ଶିକ୍ଷାନୁଷ୍ଠାନରେ ନିର୍ବାଚନ ନିଷିଦ୍ଧ ହେଉ

ଓଲମରା ହାଇସ୍କୁଲ ସୁବର୍ଣ୍ଣଜୟନ୍ତୀ ସମାରୋହ ଉଦ୍‌ଯାପିତ

ଜଳେଶ୍ୱର/ଓଲମରା: ଶିକ୍ଷାନୁଷ୍ଠାନରେ ନିର୍ବାଚନକୁ ନିଷିଦ୍ଧ କରାଯାଉ। ଏହାଫଳରେ ଅନୁଷ୍ଠାନର ପବିତ୍ରତା ବଜାୟ ରହିବ। ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପରସ୍ପର ସହ ଯୋଡ଼ି ହୋଇପାରିଲେ ଶିକ୍ଷାର ବିକାଶ ହୋଇପାରିବ। ଜଳେଶ୍ୱର ବ୍ଳକ ଓଲମରା ହାଇସ୍କୁଲର ସୁବର୍ଣ୍ଣର୍ଜୟନ୍ତୀ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅିତିଥି ଭାବେ ଯୋଗଦେଇ ଏହା କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ମୋରଡ଼ା ବିଧାକ ପ୍ରବୀଣ ଚନ୍ଦ୍ର ଭଂଜଦେଓ।

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଡ. ନୀଳକଣ୍ଠ ପତିିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ‘ସମ୍ବାଦ’ ସମ୍ପାଦକ ତଥା ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ କହିଲେ ଯେ, ବର୍ତ୍ତମାନ ଓଡ଼ିଶାରେ ଏକ ବିଚିତ୍ର ପରିସ୍ଥିିତି ସୃଷ୍ଟି ହୋଇଥିବା ନଜରକୁ ଆସୁଛି। ଲୋକେ ଗରିବ ହେବା ପାଇଁ ପ୍ରତିିଯୋଗିତା କରୁଛନ୍ତି। ଯୁବକମାନେ ପିସି କାରବାର, ଠିକାଦାରୀ ପ୍ରତି ଆଗ୍ରହ ଦେଖାଉଛନ୍ତି। ଟୋକାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ସରକାରୀ ସ୍କୁଲରେ ଅଣ୍ଡା, ସାଇକଲ, ପୋଷାକ ପ୍ରଦାନ କରାଯାଉଥିବା ବେଳେ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି। ଇଂରାଜୀ ଶିକ୍ଷା ପ୍ରତି ଆଦର ବଢୁଥିବା ବେଳେ ୮ମ ଶ୍ରେଣୀ ଛାତ୍ର ୫ମ ଶ୍ରେଣୀର ପାଠ କହିପାରୁନି। ରାଜନେତାଙ୍କ ଅହଙ୍କାର ଯୋଗୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ବଳିପଡୁଛି। ଏଥିରୁ ମୁକ୍ତି ପାଇବା ପାଇଁ ଓଡ଼ିଆମାନେ ସମ୍ମିଳିତ ଉଦ୍ୟମ କରିବା ଉଚିତ।

ସମ୍ମାନିତ ଅତିଥି ଭାବେ କବି ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଡିକେ କଲେଜ ଅଧ୍ୟାପକ କେଦାରନାଥ ମହାନ୍ତି, ସାହିତ୍ୟିକ ବିପିନ ବିହାରୀ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଶିକ୍ଷାନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ସଭାପତି ଡ. ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଯତୀନ୍ଦ୍ରନାଥ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର