ରାଜନୈତିକ ଚକ୍ରବ୍ୟୂହରେ ହକି : ଜାତୀୟ ମାନ୍ୟତା ବିଜ୍ଞପ୍ତି ପ୍ରସ୍ତାବକୁ କେନ୍ଦ୍ରର ବିରୋଧ

ମନ୍ତ୍ରୀ କହିଲେ, ଏହାର ଆବଶ୍ୟକତା ନାହିଁ

ଭୁବନେଶ୍ୱର : ହକି ଜାତୀୟ କ୍ରୀଡ଼ା ହୋଇଥିଲେ ମଧ୍ୟ ସରକାରୀ ଭାବେ କେବେହେଲେ ଏସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଲେ। କିନ୍ତୁ ଦୋଷତ୍ରୁଟିକୁ ସୁଧାରିବା ପରିବର୍ତେ କେନ୍ଦ୍ର ସରକାର ଏହାର କୌଣସି ଆବଶ୍ୟକତା ନାହିଁ ବୋଲି ଯୁକ୍ତି ଦର୍ଶାଇଛନ୍ତି। ଆଜି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର କହିଛନ୍ତି ଯେ ହକିକୁ ଭଲପାଇବାକୁ ହେଲେ ସରକାରୀ ଭାବେ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ। ନିଜେ ଜଣେ କ୍ରୀଡ଼ାବିତ ହୋଇ କେନ୍ଦ୍ର ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଖେଳପ୍ରେମୀଙ୍କୁ ବିସ୍ମିତ କରିଛି।

କେନ୍ଦ୍ର ମନ୍ତ୍ରୀ ରାଠୋର ଅଜବ ଯୁକ୍ତି କରିଛନ୍ତି, କ୍ରୀଡ଼ାକୁ ଭଲପାଇବା ପାଇଁ ଆମେ ସରକାରୀ ଘୋଷଣାନାମା ଆବଶ୍ୟକ କରୁନାହୁଁ। ଏହା ଏବେ ଆମର ଜାତୀୟ ଖେଳ। ତେଣୁ ଏହାକୁ ଭଲ ପାଇବା ଆରମ୍ଭ କରିବା ଦରକାର। ସୁବିଧା ସୁଯୋଗ ପାଉଥିବା କ୍ରୀଡ଼ା ମଧ୍ୟରେ ହକି ଅନ୍ୟତମ ରହିଛି।

ତେବେ କେନ୍ଦ୍ରମନ୍ତ୍ରୀଙ୍କର ଏଭଳି ଆଭିମୁଖ୍ୟକୁ ବିଜେଡି କଡ଼ା ଭାଷାରେ ନିନ୍ଦା କରିଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ମୁଖ୍ୟମନ୍ତ୍ରୀ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ହେଲେ କେନ୍ଦ୍ରମନ୍ତ୍ରୀ ତାକୁ ଯେଭଳି ଅଗ୍ରାହ୍ୟ କଲେ ତାହା ଅତ୍ୟନ୍ତ ଦୁଃଖଦ ଘଟଣା। ଯେଉଁ ସରକାର ରାଷ୍ଟ୍ରୀୟ ସମ୍ମାନ କଥା କହି ରାଜନୈତିକ ଡିଣ୍ଡିମ ପିଟୁଛନ୍ତି, ସେ ସରକାରର ମନ୍ତ୍ରୀମାନେ ଜାତୀୟ ମାନ୍ୟତା ଦେବାକୁ ଓହରିଯିବା ଦୁର୍ଭାଗ୍ୟଜନକ। ଏହା ବିଜେପି ସରକାରର ଦୋମୁହାଁ ନୀତିକୁ ପଦାରେ ପକାଇଛି। ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖଛନ୍ତି। କହିଛନ୍ତି, ହକିକୁ ଜାତୀୟ ଖେଳ ଭାବେ ଘୋଷଣା କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ।

ଉଲ୍ଲେଖଯୋଗ୍ୟ, ଆସନ୍ତା ନଭେମ୍ବର ମାସରୁ ଭୁବନେଶ୍ୱରରେ ବିଶ୍ୱକପ୍‌ ହକି ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ଭାରତୀୟ ହକି ଦଳକୁ ପ୍ରଥମ ଥର ପାଇଁ ଏକ ରାଜ୍ୟ ସରକାର ୫ ବର୍ଷ ପାଇଁ ପ୍ରାୟୋଜିତ କରିଛନ୍ତି। ଏଭଳି ଅବସରରେ ମୁଖ୍ୟମନ୍ତ୍ରୀଙ୍କର ଗତକାଲିର ଚିଠି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। କେବଳ ସେତିକି ନୁହେଁ, ସୋସିଆଲ ମିଡ଼ିଆରେ ମଧ୍ୟ ଏହାକୁ ପୂର୍ଣ୍ଣ ସମର୍ଥନ ମିଳିଥିଲା।

ହକିର ଇତିହାସ ଓ ଦେଶ ମହିମାନ୍ଵିତ କରିବା ଲାଗି ଅବଦାନ ସଂପର୍କରେ ସ୍ମରଣ କରାଇ ଗତକାଲି ମୁଖ୍ୟମନ୍ତ୍ରୀଏହି ଲୋକପ୍ରିୟ ଖେଳକୁ ଜାତୀୟ ଖେଳର ମାନ୍ୟତା ଦିଆଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ଦରକାର ବୋଲି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଥିଲେ। କହିଥିଲେ, କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଲେ, ଦେଶର ସେହି ପ୍ରତିଷ୍ଠିତ ହକି ଖେଳାଳି, ଯେଉଁମାନେ ଆମ ଦେଶକୁ ଗର୍ବିତ କରିଛନ୍ତି ସେମାନଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ଦେଶର ହକି ଖେଳାଳି ମଧ୍ୟ ଉତ୍ସାହିତ ହେବେ। କେବଳ ସେତିକି ନୁହେଁ, ଆଗାମୀ ପିିଢି ପାଇଁ ଏହା ନିଶ୍ଚିତ ପ୍ରେରଣାଦାୟକ ହେବ।

ସମ୍ବନ୍ଧିତ ଖବର