ମାଲକାନଗିରି : ମାଲକାନଗିରି ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ୱରେ ଏମଭି-୧୭ ଗ୍ରାମରେ ଚଢାଉ କରାଯାଇ ୫ଶହରୁ ଊର୍ଦ୍ଧ୍ୱ ବସ୍ତା ଧାନ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ମିଳିବା ପରେ ଉପଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ସହ ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି ଏବଂ ମାଲକାନଗିରି ବ୍ଲକ ଯୋଗାଣ ଅଧିକାରୀ ମାନଭଞ୍ଜନ ହୋତା ପ୍ରମୁଖ ଚଢାଉ କରିଥିଲେ। ଚଢାଉ ସମୟରେ ଗ୍ରାମର ସୁଶୀଲ ରାୟଙ୍କ ଘରେ ପଛପଟେ ୫ଶହରୁ ଊର୍ଦ୍ଧ୍ୱ ଧାନ ବସ୍ତା ଗଚ୍ଛିତ ରହିଥିବା ଦେଖିବାକୁ ମିଳିଥିଲା। ଏନେଇ ସୁଶୀଲ ରାୟଙ୍କୁ ପଚାରିବାରୁ ନିଜର କିଛି ଓ କମଲ ପାଲଙ୍କ କିଛି ଧାନ ଏଠାରେ ଗଚ୍ଛିତ କରି ରଖିଥିବା କହିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ଗଚ୍ଛିତ ଧାନକୁ ଗୋଟିଏ ଗାଡିରେ ମାଲକାନଗିରି ଅଣାଯାଇଛି। ଏହି ଧାନ କେଉଁଠାରୁ ଆସିଲା ଏବଂ କାହାର ଯାଞ୍ଚ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଉପଜିଲ୍ଲାପାଳ ଗତ କିଛି ଦିନ ହେଲା ଲଗାତାର କାଲିମେଳା, ପଡିଆ ଏବଂ ମାଲକାନଗିରି ବ୍ଲକର ବିଭିନ୍ନ ଅଂଚଳରେ ଧାନ ବେପାରୀ ଅତି କମ୍ ଦାମରେ ଧାନ କିଣି ଚାଷୀଙ୍କୁ ଶୋଷଣ କରୁଥିବା ଖବର ପାଇ ଚଢାଉ ଜାରି ରଖିଛନ୍ତି। ଆଜି ମଧ୍ୟ ସଂଧ୍ୟାରେ ଚଢାଉ ଜାରି ରହିଥିବା ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଜିଲ୍ଲାରେ ମଣ୍ଡି ଖୋଲିଥିଲେ ମଧ୍ୟ ଗୋଟିଏ ଦିନରେ ଜଣେ ଚାଷୀଙ୍କ ଠାରୁ ମାତ୍ର ୩୦କ୍ୱିଣ୍ଟାଲ ଧାନ କିଣାଯାଉଛି। ଯାହାଫଳରେ ଚାଷୀଙ୍କୁ ଅପେକ୍ଷା କରିବାକୁ ପଡୁଛି। ତେଣୁ ଶୀଘ୍ର ଧାନ ବିକ୍ରି କରିବା ପାଇଁ ଚାଷୀ ଅତି କମ୍ ଦାମରେ ବେପାରୀଙ୍କୁ ଧାନ ବିକ୍ରି କରୁଥିବା ଜଣାପଡିଛି।