ଭତ୍ତା ପାଇଁ ୪୦୦ କିଲୋମିଟର

ଦାରିଦ୍ର୍ୟ ଦେଉଛି କଷଣ , ନାମ ସ୍ଥାନାନ୍ତର ପାଇଁ ନୟାନ୍ତ

ପୁରୀ :‌ ବୟସ ୮୭ ଡେଇଁଲାଣି। ବାଡ଼ି ନଧରିଲେ ପାଦେ ପକାଇବା କଷ୍ଟକର। କିନ୍ତୁ ଭତ୍ତା ପାଇଁ ଦୌଡ଼ିବାକୁ ପଡ଼ୁଛି ୪୦୦ରୁ ଅଧିକ କିଲୋମିଟର। ନିଜ ପଞ୍ଚାୟତକୁ ନାମ ସ୍ଥାନାନ୍ତର ପାଇଁ ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ସାରିଲେଣି। କିନ୍ତୁ କେହି ଶୁଣୁନାହାନ୍ତି।

ଏହି ବୃଦ୍ଧ ହେଉଛନ୍ତି ପୁରୀ ଜିଲ୍ଲା ସଦର ବ୍ଲକ୍ ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରଡିହ ଗ୍ରାମର ଦୁଃଖୀଶ୍ୟାମ ପ୍ରଧାନ। ପରିବାରର ଗୁଜୁରାଣ ଚିନ୍ତା ଓ ଦାରିଦ୍ର୍ୟ କଷଣ ଅତୀତରେ ଦୁଃଖୀଶ୍ୟାମଙ୍କୁ ଗାଁ ଛାଡ଼ିବାକୁ ବାଧ୍ୟ କରିଥିଲା ଏଥିପାଇଁ ସେ ଗାଁ ଛାଡ଼ି ସୁଦୂର ରାଉରକେଲାକୁ ଦାଦନ ଖଟିବା ଲାଗି ଚାଲି ଯାଇଥିଲେ। ରାଉରକେଲାର ସେକ୍ଟର-୧୯ରେ ପରିଚିତ ବ୍ୟକ୍ତିଙ୍କ ସହ ରହି କାମଧନ୍ଦା କଲେ। ଯୁବାବସ୍ଥା ଯାଇ ବାର୍ଦ୍ଧକ୍ୟ ଛୁଇଁଲା। ଆଉ ସେତେଟା କାମଧନ୍ଦା ମିଳିଲାନି। ଶେଷରେ ବାର୍ଦ୍ଧକ୍ୟ ଭତ୍ତା ଉପରେ ନିର୍ଭରଶୀଳ ହେଲେ। ଯାହା କିଛି ଟଙ୍କା ମିଳୁଥିଲା ସେଥିରେ କଷ୍ଟେମଷ୍ଟେ ଚଳୁଥିଲେ। ୪ ବର୍ଷ ତଳେ ସେ ଗାଁକୁ ଫେରିଛନ୍ତି। ବାର୍ଦ୍ଧକ୍ୟ ହେତୁ ଆଉ ଚାଲିବୁଲି ପାରୁନାହାନ୍ତି। ବଙ୍କୁଲି ବାଡ଼ି ନଧରିଲେ ଠିଆ ହେବା କଷ୍ଟକର। ଅନେକ ସମୟରେ ଚାଲି ଚାଲି ଯିବା ସମ୍ଭବ ହେଉନଥିବାରୁ ଘୁ‌ଷୁରି ଘୁଷୁରି ଯାଉଛନ୍ତି। ଫଳରେ ଭତ୍ତା ଟଙ୍କା ଆଉ ପାଇପାରୁନି। ଦୁଃଖୀଶ୍ୟାମ କୁହନ୍ତି ଯେ, ‘ ରାଉରକେଲାରେ ଥିବା ଭତ୍ତା କାଗଜପତ୍ର ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତକୁ ଆଣିଦେବା ଅବା ନୂଆ ଭତ୍ତା କରିବାକୁ ବହୁତ କହିଲିଣି। ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିସାରିଲିଣି। କିନ୍ତୁ କେହି ମୋ କଥା ଶୁଣୁନାହାନ୍ତି।’

ଭତ୍ତା ମିଳୁନଥିବାରୁ ଏବେ ପର ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହି କଥା କହିଲା ବେଳକୁ ଦୁଃଖୀଶ୍ୟାମଙ୍କ ଆଖି ଛଳ ଛଳ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର