ଆରମ୍ଭ ହେଲା ମୌସୁମୀ ଅଧିବେଶନ, ଗୃହରେ ଅଟଳବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆଜି ଠାରୁ ଠାରୁ ଆରମ୍ଭ ହୋଇଛି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ , ଯଶ୍ୱସ୍ୱୀ କବି, ପ୍ରଚଣ୍ଡ ପ୍ରଜ୍ଞାର ଅଧିକାରୀ, ବାଗ୍ମୀ. ଭାରତୀୟ ରାଜନୀତିର ଅଜାତଶତ୍ର ସ୍ୱର୍ଗତ  ଅଟଳ ବିହାରୀ ବାଜପେୟୀଙ୍କୁ  ଶ୍ରଦ୍ଧାଞ୍ଜଳି ଜଣାଇଛି ଗୃହ। ଆଜି ଗୃହରେ କେବଳ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯିବ, ଗୃହର ଅନ୍ୟ କୌଣସି କାର୍ଯ୍ୟ ହେବ ନାହିଁ ।  ଆସନ୍ତାକାଲି ଗୃହରେ ୨୦୧୮-୧୯ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍‌ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି।

ବିଧାନସଭା ଆରମ୍ଭ ମାତ୍ରେ ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ନବୀନ ପଟ୍ଟନାୟକ  ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ  ଶୋକପ୍ରସ୍ତାବ ଆଗତ କରିଥିଲେ। ପରେ ପରେ  ବିରୋଧୀ ଦଳ ନେତା ତଥା କଂଗ୍ରସ ବିଧାୟକ ନରସିଂହ ମିଶ୍ର ଶୋକପ୍ରସ୍ତାବ ଉପରେ  ଅଭିଭାଷଣ ରଖିଛନ୍ତି।

ସେପ୍ଟମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମୌସୁମୀ ଅଧିବେଶନରେ  ମୋଟ୍‌ ୧୧ଟି କାର୍ଯ୍ୟଦିବସ ରହିଛି। ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଏହି ଅଧିବେଶନରେ ଆଗତ ହେବ। ୬ ତାରିଖରେ ବିଧାନ ପରିଷଦ ନେଇ ସଂକଳ୍ପ ଆସିବ। ଅଧିବେଶନରେ ମୋଟ୍‌ ୪ଟି ବିଲ୍‌ ଆସିବ। ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍‌ ଆଗତ ହେବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୋଟିଏ ଦିନ ଗୃହ ମୁଲତବୀ ରହିବ ବୋଲି  ଗତକାଲି ବିଧାନସଭାର କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସବୁ ଦଳର ବିଧାୟକ ଅଂଶଗ୍ରହଣ କରିଛନ୍ତି। ଏହାବାଦ୍‌ ଗୃହରେ ଅନ୍ୟ କୌଣସି କାର୍ଯ୍ୟ ରଖାଯାଇ ନାହିଁ। ସେପ୍ଟମ୍ବର ୫ରେ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରାଯିବା ସହ ଗୃହ କାର୍ଯ୍ୟ ଯଥାରୀତି ଚାଲିବ।

ସମ୍ବନ୍ଧିତ ଖବର