ସଙ୍ଗରୋଧ କେନ୍ଦ୍ରରେ ବୃଦ୍ଧଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ: ସଙ୍ଗ‌େରୋଧ କେନ୍ଦ୍ରରୁ ମେଡିକାଲ, ମେଡିକାଲରୁ ଶ୍ମଶାନ

ମେଡିକାଲରୁ ଫେରିଲା ମୃତଦେହ, ଖୁଣ୍ଟସମଲାଇ ଗ୍ରାମରେ ଉତ୍ତେଜନା

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ଗ୍ରାମର ଜୈନିକ ବୃଦ୍ଧ ମାର୍ଚ ମାସରେ ନିଜ ସାନ ପୁଅ ରହୁଥିବା ଛତିଶଗଡ଼କୁ ଯାଇ ସେଠାରୁ ଫେରିଥିବା ବେଳେ ଉଭୟ ବୃଦ୍ଧ ପତିପତ୍ନୀଙ୍କୁ ଗ୍ରାମର ସଙ୍ଗରୋଧ କେନ୍ଦ୍ରରେ ରଖାଯିବା, ସ୍ବାସ୍ଥ୍ୟବସ୍ଥାରେ ଅବନତି ହେବାରୁ ପରିବାରବର୍ଗଙ୍କୁ ନ ଜଣାଇ ମେଡିକ‌ାଲ ପରେ ମେଡିକାକୁ ନିଆଯିବା ଏବଂ ଶେଷରେ ବୁର୍ଲା ମେଡିକାଲରେ ଖୁଣ୍ଟସମଲାଇ ଗ୍ରାମର ଟିକେମଣି ତଅଁଲା ନାମକ ଜୈନିକ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ଟିକେମଣିଙ୍କ ମୃତଦେହ ନିଜ ଗ୍ରାମକୁ ପହଞ୍ଚିଥିବା ବେଳେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା । ପରିସ୍ଥିତିକୁ ଆୟତ୍ତ କରାଯିବା ପାଇଁ ପୁଲିସ ମୁତୟନ କରା ଯାଇଥିଲା ।

ପ୍ରାପ୍ତ ସୂଚନା ଅନୁଯାୟୀ, ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ଗ୍ରାମର ଟିକେମଣି ତଅଁଲା(୬୫) ଓ ତାଙ୍କ ସ୍ତ୍ରୀ ଗୋଲାପି ତଅଁଲା(୬୦) ମାର୍ଚ ମାସରେ ନିଜ ସାନ ପୁଅ ଧନମତ ତଅଁଲା ରହୁଥିବା ଛତିଶଗଡ଼ର ରାୟଗଡକୁ ଯାଇଥିଲେ । ସେଠାରେ ପୁଅ ଘରେ ରହିଥିବା ବେଳେ ଲକ୍ ଡାଉନ୍ ହୋଇଥିଲାା ଫଳରେ ସେମାନେ ସେଠାରେ ଫଶି ରହିଥିଲେ । ରାୟଗଡରୁ ଅନୁମତି ନେଇ ସାନ ପୁଅ ଧନମତ ନିଜ ବାପା ଓ ମାଁଙ୍କୁ ନେଇ ନିଜ ଗ୍ରାମ ଖୁଣ୍ଟସମଲାଇକୁ ଗତ ୧୭ ତାରିଖରେ ପହଞ୍ଚିଥିଲେ । ନିଜ ଘରେ କିଛି ସମୟ ରହିଥିବା ବେଳେ ବାହାର ରାଜ୍ୟରୁ ଆସିଥିବା କହି ଗ୍ରାମାବସୀ ଗ୍ରାମରେ ଥିବା ନିରଞ୍ଜନ ଭୋଇ ଉଚ୍ଚ ବିଦ୍ୟାଳୟରେ କରା ଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ କହିଥିଲେ । ସେ ଅନୁଯାୟୀ ଟିକେମଣି ଓ ଗୋଲାପି ଗ୍ରାମର ସଙ୍ଗରୋଧ କେନ୍ଦ୍ରରେ ୧୭ ତାରିଖରୁ ରହିଥିଲେ ।

୧୮ ତାରିଖ ଟିକେମଣିକୁ ଜ୍ବର ହେବା ସହିତ ଅସୁସ୍ଥତା ଅନୁଭବ କରିଥିଲେ ଟିକେମଣି । ତେବେ ସଙ୍ଗରୋଧରେ ନାମକୁ ମାତ୍ର ଚିକିତ୍ସା କରା ଯାଇଥିଲା । ୧୯ ତାରିଖରେ ଟିକେଶ୍ବରଙ୍କୁ ଜ୍ବର ସହ ଝାଡା ମଧ୍ୟ ହୋଇଥିଲା । ୨୦ ତାରିଖରେ ତାଙ୍କୁ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରା ଯାଇଥିଲା । ସେଠାରେ ମଧ୍ୟ ଟିକେଶ୍ବର ଭଲ ହୋଇ ନ ଥିଲେ । ପର ଦିନ ୨୧ ତାରିଖରେ ବଲାଙ୍ଗୀର ସ୍ଥିତ ଭୀମ ଭୋଇ ମେଡକାଲ କଲେଜ ଓ ହସପିଟାଲକୁ ନିଆ ଯାଇଥିଲା ଏବଂ ପରେ ବୁର୍ଲା ମେଡିକାଲକୁ ୨୨ ତାରିଖ ରାତିରେ ନିଆ ଯାଇଥିଲା । ସେଠାରେ ପହଞ୍ଚିଥିବା ପରେ କିଛି ସମୟ ମଧ୍ୟରେ ରାତିରେ ଟିକେମଣିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଶନିବାର ମୃତ ଦେହ ପହଞ୍ଚିଥିବା ବେଳେ ନିଜ ଗ୍ରାମ ଖୁଣ୍ଟସମଲାଇକୁ ଅଣା ଯାଇଥିବାରୁ ଗ୍ରାମରେ ଅଶାନ୍ତ ପରିବବେଶ ସୃଷ୍ଟି ହୋଇଥିଲା ।

ଗ୍ରାମାବାସୀ ଉତ୍ତେଜିତ ହୋଇ ସଙ୍ଗରୋଧ କେନ୍ଦ୍ର ପଟକୁ ଯାଇ ଭାଙ୍ଗି ଦେବା ନେଇ ଦୌଡୁଥିଲେ । ଏହା ଦେଖି ସମିତିସଭ୍ୟ ଜୟନ୍ତ କୁମ୍ଭାର ପହଞ୍ଚି ବୁଝାସୁଝା କରିଥିବା ଜଣାପଡିଛି । ଏହା ପରେ ସେ ପୁଲିସକୁ ଖବର ଦେଇବାରୁ ଘଟଣା ସ୍ଥଳକୁ ଘଟଣା ସ୍ଥଳକୁ ଡା. ସୁଜଲ ମେହେର, ଏସଡିପିଓ ସୁରେଶ କୁମାର ନାଏକଙ୍କ ସହିତ ପୁଲିସ କର୍ମଚାରୀ, ଉପଖଣ୍ଡ ଡାକ୍ତରଖାନାର ଅଧିକ୍ଷକ ଡା. ଦିଲିପ କୁମାର ବିଶ୍ବାଳ ଓ ସରପଞ୍ଚ ଭୁବନେଶ୍ବର ମେହେର ପହଞ୍ଚିଥିଲେ ।

ସେଠାରେ ଟିକେମଣିଙ୍କ ବଡ ପୁଅ ଘାସିରାମ ତଅଁଲା ସେମାନଙ୍କୁ ମୋ ବାପା ଭଲରେ ଥିଲେ, ଆମକୁ ନ ଜଣାଇ ଡାକ୍ତରଖାନା ନେଲ, ମୋ ମାଁର ଆଖି ଭଲ ଭାବେ ଦେଖା ଯାଉନି, ସେ ଅବସ୍ଥାରେ ଆପଣ ମାନେ ମୋତେ କାହିଁକି ଖବର ଦେଲେ ନୋହିଁ ବୋଲି କହି ଉତ୍ତେିତ ହୋଇଥିଲେ । ଏହା ସହିତ ସଙ୍ଗରୋଧ କେନ୍ଦ୍ରରେ ଥିବା ସମସ୍ତ ଅନ୍ତେବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆ ଯାଉ ନ ଥିବା ନେଇ ଅଭିଯୋଗ କରିଥିଲେ । ସେଠାରେ ଗ୍ରାମାବସୀ ଓ ମୃତକ ଟିକେମଣିଙ୍କ ପରିବାରବର୍ଗଙ୍କୁ ସଭିଏଁ ବୁଝାଇଥିବା ବେଳେ ଡା. ବିଶ୍ବାଳ ଟିକେମଣିଙ୍କୁ ପୂର୍ବରୁ ସେଫ୍ଯିସେମିଆ ରହିଥଇବା ଓ ସେଥି ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ନେଇ କହିବାରୁ ପରିସ୍ଥିତି ଶାନ୍ତ ହୋଇଥିବା ଜଣାପଡିଛି । ତେବେ ବାପାର ମୃତ୍ୟୁ ଖବର ପାଇ ସାନ ପୁଅ ଧନମତ ରାୟଗଡରୁ ନିଜ ଗ୍ରାମକୁ ଫେରିବା ପରେ ସନ୍ଧ୍ୟାରେ ଅନ୍ତେଷ୍ଟି କରା ଯାଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର