୯ ହଜାର ବାତ୍ୟା ଆଶ୍ରୟସ୍ଥଳର ସ୍ଥିତି ସଂପର୍କରେ ତଥ୍ୟ ଦିଅ
ରାଜସ୍ୱ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିସନରଙ୍କୁ ହାଜିରା ନିର୍ଦ୍ଦେଶ
କଟକ : ୧୯୯୯ ମହାବାତ୍ୟା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଇଥିବା ୯ ହଜାର ବାତ୍ୟା ଆଶ୍ରୟସ୍ଥଳର ଅବସ୍ଥା ବର୍ତ୍ତମାନ କିପରି ରହିଛି ସେ ସଂପର୍କରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଅବଗତ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କୁ ରାଜ୍ୟ ମାନବାଧିକାର କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮, ଜାନୁଆରି ୨୯ରେ ହାଜର ହୋଇ ବିଭିନ୍ନ ଜିଲ୍ଲାରେ ଥିବା ବାତ୍ୟା ଆଶ୍ରୟସ୍ଥଳ ଗୁଡିକର ବାସ୍ତବ ସ୍ଥିତି ସଂପର୍କରେ ତଥ୍ୟ ଉପସ୍ଥାପନ ପାଇଁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ଆଶ୍ରୟସ୍ଥଳ ଗୁଡିକ କିପରି ଭାବେ କାର୍ଯ୍ୟରେ ଲାଗୁଛି ଓ ଏ ଗୁଡିକର ମରାମତି ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ମଧ୍ୟ ଅବଗତ କରିବା ପାଇଁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ମାନବାଧିକାର କର୍ମୀ ଅଖଣ୍ଡଙ୍କ ପକ୍ଷରୁ ଆଗତ ଅଭିଯୋଗର ଶୁଣାଣି କରି କମିସନଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ ବୀର କିଶୋର ମିଶ୍ର ଏପରି ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଯୋଗ୍ୟ ଯେ ଅଖଣ୍ଡଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ ୧୯୯୯ ମହାବାତ୍ୟା ପରେ ପରେ ରାଜ୍ୟରେ ପ୍ରାୟ ୯୦୦୦ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠି, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି, ସାଂସଦ ପାଣ୍ଠି, ମହାରାଷ୍ଟ୍ର, କର୍ଣାଟକ, ଦିଲ୍ଲୀ ସରକାରଙ୍କ ସହାୟତା ସହିତ କେତେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଘରୋଇ କମ୍ପାନିର ସହଯୋଗରେ ଏସବୁ ନିର୍ମାଣ କରାଯାଇଥିଲା। କେତେକ ବାତ୍ୟା ଆଶ୍ରୟସ୍ଥଳୀରେ ସ୍କୁଲ ଚାଲିଥିବା ବେଳେ ଅନ୍ୟ କେତେକ ଶୋଚନୀୟ ଅବସ୍ଥାରେ ପଡି ରହିଛି। ମରାମତି ଅଭାବରୁ ସେଗୁଡିକ ମଧ୍ୟରୁ ଅଧିକାଂଶ ବ୍ୟବହାର ଉପଯୋଗୀ ହୋଇ ଆଉ ନାହିଁ। ଅନେକ ବିପଦପୂର୍ଣ ଅବସ୍ଥାରେ ରହିଛି । ଅଧିକାଂଶରେ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ଦରକାର ହେଉଥିବା ସୁବିଧା ନାହିଁ । ଛାତରୁ ପାଣି ଗଳୁଛି । କବାଟ ଓ ଝରକା ଭାଙ୍ଗି ଯାଇଛି। ସେଠାରେ ଥିବା ବୈଦ୍ୟୁତିକ ଓ ଅନ୍ୟାନ୍ୟ ଉପକରଣ ଭାଙ୍ଗିରୁଜି ଗଲାଣି। ଆଉ କେତେକରେ ବିଦ୍ୟୁତ ସଂଯୋଗ ଜମାରୁ ନାହିଁ। ପାନୀୟ ଜଳ, ପାଇଖାନା ଭଳି ସୁବିଧା ନାହିଁ। ଏପରି ପରିସ୍ଥିତିରେ ବାତ୍ୟା ସମୟରେ ଏଗୁଡିକ ଲୋକଙ୍କ କାମରେ ଆସିପାରିବ ନାହିଁ ବୋଲି କମିସନଙ୍କ ନିକଟରେ ଦାଖଲ ଆବେଦନରେ ଦର୍ଶାଯାଇଥିଲା।