ପୁରୁଣା ନଳକୂପରେ କେନ୍ଦ୍ର ମନ୍ତ୍ରୀଙ୍କ ନୂଆ ଫଳକ

ରାଉରକେଲା : ପଚିଶ ବର୍ଷ ତଳର ପୁରୁଣା ନଳକୂପରେ ୨୦୧୪-୧୫ ବର୍ଷର ନୂଆ ଫଳକ! ତା’ ବି ଲାଗିଛି ଗତ ଗୁରୁବାର ଦିନ। ସବୁଠାରୁ ଚର୍ଚ୍ଚିତ କଥାଟି ହେଲା, ଫଳକରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ୨୦୧୪-୧୫ ଆର୍ଥିକ ବର୍ଷର ସାଂସଦ ପାଣ୍ଠିରେ ନଳକୂପ ସ୍ଥାପିତ ହୋଇଥିବା ଉଲ୍ଲେଖ ରହିଛି। ବନ୍ଧମୁଣ୍ଡା ଡି କେବିନ ବଜରଙ୍ଗବଳୀ ମନ୍ଦିର ନିକଟ ନଳକୂପରେ ଲାଗିଥିବା ଏଭଳି ଫଳକ ଏବେ ଚର୍ଚ୍ଚାର ଖୋରାକ ଯୋଗାଇଛି। କେବଳ ବଜରଙ୍ଗବଳୀ ମନ୍ଦିର ନୁହେଁ, ଡି କେବିନସ୍ଥିତ ଜୟହୀନ୍ଦ କ୍ଲବ ପଛ ବସ୍ତି, ସେକ୍ଟର-ଡି କଲେଜ ପାଖ ବସ୍ତି ସହ ବନ୍ଧମୁଣ୍ଡା ଅଞ୍ଚଳର ୭ଟି ଅତି ପୁରୁଣା ନଳକୂପରେ ବି ଏଭଳି ନୂଆ ଫଳକ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଚକିତ। ତେବେ କାହା ନିର୍ଦ୍ଦେଶରେ କେଉଁମାନେ ଏହା କରିଛନ୍ତି, ତାହା ଜଣାପଡ଼ି ନାହିଁ। ଅନ୍ୟପଟେ ଏଥିରେ ବନ୍ଧମୁଣ୍ଡା ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଫଳକ ପଛରେ ଦୁର୍ନୀତି ଥିବା ସେମାନେ ଅଭିଯୋଗ କରିଛନ୍ତି। ପୁରୁଣା ନଳକୂପକୁ ଦେଖାଇ ନୂଆ ନଳକୂପର ଅର୍ଥ ହଡ଼ପ କରିବାର ଏହା ସୁଚିନ୍ତିତ ମସୁଧା ବୋଲି ସେମାନେ କହିଛନ୍ତି। ସୂଚନା ଅନୁସାରେ ଗତ ଗୁରୁବାର ଦିନ ୪ ଜଣ ଯୁବକ ବନ୍ଧମୁଣ୍ଡା ଆସି ନଳକୂପଗୁଡ଼ିକରେ ଚଟାପଟ ଫଳକ ଲଗାଇ ଚାଲି ଯାଇଥିଲେ। ଲୋକେ ଯାଇ ଦେଖିଲା ବେଳକୁ ତାହା ୨୦୧୪-୧୫ ବର୍ଷର ନୂଆ ଫଳକ ଥିଲା। ବଜରଙ୍ଗବଳୀ ମନ୍ଦିର ମନ୍ଦିର ନିକଟରେ ଘର କରି ରହୁଥିବା ଧିରେନ ମଲ୍ଲିକଙ୍କ କହିବା ଅନୁସାରେ ୨୫ ବର୍ଷ ତଳେ ତାଙ୍କ ବିବାହ ବର୍ଷରେ ସେଠାରେ ନଳକୂପଟି ଖୋଳା ଯାଇଥିଲା। ସେହିପରି ଅନ୍ୟ ନଳକୂପ ବି ୧୫ରୁ ୨୦ ବର୍ଷର ପୁରୁଣା। ତେବେ କେଉଁ ପରିସ୍ଥିତିରେ କାହା ନିର୍ଦ୍ଦେଶରେ ପୁରୁଣା ନଳକୂପରେ କେନ୍ଦ୍ରମନ୍ତ୍ରୀଙ୍କ ନାମରେ ନୂଆଫଳକ ଲାଗିଲା, ତୁରନ୍ତ ତଦନ୍ତ କରି ତା’ ପଛର କାରଣ ପଦାକୁ ଆଣିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର