ପୁରୁଣା ପେନ୍‌ସନ୍‌ ଦାବି; ସଂସଦ ଘେରିବାକୁ ଓଡ଼ିଶାରୁ ଯିବେ ଲକ୍ଷେ

ଭୁବନେଶ୍ବର : ୨୦୦୫ରେ ସରକାର ଲାଗୁ କରିଥିବା ନୂତନ ପେନ୍‌ସନ୍‌ ଯୋଜନାକୁ ବିରୋଧ କରିବା ସହ ପୁରୁଣା ପେନ୍‌ସନ୍‌ ଯୋଜନା ଲାଗୁ କରିବା ପାଇଁ ‘ଜାତୀୟ ଆନ୍ଦୋଳନ ପୁରୁଣା ପେନ୍‌ସନ୍‌ ଯୋଜନା’ ପକ୍ଷରୁ ଦାବି ହୋଇଛି। ଏହି ଦାବି ନେଇ ନଭେମ୍ବର ୨୬ ତାରିଖ ଦିନ ସଂସଦ ଘେରାଉ କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଯୋଗ‌ ଦେବାପାଇଁ ରାଜ୍ୟରୁ ଲକ୍ଷେ ଲୋକ ସପରିବାର ଯିବା ପାଇଁ ପ୍ରସ୍ତୁତ ହେଉଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଓଡ଼ିଶା କର୍ମଚାରୀ ମହାମଞ୍ଚ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆନ୍ଦୋଳନର ନେତୃତ୍ବ ନେଉଥିବା ନେତୃବୃନ୍ଦ ଏପରି ସୂଚନା ଦେଇଛନ୍ତି। ଏଥିପାଇଁ ରାଜ୍ୟ ନେତାମାନଙ୍କୁ ନେଇ ଏକ ୮ ଜଣିଆ କମିଟି ଗଠିତ ହୋଇଛି। କମିଟିରେ ଅକ୍ଷୟ ମଲ୍ଲିକ, ସୁଶାନ୍ତ ବେହେରା, ପ୍ରମୋଦ ଭଞ୍ଜ, ବଙ୍କିମ ଚନ୍ଦ୍ର ସାଗର, ପୂର୍ଣ୍ଣଚନ୍ଦ୍ର ଆଇଚ, ବିଜୟ ମଲ୍ଲ, ରବୀନ୍ଦ୍ର ପ୍ରଧାନ ଓ ଇଫ୍ତକାର ଅହମ୍ମଦ ରହିଛନ୍ତି। ଏକ ଶୋଭାଯାତ୍ରାରେ ଯାଇ ସେମାନେ ସଂସଦ ଘେରାଉ କରିବେ ବୋଲି କହିଛନ୍ତି।ଦାବି ପୂରଣ ନ ହେଲେ ୨୮ ତାରିଖ ଦିନ ସମସ୍ତ ସାଂସଦଙ୍କ ବାସଭବନ ସମ୍ମୁଖରେ ଧାରଣା ଦିଆଯିବା ସହ ଆମରଣ ଅନଶନ କରାଯିବ ବୋଲି ସଂଘ ଘୋଷଣା କରିଛି। ରାଜ୍ୟରେ ନୂତନ ପେନ୍‌ସନ୍‌ ଯୋଜନାରେ ୧ଲକ୍ଷ ୪୦ ହଜାର କର୍ମଚାରୀ କ୍ଷତିଗ୍ରସ୍ତ ହେଉଥିବା ସଂଘ କହିଛି।

ସମ୍ବନ୍ଧିତ ଖବର