଦିଆଗଲା ତାହା ବୁଝାପଡୁନାହିଁ। ହକି ବିଶ୍ୱକପ୍‌ ସହିତ ପର୍ଯ୍ୟଟନ ବିଭାଗର ପରୋକ୍ଷ ସଂଯୋଗ ପାଇଁ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦେବା କଣ ନିହାତି ଜରୁରୀ ଥିଲା? ଏବେ ଏଭଳି ପ୍ରଶ୍ନ ଉଠିଲାଣି। ଆବାସିକ ଆୟୁକ୍ତରେ ଦୁଇ ଦୁଇ ଜଣ ମୁଖ୍ୟଶାସନ ସଚିବ ପାହ୍ୟାର ଅଧିକାରୀଙ୍କ କାମ କଣ? ବ୍ୟବସ୍ଥାର ଆବଶ୍ୟକତା ବଡ ନା ଅଫିସରଙ୍କ ଇଚ୍ଛା, କାହାକୁ ଗୁରୁତ୍ୱ ଦେଉଛନ୍ତି ସରକାର? କେଉଁ ପରିସ୍ଥିତିରେ ବରିଷ୍ଠ ଆଇଏଏସ୍‌ ଅଫିସର ବିପିନ୍‌ କୁମାର ସାକ୍‌ସେନାଙ୍କୁ ପୁଣି ଥରେ ନୂଆଦିଲ୍ଲୀ ପଠାଇ ଦିଆଯାଇଛି? ଏଭଳି ଅନେକ ପ୍ରଶ୍ନ ଏବେ ସଚିବାଳୟରେ ଚର୍ଚ୍ଚାର ବିଷୟ ହୋଇଛି।

ଉଲ୍ଲେଖଯୋଗ୍ୟ, ଅଫିସର ନିଯୁକ୍ତି କ୍ଷେତ୍ରରେ ସରକାର ନିର୍ଦିଷ୍ଟ କେଉଁ ନୀତିକୁ ଗୁରୁତ୍ୱ ଦେଉଛନ୍ତି କେଜାଣି, ଏକାଧିକ ବିଭାଗ କା’ରେ ଚାଲିଛି। ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଭଳି ଏକ ବଡ଼ ବିଭାଗ। ରାଜ୍ୟର ଏକ ତୃତୀୟାଂଶରୁ ଅଧିକ ଲୋକଙ୍କ ସ୍ୱାର୍ଥ ପାଇଁ ଯେଉଁ ବିଭାଗ ଉତ୍ତରଦାୟୀ, ସେଠାରେ ଜଣେ ଆଇଏଫ୍‌ଏସ୍‌ ଅଫିସର ଆର୍‌ ରଘୁପ୍ରସାଦ ଦାୟିତ୍ୱରେ। ଗ୍ରୀଡ୍‌କୋ ଓ ଓପିଟିସିଏଲ୍‌ ସିଏମ୍‌ଡି ହେମନ୍ତ କୁମାର ଶର୍ମାଙ୍କୁ ପୂର୍ବରୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ଏବେ ତାଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗର ବି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ତିନିଟି ଯାକ ପଦବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଜଣେ ଲେଖାଏଁ ସ୍ୱତନ୍ତ୍ର ଅଧିକାରୀ ଦାୟିତ୍ୱରେ ରହିଥିବା ନଜିର ରହିଛି। ନିକଟରେ ଯୋଜନା ଓ ସଂଯୋଜନ ବିଭାଗକୁ ନେଇ ବିଧାନସଭାରେ ସରକାରଙ୍କୁ ସମାଲୋଚିତ ହେବାକୁ ପଡିଛି। ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି ଯେ ଏହି ବିଭାଗ ପକ୍ଷାଘାତର ଶିକାର ହୋଇଛି। ହେବନି ବି କାହିଁକି? ଗୁରୁତ୍ୱପୂର୍ଣ୍ଣ ଏହି ବିଭାଗରେ ଜଣେ ବି ସ୍ୱତନ୍ତ୍ର ସଚିବଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଉନ୍ନୟନ କମିସନର ଡଜନେ ସରିକି ବିଭାଗର ଦାୟିତ୍ୱରେ ଅଛନ୍ତି। ଅତୀତରେ ଆର୍‌ ଭି ସିଂହଙ୍କ ଭଳି ଜଣେ ଅଭିଜ୍ଞ ଅଫିସରଙ୍କୁ ସ୍ୱତନ୍ତ୍ର ସଚିବ ପଦବିରେ ନିଯୁକ୍ତି ଦିଆଯାଇଥିଲା। ଏବେ ଏହି ବିଭାଗରେ ଅବସରପ୍ରାପ୍ତ ଅଧିକାରୀଙ୍କୁ କେବଳ ଥଇଥାନ ଚାଲିଛି। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନାଙ୍କ ହାତରେ ଅନେକ ଗୁରୁ ଦାୟିତ୍ୱ ଟେକି ଦିଆଯାଇଛି। ସେ ସବ୍‌ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ କମିସନ ଅଧ୍ୟକ୍ଷ ଅଛନ୍ତି। ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ବି। ତାଙ୍କୁ ପୁଣି ଇଲେକ୍ଟ୍ରୋନିକ୍ସ ଓ ସୂଚନା ଏବଂ ପ୍ରଯୁକ୍ତି ବିଭାଗ ଦାୟିତ୍ୱରେ ରଖାଯାଇଛି। ନଗର ଉନ୍ନୟନ ବିଭାଗ, ସଂସଦୀୟ ବ୍ୟାପାର ବିଭାଗ ଏବଂ ଇପିକଲ୍‌ ସିଏମ୍‌ଡି ଦାୟିତ୍ୱରେ ଥିବା ସଚିବ ଜି ମାଥିଭାତନନ୍‌ଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ବିଭାଗ ଆଗକୁ ଯାଉ ବା ନ ଯାଉ ଦୀର୍ଘ ୫ବର୍ଷରୁ ଅଧିକ ସମୟ ଧରି ପଞ୍ଚାୟତିରାଜ ସଚିବ ଦେଓ ରଂଜନ ସିଂହଙ୍କୁ ସରକାର ବଦଳାଇନାହାନ୍ତି। ଅଫିସର ନିଯୁକ୍ତି କ୍ଷେତ୍ରରେ ସରକାରଙ୍କ ଅସ୍ୱଚ୍ଛ ନୀତି ଯେତିକି ପ୍ରତିକ୍ରିୟା ସୃଷ୍ଟି କରିଛି, ସାଧାରଣରେ ତା ଠାରୁ ଅଧିକ ଆଲୋଚନାର ବିଷୟ ହେଲାଣି। କାରଣ ଅଧିକାରୀମାନେ ଏକାଧିକ ଦାୟିତ୍ୱରେ ରହିବା ଦ୍ୱାରା କୌଣସି ଗୋଟିଏ ବି ବ୍ୟବସ୍ଥାକୁ ଶତ ପ୍ରତିଶତ ସମୟ ଦେବା ସମ୍ଭବ ନୁହେଁ। ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହେଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଭଳି ଢଙ୍ଗରେ ବ୍ୟବସ୍ଥାରେ ପରିଣତ ଆଣିବା ଲାଗି ପ୍ରୟାସ କରୁଛନ୍ତି, ସମ୍ଭବତଃ ସେମିତି କିଛି ନ ଘଟିବା ପଛର ଏହା ଅନ୍ୟ ଏକ କାରଣ ହୋଇପାରେ ବୋଲି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମତ ରଖୁଛନ୍ତି। ଅବଶ୍ୟ ଏକଥା ସତ ଯେ ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ଏହି ତିନିଟି ଯାକ କ୍ଷେତ୍ରରେ ରାଜ୍ୟରେ ଯେତିକି ଅଫିସର ଆବଶ୍ୟକ, ସେତିକି ନାହାନ୍ତି।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ପାଇଁ ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ସର୍ବଭାରତୀୟ ସେବାର ୫୬୬ଟି ମଞ୍ଜୁରୀପ୍ରାପ୍ତ ପଦବି ଥିବା ବେଳେ ସେଥିରେ ଏବେ ଆମ ରାଜ୍ୟରେ ୩୩୬ ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି। ଏହି ସେବାଗୁଡ଼ିକରୁ ୫୫ ଜଣ ଅଧିକାରୀ ଡେପୁଟେସନ୍‌ରେ ଯାଇଥିବା ବେଳେ ଆଉ ୧୭୨ଟି ପଦବି ଖାଲିପଡ଼ିଛି।

ସମ୍ବନ୍ଧିତ ଖବର