ବନ୍ଦ ଘରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ : ଆତ୍ମହତ୍ୟା‌ ନା ହତ୍ୟା!

ଦାନଗଦୀ : କଳିଙ୍ଗନଗର ଥାନା ଅନ୍ତର୍ଗତ ପିଙ୍ଗଲ ପଞ୍ଚାୟତର ବଡ଼ପିଙ୍ଗଲ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବନ୍ଦ ଘର ଭିତରୁ ଏକ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ ଗ୍ରାମର ଲକ୍ଷ୍ମୀଧର ଜେନା (୭୫) ଓ ସ୍ତ୍ରୀ ଫୁଲ ଜେନା (୭୨)। ସେମାନେ ବିଷ ପିଇ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ହେଁ ଘର ଭିତରୁ କୌଣସି ବିଷ ବୋତଲ କି ଅନ୍ୟ କିଛି ପୁଲିସ ଜବତ କରିପାରିନାହିଁ। ଫଳରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁକୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀଧରଙ୍କର ଗୋଟିଏ ପୁଅ ଓ ଦୁଇ ଝିଅ। ଝିଅ ଦୁଇଜଣ ବିବାହ ପରେ ଶାଶୂଘରେ ରହୁଛନ୍ତି। ପୁଅ ଆମେରିକାରେ ରହୁଥିବାବେଳେ ବୋହୂ ତାଙ୍କ ବାପଘରେ ରହୁଥିଲେ। ଲକ୍ଷ୍ମୀଧର ଏବଂ ତାଙ୍କ ସ୍ତ୍ରୀ ଘରେ ରହୁଥିଲେ। ସେ ଗ୍ରାମବାସୀଙ୍କ ସହିତ ଚଳଚଞ୍ଚଳ ରହୁଥିବା ବେଳେ ଆଜି ସକାଳୁ ଘର କବାଟ ଖୋଲି ନଥିଲେ। ପଡୋଶୀମାନେ କବାଟ ଭାଙ୍ଗି ବୃଦ୍ଧ ଦମ୍ପତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧ ଦମ୍ପତିଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ୧୦/୨୦୧୯ ରୁଜୁ କରି ତଦନ୍ତ ଜାରି ରଖିଛି।

ପାଖ ପଡ଼ୋଶୀଙ୍କ କହିବା ମୁତାବକ ତାଙ୍କ ପୁଅ ଆମେରିକା‌ରେ ରହୁଥିବାବେଳେ ବୋହୂ ତାଙ୍କ ବାପଘରେ ରହୁଥିଲେ। ଲକ୍ଷ୍ମୀଧର ଦୀର୍ଘବର୍ଷ ରେଳବାଇରେ ଚାକିରି କରିଥିଲେ। ତାଙ୍କ ଡାହାଣଗୋଡ଼ ଆଣ୍ଠୁ ତଳୁ କଟି ଯାଇଥିଲା। ସେ ମାନସିକ ଚାପରେ ରହୁଥିବା ବେଳେ କେତେକ ପାରିବାରିକ ସମସ୍ୟା ଲାଗି ରହିଥିଲା। ସେହି ପାରିବାରିକ ସମସ୍ୟା ନେଇ ସେମାନେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପଡୋଶୀ ପ୍ରକାଶ କରିଛନ୍ତି। ମାତ୍ର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପ୍ରକାଶ କରିଛି। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର