ଭୁବନେଶ୍ୱର : କର୍ଣ୍ଣାଟକ ନିର୍ବାଚନ ଯାଏ ଟାକି ବସିଥିଲେ। ନିର୍ବାଚନ ସରିବା ଦିନ ପରଠାରୁ ଗତ ୧୫ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ବଢ଼ିବାରେ ଲାଗିଛି। ସମ୍ପୂର୍ଣ୍ଣ ବେଲଗାମ ହୋଇଗଲାଣି। ଗତକାଲି ଡିଜେଲ ମୂଲ୍ୟ ୭୪ ଟଙ୍କା ଟପିଥିଲା। ଆଜି ରାତିରେ ଭୁବନେଶ୍ୱରରେ ପେଟ୍ରୋଲ୍ ଦର ୭୭ ଟଙ୍କା ସ୍ତର ଟପିଯାଇଛି। ଏହା ସର୍ବକାଳୀନ ରେକର୍ଡ। ଯେଉଁ ହାରରେ ଦରବୃଦ୍ଧି ଘଟୁଛି, ଯଦି ସ୍ଥିତିରେ ପରିବର୍ତ୍ତନ ନ ଘଟେ, ଆସନ୍ତା ସପ୍ତାହରେ ପେଟ୍ରୋଲ ଦର ୮୦ ଟଙ୍କା ଛୁଇଁପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରଭାବରେ ଏବେ ଲୋକେ ତ୍ରାହି ତ୍ରାହି ଡାକିଲେଣି। ସାଧାରଣ ଖାଉଟିଙ୍କ ସ୍ଥିତି ବେହାଲ୍। ଦର ଦାମ୍ କେବଳ ବଢିଛି ତା ନୁହେଁ, ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ଦୋହଲିଗଲାଣି।
ବେଳକୁ ବେଳ ସ୍ଥିତି ଗମ୍ଭୀର ଆଡକୁ ଗତି କରୁଥିଲେ ହେଁ, କାହିଁକି କେଜାଣି କେନ୍ଦ୍ର ସରକାର ଏ ପ୍ରସଙ୍ଗ ଉପରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଛନ୍ତି। ଅତ୍ୟନ୍ତ ବେଫିକର ଢଙ୍ଗରେ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ନେଉଥିବା ଲକ୍ଷ୍ୟ କରାଯାଉଛି। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ବରିଷ୍ଠ କ୍ୟାବିନେଟ୍ ସହଯୋଗୀମାନେ କିଭଳି ଦର ହ୍ରାସ ପାଇବ ସେ ନେଇ ବିଚାର ବିମର୍ଶ ଚାଲିଛି ବୋଲି ଆଶା ଦେଖାଇଥିଲେ। ଖୁବ୍ଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି କହିଥିଲେ। ଏପରିକି ବୁଧବାର କ୍ୟାବିନେଟ୍ ବୈଠକରେ ଠୋସ୍ କିଛି ନିଷ୍ପତ୍ତି ହେବ ବୋଲି ଚର୍ଚ୍ଚା ମଧ୍ୟ ହେଉଥିଲା। ମାତ୍ର ସେମିତି କିଛି ହେଲାନି। ବରଂ ନୂଆଦିଲ୍ଲୀରେ ରହି ସ୍ଥିତିର ସମାଧାନ ପାଇଁ ଉଦ୍ୟମ କରିବା ବଦଳରେ ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଡେରା ପକାଇ ସରକାରର ଚତୁର୍ଥବର୍ଷ ପୂର୍ତ୍ତି ପାଳନରେ ବ୍ୟସ୍ତ। ଲାଗୁଛି ଯେମିତି ଲୋକଙ୍କ ଉପରେ ଦାଉ ସାଧୁଛନ୍ତି କେନ୍ଦ୍ର ସରକାର। ଲୋକଙ୍କ ଦୁର୍ଦଶା ସରକାରଙ୍କ ନଜରରେ ପଡୁନି।
ପେଟ୍ରୋଲ୍ ଓ ଡିଜେଲ ଦରରେ ଅଧାରୁ ଅଧିକ ଭାଗ ହେଉଛି ଟିକସ। ଟିକସ ବୋଝ ସାମାନ୍ୟ କମ୍ ହୋଇଗଲେ ଲୋକଙ୍କୁ ଦର ବୃଦ୍ଧି କିଛି ଆଶ୍ୱସ୍ତି ମିଳିପାରନ୍ତା। ହେଲେ କେନ୍ଦ୍ର ସରକାର ନିଜ ଜିଦ୍ରେ ଅଟଳ। ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ଉପରେ ଦାୟିତ୍ୱ ଠେଲିଦେଇ ବସିଯାଇଛନ୍ତି। ଭାଟ୍ କମାଇବା ଲାଗି ଆଗ୍ରହ ଦେଖାଇନାହାନ୍ତି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ସାମାନ୍ୟ କମ୍ ହୋଇଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ସ୍ଥାନୀୟ ବଜାରର ତେଲ ଦର ଉପରେ ଦେଖିବାକୁ ମିଳୁନାହିଁ। ଜିଏସ୍ଟି ପରିସରଭୁକ୍ତ କରିବା ପ୍ରସଙ୍ଗ ମଧ୍ୟ କେନ୍ଦ୍ର ସରକାରଙ୍କ କୋର୍ଟରେ ଲଟକି ରହିଛି।
ଅନ୍ୟପକ୍ଷରେ ତେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷର ନିଆଁ ବ୍ୟାପିଲାଣି। ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ବଡ଼ ଧରଣର ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆସନ୍ତାକାଲି ଠାରୁ ବିଜୁ ଜନତା ଦଳ ତୈଳ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଉଛି। ରାଜଭବନ ସମ୍ମୁଖରେ ଦଳୀୟ ନେତାମାନେ ବିକ୍ଷୋଭ ଓ ପ୍ରତିବାଦ ସଭା କରିବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପତ୍ର ପ୍ରଦାନ କରିବେ। ସେହିଭଳି ତିନି ଦିନ ଧରି ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମ ଲାଗି ବିଜେଡି ଘୋଷଣା କରିଛି। ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଅନୁମାନ କରାଯାଉଛି।
ଉଲ୍ଲେଖଥାଉକି, ସୋମବାର ପାଇଁ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ୍ ମୂଲ୍ୟ ୭୭ ଟଙ୍କା ୭ ପଇସା ହୋଇଛି। ସେହିପରି ଡିଜେଲ ମୂଲ୍ୟ ୭୪ ଟଙ୍କା ୧୫ ପଇସା ହୋଇଯାଇଛି। ରବିବାର ତୁଳନାରେ ପେଟ୍ରୋଲ୍ ଦର ୧୫ ପଇସା ବଢ଼ିଥିବା ବେଳେ ଡିଜେଲ ମୂଲ୍ୟ ୧୨ ପଇସା ବଢ଼ିଛି।
କେବଳ ଦିଲ୍ଳୀକୁ ଛାଡ଼ିଦେଲେ ଦେଶର ଅନ୍ୟ ୩ଟି ବଡ଼ ମେଟ୍ରୋରେ ପେଟ୍ରୋଲ ୮୦ ଟଙ୍କା ଅତିକ୍ରମ କରି ସାରିଲାଣି। ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୮ ଟଙ୍କା ୧୨ ପଇସା ଥିବା ବେଳେ କଲିକତାରେ ୮୦ ଟଙ୍କା ୭୬ ପଇସା, ମୁମ୍ବାଇରେ ୮୫ ଟଙ୍କା ୯୩ ଏବଂ ଚେନ୍ନାଇରେ ୮୧ ଟଙ୍କା ୧୧ ପଇସାରେ ପହଂଚିଲାଣି।