ପ୍ରାଚୀ ନଦୀକୂଳରେ ତାମ୍ର ପ୍ରସ୍ତର ଯୁଗର ସନ୍ଧାନ

ଭାରତୀ ହୁଡ଼ାରେ ଖନନ ଆରମ୍ଭ
ମିଳିଲା ପଥର କୁରାଢୀ, ହାତହତିଆର, ମାଟିପାତ୍ର

କଟକ/ନିଆଳି : ପ୍ରାଚୀ ନଦୀକୂଳରେ ଗଢ଼ି ଉଠିଥିବା ପୁରୁଣା ସଭ୍ୟତା ସଂପର୍କରେ ଗବେଷକମାନେ ମତବ୍ୟକ୍ତ କରିଆସୁଥିବା ବେଳେ ଏବେ ସେଠାରେ ମିଳିଛି ତାମ୍ର ପ୍ରସ୍ତର ଯୁଗର ସନ୍ଧାନ। ନିଆଳି ଠାରୁ ମାତ୍ର ୪ କିଲୋମିଟର ଦୂରରେ ଅବସ୍ଥିତ ପ୍ରାଚୀ ନଦୀ ଉପତ୍ୟକା ଜଲ୍ଲାରପୁର ଗ୍ରାମ ନିକଟରେ ଥିବା ଭାରତୀ ହୁଡ଼ାରୁ ମିଳିଛି ବହୁ ପ୍ରାଚୀନ ସାମଗ୍ରୀ। ଏହି ସାମଗ୍ରୀ ଗୁଡ଼ିକର ଅନୁଧ୍ୟାନ କରିବା ପରେ ଏହା ତାମ୍ର ପ୍ରସ୍ତର ଯୁଗର ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ସର୍ବେକ୍ଷଣ ଅନୁସାରେ ଏହି ସଭ୍ୟତା ୩/୪ହଜାର ବର୍ଷ ପୂର୍ବର ବୋଲି ଆକଳନ କରାଯାଇଛି। ଆଜିର ପ୍ରଥମ ଉତ୍‌ଖନନରେ ମାଟିପାତ୍ର, ବିଭିନ୍ନ ପ୍ରସ୍ତର ନିର୍ମିତ କୁରାଢୀ, ହାତହରିଆର ତିଆରି ହେଉଥିବା ପ୍ରସ୍ତର ଖଣ୍ଡ ତଥା ବିଭିନ୍ନ ସାମଗ୍ରୀ ମାଟିତଳୁ ମିଳିଛି।

ଏଭଳି ସାମଗ୍ରୀରୁ ସେତେବେଳେ ଏହି ସ୍ଥାନରେ କିଭଳି ସଭ୍ୟତା ରହିଥିଲା, ଲୋକଙ୍କ ଜୀବନ ଜୀବିକା କଣ ଥିଲା ଓ ସେମାନଙ୍କ ଖାଦ୍ୟ କଣ ଥିଲା ତାହା ଧିରେଧିରେ ସାମନାକୁ ଆସିବାରେ ଲାଗିଛି। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗର ଉତ୍‌ଖନନ ଶାଖା ୪ତରଫରୁ ଉତ୍‌ଖନନ କାର୍ଯ୍ୟ ଆଜି ଆରମ୍ଭ ହୋଇଛି। ପ୍ରତ୍ନତତ୍ଵବିତ୍‌ ଅଧିକ୍ଷକ ତଥା ଉତ୍‌ଖନନ କାର୍ଯ୍ୟ ନିର୍ଦ୍ଦେଶକ ଡକ୍ଟର ଡ଼ି.ବି ଗଡ଼ନାୟକଙ୍କ ନେତୃତ୍ଵରେ ବିଭାଗର ଉତ୍‌ଖନନ କାର୍ଯ୍ୟର ସହାୟକ ସଂଜୟ ପଣ୍ଡା, ଆଶିଷ୍‌ ସାହୁ, ଉମାକାନ୍ତ ଭୋଇ ଓ ସର୍ବେକ୍ଷକ ତଥା ଡ଼୍ରାଫ୍ଟସ୍‌ ମ୍ୟାନ୍‌ ଶୁଭେନ୍ଦୁ କୁମାରା ଖୁଣ୍ଟିଆ, ବିବି ବନମାଳି ଓ ଫଟୋଗ୍ରାଫର ଆରଏନ୍‌ ସାହୁଙ୍କ ସମେତ ୫୦ରୁ ଅଧିକ ଶ୍ରମିକ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଉତ୍‌ଖନନ କାର୍ଯ୍ୟ ନିର୍ଦ୍ଦେଶକ ଡକ୍ଟର ଗଡ଼ନାୟକଙ୍କ ସୂଚନା ଅନୁସାରେ ୨୦୦୮ ମସିହା ପର୍ଯ୍ୟନ୍ତ ପ୍ରାଚୀ ସଭ୍ୟତା ଓ ସଂସ୍କତି ସଂପର୍କରେ ଐତିହାସିକମାନେ ମତବ୍ୟକ୍ତ କରିଥିବା ବେଳେ ଏବେ ସର୍ବେକ୍ଷଣ ଅନୁସାରେ ଏହି ସଭ୍ୟତା ୩/୪ହଜାର ବର୍ଷ ପୂର୍ବର ବୋଲି ଆକଳନ କରାଯାଉଛି। ଉତ୍‌ଖନନ ପରେ ଏହା ଅଧିକ ସ୍ପଷ୍ଟ ହେବ। ଏହି କାର୍ଯ୍ୟ ଆଉ ୪ମାସ ଚାଲିବା ସହିତ ଏକ ଶହରୁ ଅଧିକ ଶ୍ରମିକ ନିୟୋଜିତ ହେବେ। କିନ୍ତୁ ଜମିକୁ ନେଇ ଖନନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। କିଛି ମାଲିକଙ୍କ ସ୍ଥିତିବାନ ସମ୍ପତ୍ତି ହୋଇଥିବାରୁ ସେମାନେ ଖନନ କାର୍ଯ୍ୟ ପାଇଁ ଜମି ଦେବାକୁ ମନା କରିଦେଉଛନ୍ତି ବୋଲି ଶ୍ରୀ ଗଡନାୟକ କହିଛନ୍ତି।

ସୂଚନା ଅନୁସାରେ, ଅତୀତରେ ହୁଡ଼ାରୁ ମିଳିଥିବା ମାଟିପାତ୍ର, ଧାତୁ ପାତ୍ର, ଅସ୍ଥି, ପଥର ନିର୍ମିତ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡ଼ିକକୁ ନେଇ ଅଧିକ ଅନୁସନ୍ଧାନ ଜାରି ରହିଥିବା ବେଳେ ପ୍ରାଚୀ ନଦୀ କୂଳେ କୂଳେ ପୁରାତନ ସଭ୍ୟତାକୁ ନେଇ ଅନେ୍ଵଷଣ କରିବାକୁ ଯୋଜନା ଆରମ୍ଭ କରିଛି ଭାରତୀୟ ପ୍ରତ୍ନତତ୍ତ୍ୱ ବା ପୁରାତତ୍ଵ ସର୍ବେକ୍ଷଣ ବିଭାଗର ଉତ୍‌ଖନନ ଶାଖା। ପ୍ରାଚୀ ନଦୀର ଅସ୍ତରଙ୍ଗ ପର୍ଯ୍ୟନ୍ତ ସଂପ୍ରସାରିତ କରି ଅନେ୍ଵଷଣ ଜାରି ରଖବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ଏଭଳି ଉତ୍‌ଖନନ କାର୍ଯ୍ୟ ସଂପର୍କରେ ଖବର ପ୍ରଚାର ହେବା ପରେ ଭାରତୀ ହୁଡ଼ାକୁ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟୁଛି। ତେବେ ଏ ସଂପର୍କରେ ପ୍ରଥମେ ପ୍ରତ୍ନତାତ୍ଵିକ ସର୍ବେକ୍ଷଣ ସଂସ୍ଥାକୁ ଖବର ଦେଇଥିବା ଗବେଷକ ପୂର୍ଣ୍ଣଚନ୍ଦ୍ର ଦାସ କୁହନ୍ତି ଯେ ପ୍ରାଚୀ ନଦୀର ଇତିହାସ ବହୁ ପୁରାତନ। ସ୍ଥାନୀୟ ଲୋକଙ୍କ ମତ ଓ ଭାରତୀ ହୁଡ଼ାରେ ପଡ଼ିଥିବା ସାମଗ୍ରୀ ଗୁଡ଼ିକକୁ ଅନୁସନ୍ଧାନ କରି ଏହା ପ୍ରାଚୀନ ତାମ୍ର ପସ୍ତର ଯୁଗର ବୋଲି ପ୍ରତ୍ନତାତ୍ଵିକ ସର୍ବେକ୍ଷଣ ସଂସ୍ଥାର ଗବେଷକମାନେ ମତବ୍ୟକ୍ତ କରିବା ପରେ ପ୍ରାଚୀ ନଦୀର ପ୍ରାଚୀନତା ଉପରେ ଅଧିକ ଗବେଷଣା ଜାରି ରହିଲେ ବହୁ ଐତିହାସିକ ତଥ୍ୟ ତଥ୍ୟ ଲୋକେଲୋଚନକୁ ଆସିପାରିବ।

ସେହିପରି ପ୍ରାଚୀ ଗବେଷକ ତଥା ସାହିତ୍ୟିକ ଡକ୍ଟର ତ୍ରିନାଥ ପଟ୍ଟନାୟକଙ୍କ କହିବା ଅନୁସାରେ ବହୁ ପୁରାତନ ସଭ୍ୟତା ଏହି ପ୍ରାଚୀନଦୀ କୂଳରେ ଥିଲା। ଏହାକୁ ଖନନ କରିବା ପରେ ବହୁ ପୁରାତନ ସଭ୍ୟତା ସଂପର୍କରେ ଆମର ଗବେଷକମାନେ ଜଣିପାରିବେ। କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର। ଏବେ ବି ପ୍ରାଚୀ ନଦୀର କୂଳେକୂଳେ ଶୋଭାପାଉଛି ବହୁ ପୁରାତନ କୀର୍ତ୍ତିରାଜି। ଶିଳ୍ପୀମାନେ ଶିଳା ପୁଷ୍ପର ମାଳ ଟିଏ ସୃଷ୍ଟି କରାଇଛନ୍ତି ପ୍ରାଚୀ ନଦୀର ଉପତ୍ୟାକାରେ। ପ୍ରାଚୀ ନଦୀର ଏହି ପଥର କାବ୍ୟ ପରମ୍ପରା ବେଶ୍‌ ପ୍ରାଚୀନ। କୁହାଯାଏ ଯେ ଗଙ୍ଗା ନଦୀ ଠାରୁ ବି ଏକ ଶତବର୍ଷ ପୁରୁଣା ହେଉଛି ପ୍ରାଚୀ ନଦୀ। ତେବେ ବର୍ତ୍ତମାନ ପ୍ରାଚୀ ନଦୀର ଉତ୍ପତ୍ତି ସ୍ଥଳ ଫୁଲନଖରା ଲକ୍ଷେଶ୍ୱରଙ୍କ ପୀଠରେ ହୋଇଥିବା ବେଳେ ଆଦିତ୍ୟ ମାଧବ ପୀଠ ଅର୍କକ୍ଷେତ୍ର କୋଣାର୍କ ଠାରେ ସମୁଦ୍ରରେ ଲୀନ ହୋଇଛି। ଅତୀତରେ ପ୍ରାଚୀ ନଦୀର ଉପତ୍ୟକାକୁ ଦଣ୍ଡକାଆରଣ୍ୟ ମଧ୍ୟ କୁହାଯାଉଥିଲା।

ଏହି ଉପତ୍ୟାକାରେ ବହୁ ପ୍ରାଚୀନ କୀର୍ତ୍ତିିରାଜି ସହ ମନ୍ଦିର, ମଠ ଓ ମନୋରମ ଶିଳା ଭାସ୍କର୍ଯ୍ୟ ବିଶ୍ୱର ଅନ୍ୟ କୌଣସି ନଦୀ ଉପତ୍ୟାକାରେ ଦେଖିବାକୁ ମିଳେନାହିଁ। ପ୍ରାଚୀ ନଦୀର କୂଳେକୂଳେ ରହିଥିବା ମନ୍ଦିର ମାନଙ୍କରେ ଥିବା ପ୍ରାଚୀନ ପ୍ରସ୍ତର ମୂର୍ତ୍ତିି ଓ ଖୋଦିତ ପ୍ରସ୍ତର ଚିତ୍ରକଳା ହିଁ ପ୍ରାଚୀ ଉପତ୍ୟାକାର ପ୍ରାଚୀନତା ସଂପର୍କରେ ବହୁ କଥା କହିଥାଏ। ଅତୀତର ପ୍ରାଚୀ ନଦୀ ଉପତ୍ୟାକାର ଉଦ୍ଧାର ହୋଇ ପୂଜା ପାଉଥିବା ପ୍ରାଚୀନ ଜୈନମୂର୍ତ୍ତି ଏହାର ପ୍ରାଚୀନତାକୁ ପ୍ରମାଣିତ କରୁଛି। ପ୍ରାଚୀ ମୂହାଣ ଦେଇ ସେତେବେଳେ ସିଂହଳ ସହିତ ସାଧବ ମାନଙ୍କର ବାଣିଜ୍ୟିକ ସଂପର୍କର ବରିଷ୍ଠ ପ୍ରମାଣ ହେଉଛି ଜଣେ ଓଡ଼ିଆ ସାଧବ ସିଂହଳରୁ ଆଣିଥିବା ବିଶାଳ ପ୍ରାଚୀନ ମୂର୍ତ୍ତିିକୁ କାକଟପୁରରେ ପ୍ରତିଷ୍ଠା କରି ମାଁ ମଙ୍ଗଳା ନାମରେ ପୂଜା କରିଥିଲେ। ତେଣୁ ପ୍ରାଚୀ ଉପତ୍ୟକାର ପ୍ରାଚୀନତା ସଂପର୍କରେ ଗବେଷଣା ଓ ଉତ୍‌ଖନନ ଜାରି ରହିଲେ ଆହୁରି ଅନେକ ତଥ୍ୟ ସାମନାକୁ ଆସିବ ବୋଲି ବହୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର