ରାଗିଂକୁ ନେଇ ‘ଓଏଚଆରସି’ଙ୍କ ୪ ବିଭାଗକୁ ନୋଟିସ ଜାରି

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଂ ହେବା ଘଟଣାକୁ ନେଇ ଓଡ଼ିଶା ମାନବାଧିକାର କମିସନ (ଓଏଚଆରସି) ନୋଟିସ ଜାରି କରିଥିବା ବୁଧବାର ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ରାଗିଂ ଘଟଣା ଜଣାପଡ଼ିବା ପରେ ଓଏଚଆରସି ଗଣଶିକ୍ଷା, ଉଚ୍ଚଶିକ୍ଷା, ବୈଷୟିକ ଓ ସ୍ୱାସ୍ଥ୍ୟ ବିଭାଗକୁ ନୋଟିସ ଜାରି କରିଛନ୍ତି। ରାଗିଂ ରୋକିବାକୁ କ’ଣ ପଦକ୍ଷେପ ନିଆଯାଇଛି? ଏଥି ସହିତ ନୋଟିସରେ କୁହାଯାଇଛି ଯେ, ରାଗିଂ ଘଟଣାରେ ସଂପୃକ୍ତ ଥିବା ଛାତ୍ରମାନଙ୍କ ବିରୋଧରେ କାହିଁକି ଫୌଜଦାରୀ ମାମଲା ରୁଜୁ କରାଯାଉ ନାହିଁ। ଓଚଆରସି ୧୦ ଦିନ ମଧ୍ୟରେ ଏହାର ଜବାବ ରଖିବାକୁ ସଂପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ସମ୍ବଲପୁର ଶାସନସ୍ଥିତ ବୈଦିକ କନିଷ୍ଠ ମହାବିଦ୍ୟାଳୟର ଜଣେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରଙ୍କୁ ୪ ଜଣ ଛାତ୍ର ନିସ୍ତୁକ ମାଡ଼ମାରିବା ସହ ଜୀବନରୁ ମାରିଦେବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଛାତ୍ର ଜଣକ ଆହତ ହୋଇ ଉକ୍ତ କଲେଜ କ୍ୟାମ୍ପସରେ ଥିବା ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସମ୍ବଲପୁରରେ ଅନ୍ୟ ଏକ ଘଟଣାରେ ଗତ ୨୨ ତାରିଖରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ କ୍ରତୁ ଛାତ୍ରାବାସର ଦ୍ୱିତୀୟ ବର୍ଷ ବିଟେକ୍‌ ଛାତ୍ରଙ୍କୁ ରାଗିଂ କରାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ରାଗିଂ ଘଟଣାରେ ପରେ ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟି ଓ ଆଣ୍ଟିଂ ରାଗିଂ କମିଟି ଗଠନ କରାଯାଇଥିଲା। ଉଭୟ କମିଟି ୧୦ ଜଣ ଛାତ୍ରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲା।

ସେହିଭଳି ଗତବର୍ଷ କଟକର ରେଭେନ୍‌ସା ବିଶ୍ୱବିଦ୍ୟାଳୟରେ ଜଣେ ଯୁକ୍ତ ଛାତ୍ର ରାଗିଂର ସମ୍ମୁଖୀନ ହୋଇଥିଲେ। ଏହି ଘଟଣାରେ ୬ ଜଣ ସିନିୟର ଛାତ୍ର ସଂପୃକ୍ତ ଥିଲେ। ଘଟଣା ଜଣାପଡ଼ିବା ପରେ ବିଶ୍ୱବିଦ୍ୟାଳୟ ଆଣ୍ଟି ରାଗିଂ କମିଟି ୬ ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର