ଭତ୍ତା ପାଇଁ ଆସି ପଞ୍ଚାୟତ ଅଫିସ୍‌ ପରିସରରେ ବୃଦ୍ଧାଙ୍କ ମୃତ୍ୟୁ

ରଣପୁର : ରଣପୁର ବ୍ଲକ୍‌ ଅନ୍ତର୍ଗତ ପଟିଆ ପଞ୍ଚାୟତରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ପଞ୍ଚାୟତ ଅଧୀନ ଜିରିପଡ଼ା ଗାଁର ପ୍ରେମଲତା ଲେଙ୍କା (୮୦)ନାମକ ଜଣେ ବୃଦ୍ଧା ଭତ୍ତା ପାଇଁ ଆସିଥିବା ବେଳେ ପଞ୍ଚାୟତ ଅଫିସ ପରିସରରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

ଆଜି ମାସର ୧୫ ତାରିଖ ଭତ୍ତା ପାଳି ହୋଇଥିବାରୁ ବହୁ ହିତାଧିକାରୀ ଭତ୍ତା ନେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଭିଡ଼ ଲଗାଇଥିଲେ। ସେହିପରି ଜିରିପଡ଼ା ଗାଁର ବୃଦ୍ଧା ପ୍ରେମଲତା ଭତ୍ତା ନେବା ପାଇଁ ସକାଳ ୮ଟାରୁ ଆସି ପଞ୍ଚାୟତ ଅଫିସ୍‌ରେ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ପଞ୍ଚାୟତ ପରିସରରେ ଖରାରେ ବସି ରହିବାରୁ ମାତ୍ରାଧିକ ଉତ୍ତାପ ଯୋଗୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ପ୍ରକାଶ। ଅପରପକ୍ଷେ ବୃଦ୍ଧା ଜଣେ ସଂପର୍କୀୟଙ୍କ ବାଇକ୍‌ରେ ବସି ଆସୁଥିବା ବେଳେ ପଞ୍ଚାୟତ ସମ୍ମୁଖରେ ପଡ଼ିଯିବାରୁ ମୃତ୍ୟୁ ଘଟିଛି ବୋଲି ଗ୍ରାମ ସେବକ ବସନ୍ତ ଜେନା କହିଛନ୍ତି। ଖବର ପାଇ ପୁଲିସ୍‌ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ରଣପୁର ହସ୍ପିଟାଲକୁ ନିଆଯାଇଛି।

ତେବେ ସରକାରୀ ନିୟମ ଅନୁଯାୟୀ ୮୦ ବର୍ଷ ବୟସ୍କ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ପାଇଁ କାର୍ଯ୍ୟାଳୟକୁ ଆସିବା ଦରକାର ନାହିଁ। ସରକାରୀ କର୍ମଚାରୀ ସେମାନଙ୍କ ଘରକୁ ଯାଇ ଭତ୍ତା ବଂଟନ କରିବାର ବ୍ୟବସ୍ଥା ରହିଛି। ତେବେ ସରକାରୀ କଳର ମନମାନି ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର