ତୈଳ ଭଣ୍ଡାର ପାଇଁ ତଥାପି ବାଟ ଫିଟୁନି

ବନ୍ଦ ହେଉନି ବେଆଇନ୍ କ୍ରସର୍‌

ଯାଜପୁରରୋଡ୍/ ସଦର : ଦୀର୍ଘ ଦିନ ହେଲାଣି ଡଙ୍କାରୀ ପାହାଡ଼ରୁ ଶହଶହ କୋଟି ଟଙ୍କାର ଗ୍ରାନାଇଟ୍ (କଳାପଥର) ବେଆଇନ୍ ଚାଲାଣ ହେଉଥିବା ସତ୍ବେ ଜିଲ୍ଲା ପ୍ରଶାସନ ବିଭିନ୍ନ ଆଳ ନେଇ ଆଖି, କାନ ଓ ପାଟି ବନ୍ଦ କରି ବସିଥିଲା। ଏବେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲର ନିର୍ଦେଶ ଓ ତୈଳ ଭଣ୍ଡାର ପ୍ରକଳ୍ପ ପାଇଁ ଡଙ୍କାରୀ ପାହାଡ଼ରେ ଥିବା ଖାଦାନଗୁଡ଼ିକୁ ପ୍ରଶାସନ ବନ୍ଦ କରି ଦେଇଛି। ଅଥଚ ବେଆଇନ୍ କ୍ରସର ଉପରେ ପ୍ରଶାସନର କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଯାହାଫଳରେ, ପ୍ରସ୍ତାବିତ ତୈଳଭଣ୍ଡାର ପାଇଁ ସମ୍ପୂର୍ଣ୍ଣ ଭାବେ ପଥ ପରିଷ୍କାର ହେବ ବୋଲି ଯେଉଁ ଆଶା କରାଯାଉଥିଲା, ତାହା ଭୁଲ୍‌ ପ୍ରମାଣିତ ହୋଇଛି।

ଜିଲ୍ଲାରେ ୫ଶହରୁ ଉର୍ଦ୍ଧ୍ବ ବେଆଇନ୍ କ୍ରସର ଯୋଗୁଁ ଅନେକ ‌ଐତିହାସିକ ଓ ପୁରାଣ ପ୍ରସିଦ୍ଧ ଓ ‌େବୗଦ୍ଧ କୀର୍ତ୍ତିରାଜି ଥିବା ପାହାଡ଼ ନିଜର ଅସ୍ତିତ୍ବ ହରାଇଲାଣି। ଏବେ ବିଛାଖଣ୍ଡି ପାହାଡ଼ରେ ପଥର ମାଫିଆଙ୍କ ଧ୍ବଂସଲୀଳା ରଚିଛନ୍ତି । ଏଠାରେ ମାଫିଆଙ୍କର ଧ୍ବଂସଲୀଳା ଚରମ ସୀମାରେ ପହଞ୍ଚିଛି। କେତେକ ବାହୁବଳୀଙ୍କ ଜରିଆରେ ବାହାର ରାଜ୍ୟର ପଥର ମାଫିଆମାନେ ଜଙ୍ଗଲ ଓ ପାହାଡ଼ ନଷ୍ଟ କରି ଚାଲିଛନ୍ତି। ଏପରିକି ଗ୍ରାମବାସୀଙ୍କୁ ଭୟଭୀତ କରି ପୁଲିସକୁ ହାତ କରି ଶହଶହ କୋଟି ଟଙ୍କାର ପଥର କାରବାର କରୁଛନ୍ତି। ଏହି କାରବାରରେ ଜେନାପୁର ଥାନା ପୁଲିିସ ମାଫିଆଙ୍କର ରକ୍ଷା କବଜ ସାଜିଛି। ବିଛାଖଣ୍ଡିରେ ୩୫କ୍ରସର ଚାଲିଥିବା ବେଳେ ବାଲିସାହିରେ ୩୪, ନୂଆ ସାହିରେ ୧୨ କୁସୁନପୁରରେ ୯, ଶ୍ୟାମସୁନ୍ଦରପୁର ୩ ସମେତ ଜାତୀୟ ରାଜପଥ କଡ଼ରେ ବ୍ୟାପକ କ୍ରସର ଚାଲିଛି।

ପ୍ରାୟ ୨୦ ବର୍ଷ ତଳେ ଧର୍ମଶାଳା ଅଞ୍ଚଳରେ କ୍ରସର ଶିଳ୍ପ ଆରମ୍ଭ ହୋଇଥିଲା। ସେତେବେଳେ ହାତ ଗଣତି ପ୍ରାୟ ୪/୫ଟି କ୍ରସର ଥିଲା। ପ୍ରଥମେ ହିନ୍ଦୁସ୍ଥାନ କଷ୍ଟ୍ରକସନ୍ ବଡ କ୍ରସର ୟୁନିଟ ବସାଇ ମେଗା କ୍ରସର ଯୁଗ ଆରମ୍ଭ କରିଥିଲା। ଏବେ ବିଭିନ୍ନ ଅଞ୍ଚଳରେ ଛତୁ ଫୁଟିବା ପରି କ୍ରସର ୟୁନିଟ ଖୋଲିଛି। ମାଳଗୋଡା ଠାରୁ ରାହାଡପୁର ପର୍ଯ୍ୟନ୍ତ ୪୪ ଟି ମେଗା କ୍ରସର ପ୍ରକଳ୍ପ ଚାଲୁ ରହିଛି। ଯାହାକି ଆଇନକୁ ଆଖିଠାର ମାରି ରାଜନେତା ଓ ପ୍ରଶାସନର ସଲାସୁତୁରାରେ ଏନଓସି ହାତେଇ କଳା କାରବାର ଜାରି ରଖିଛନ୍ତି। ଧର୍ମଶାଳା ଅଞ୍ଚଳରେ ୨୦୦୪ରୁ ୨୦୧୬ ମଧ୍ୟରେ ୫୧ଟି କ୍ରସର ଏନଓସି ପାଇଥିବା ବେଳେ ସେଥିମଧ୍ୟରୁ ଦୁଇ ବର୍ଷ ମଧ୍ୟରେ ସର୍ବାଧିକ ୩୧ଟି କ୍ରସରକୁ ଏନଓସି ମିଳିଛି। କେତେକ କ୍ରସର ସରକାରୀ ନିୟମକାନୁନକୁ ଅନୁପାଳନ କରୁନାହାନ୍ତି। ଏହା ବ୍ୟତୀତ ୫ଶହ ଛୋଟବଡ଼ ଓ ମେଗା କ୍ରସର ବେଆଇନ୍ ଭାବେ ଚାଲିଥିବା ଜଣାଯାଇଛି। ଏପରିସ୍ଥଳେ, ତୈଳ ଭଣ୍ଡାର ପାଇଁ ଏବେ ବି ଆଶଙ୍କା ରହିଛି। ପ୍ରକାଶଥାଉକି, ତୈଳଭଣ୍ଡାର ପାଇଁ ରାଜ୍ୟ ସରକାର ନିଜର ସମ୍ମତି ଜଣାଇ ସାରିଛନ୍ତି।

ସମ୍ବନ୍ଧିତ ଖବର