ରାଜନଗରରେ ଧରାପଡ଼ିଲା ଶହେ ଭେଣ୍ତିଆଙ୍କୁ ବାର୍ଧକ୍ୟ ଭତ୍ତା

ରାଜନଗର : କେନ୍ଦ୍ରାପଡ଼ାର ରାଜନଗର ବ୍ଲକରେ ଭେଣ୍ତିଆଙ୍କୁ ମିଳୁଛି ବାର୍ଧକ୍ୟ ଭତ୍ତା। ଗରିବ, ବିଧବା ଓ ବୃଦ୍ଧ/ବୃଦ୍ଧା ଭତ୍ତା ପାଇବାରୁ ବ˚ଚିତ ହେଉଥିବା ବେଳେ ଭେଣ୍ତିଆଙ୍କ ହାତରେ ବ୍ଲକ ପ୍ରଶାସନ ବାର୍ଧକ୍ୟ ଭତ୍ତା ଧରାଇ ଦେଉଛନ୍ତି। ଗତ ୧୫ ତାରିଖ ଦିନ ୨୨୩୮ଜଣ ନୂତନ ହିତାଧିକାରୀଙ୍କୁ ୩ମାସର ଭତ୍ତା ଏକା ସମୟରେ ପ୍ରଦାନ କରାଯାଇଛି। ସେମାନଙ୍କ ମଧୢରୁ ଶହେରୁ ଅଧିକ ଭେଣ୍ତିଆଙ୍କୁ ବାର୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି।

ଗତ ୧୫ତାରିଖ ଦିନ ରାଜନଗର ବ୍ଲକ୍‌ର ୨୯ ପଞ୍ଚାୟତରେ ୨୨୩୮ଜଣଙ୍କୁ ବିଧବା ଓ ବାର୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଥିଲା। ମଧୁବାବୁ ପେନ୍‌ସନ୍‌ ଯୋଜନାରେ ୧୮୬୪ଜଣଙ୍କୁ ଓ ଇନ୍ଦିରା ଗାନ୍ଧି ବାର୍ଧକ୍ୟ ପେନ୍‌ସନ୍‌ ଯୋଜନାରେ ୩୭୪ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ଏହି ୨୨୩୮ଜଣ ନୂତନ ହିତାଧିକାରୀଙ୍କ ମଧୢରୁ ଶହେରୁ ଅଧିକ ଭେଣ୍ତିଆଙ୍କୁ ବାର୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଛି। ଏଥିରେ ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତରେ ଭେଣ୍ତିଆ ଭତ୍ତା ନେଇଛନ୍ତି। କେବଳ ହାତିନା ପଞ୍ଚାୟତରେ ୧୫ରୁ ଅଧିକ ଭେଣ୍ତିଆ ବାର୍ଧକ୍ୟ ଭତା ହାତେଇବାରେ ସଫଳ ହୋଇଛନ୍ତି। ଭତ୍ତା ଚୟନ ପ୍ରକ୍ରିୟା ଚାଲିଥିବା ସମୟରେ ଏ ନେଇ ଅଭିଯୋଗ ପରେ ବି’ ପ୍ରଶାସନ ଭେଣ୍ତିଆଙ୍କୁ ବାର୍ଧକ୍ୟ ଭତ୍ତା ପ୍ରଦାନ କରିଛି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ହାତିନା ପଞ୍ଚାୟତ ହାତିନା ଗାଁର ଶ୍ରୀଧର ରାଉତଙ୍କର ୨୦୧୭ ଭୋଟର ତାଲିକାରେ ବୟସ ୪୭ ବର୍ଷ। ମାତ୍ର ଭତ୍ତା ତାଲିକାରେ ସରକାରୀ ଖାତାରେ ଶ୍ରୀଧରଙ୍କୁ ୬୧ବର୍ଷ ଦର୍ଶାଇ ବାର୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଛି। ସେହିପରି ୨୦୧୬ ଭୋଟର ତାଲିକାରେ ଏହି ଗାଁର କାଳିକା ରାଉତ(୪୯), କୁମର ଜେନା(୫୫), ଛବୀନ୍ଦ୍ର ପ୍ରଧାନ(୫୭), ବେଲ ଜେନା(୫୭), ଅନାଦି ରାଉତ(୫୬), ପେଣ୍ଠ ଗାଁର ସଜନୀ ଦାସ(୪୫), ଲମ୍ବୋଦର ବଳ(୫୬)ଙ୍କୁ ବାର୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଛି। ସେହିପରି ମୁଗକଣି ଗାଁର ବୟସ ହୋଇ ହୋଇ ନଥିବା ଏକ ଯୋଡ଼ା ସ୍ବାମୀ-ସ୍ତ୍ରୀଙ୍କୁ ବାର୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଛି। ଏହି ଗାଁର ପାରେଶ୍ବର ଜେନାଙ୍କୁ ୨୦୧୬ ଭୋଟର ତାଲିକାରେ ୫୭ ବର୍ଷ ହୋଇଥିବା ବେଳେ ତାଙ୍କ ପତ୍ନୀ ସାରିଆ ଜେନାଙ୍କୁ ୫୧ ବର୍ଷ ହୋଇଛି। ମାତ୍ର ଉଭୟଙ୍କୁ ବାର୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଛି।

ବାର୍ଧକ୍ୟ ଭତ୍ତାର ନିୟମ ମୁତାବକ, ୬୦ ବର୍ଷ ହେବା ପରେ ଜଣେ ବାର୍ଧକ୍ୟ ଭତ୍ତା ପାଇଁ ବ୍ଲକ କାର୍ଯ୍ୟାଳୟରେ ଆବେଦନ କରିବେ। ଏହି ଆବେଦନ ପରେ ସ˚ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭତ୍ତା ପାଇଁ ଆବେଦନ କରିଥିବା ବୃଦ୍ଧ/ବୃଦ୍ଧାଙ୍କ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେଇଥା’ନ୍ତି। ନିର୍ବାହୀ ଅଧିକାରୀ ବ୍ଲକ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ କରିବା ପରେ ବ୍ଲକ କାର୍ଯ୍ୟାଳୟରେ ପୁନର୍ବାର ତନଖି କରାଯାଇ ଭତ୍ତା ମ˚ଜୁର ପାଇଁ ଉପ ଜିଲ୍ଲାପାଳଙ୍କ କାର୍ଯାଳୟକୁ ପଠାଯାଏ। ସେଠାରୁ ମ˚ଜୁର ହୋଇ ଆସିବା ପରେ ଭତ୍ତା ପ୍ରଦାନ କରାଯାଇଥାଏ। ଏଠାରେ ପ୍ରଶ୍ନ ଉଠେ ଯେ, ଯଦି ଭେଣ୍ତିଆ କାଗଜପତ୍ରରେ ଜାଲିଆତି କରି ବୟସ ବଢାଇ ଭତ୍ତ‌ା ପାଇଁ ଆବେଦନ କଲେ, ତଦନ୍ତ କରୁଥିବା ଅଧିକାରୀ ଓ ଭତ୍ତା ପ୍ରଦାନ କରୁଥିବା ଅଧିକାରୀ ଏହା ଜାଣି ପାରିଲେ ନାହିଁ କେମିତି? ଏ ସ˚ପର୍କରେ ଜିପିଇଓ ଧର୍ମାନନ୍ଦ ଦାସଙ୍କୁ ପଚାରିବାରୁ, କିଛି ଭେଣ୍ତିଆଙ୍କ ନାଁରେ ଭତ୍ତା ମ˚ଜୁର ହୋଇଛି। ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର