ବୃଦ୍ଧାଙ୍କୁ ଝୁଣି ଖାଇଗଲେ ବୁଲା କୁକୁର

ଦଶପୁର/ ଗୋଲାମୁଣ୍ତା : କଳାହାଣ୍ଡି ଜିଲ୍ଲାରେ ବୁଲା କୁକୁର କାମୁଡ଼ାରେ ପୁଣି ଏକ ଜୀବନ ଯାଇଛି। ଶନିବାର ଦଳେ ବୁଲା କୁକୁର ଜଣେ ବୃଦ୍ଧାଙ୍କୁ ଗୋଡ଼ାଇ କାମୁଡ଼ିବା ସହ ଝୁଣି ଖାଇ ଯାଇଛନ୍ତି। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ପଂଚାୟତ ବାଞ୍ଜିବାହାଲ ଗ୍ରାମରେ। ଏହି ଘଟଣା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି।

ଶନିବାର ଦିନ ପ୍ରାୟ ୧୧ଟା ସମୟରେ ଏହି ଗ୍ରାମର ଭୂମିସୁତା ମାଝୀ(୫୮) ବାହାରକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ପ୍ରାୟ ୧୫ଟି ବୁଲା କୁକୁର ତାଙ୍କୁ ଆକ୍ରମଣ କରିଥିଲେ। କୁକୁରମାନେ ବୃଦ୍ଧାଙ୍କ ଗଳା, ହାତ, ପେଟକୁ କାମୁଡ଼ି କାମୁଡ଼ି ଖାଇ ଯାଇଥିଲେ। ପରିବାର ଲୋକେ ଖବର ପାଇ ଆସିବା ବେଳେ ଭୂମିସୁତାଙ୍କ ମୃତ୍ୟୁ ହୋଇଥିଲା। ଦଶପୁର ପଂଚାୟତର ଇଓ ଭୀଷ୍ମ ମେହେର, ସରପଞ୍ଚ ଝଜ ମାଝୀ, ନାଏବ ସରପଞ୍ଚ ଦୁବର୍ଣ୍ଣ ମେହେର ପହଞ୍ଚି ପରିବାର ଲୋକଙ୍କୁ ସାନ୍ତ୍ବନା ଦେବା ସହ ହରିଶଚନ୍ଦ୍ର ଯୋଜନାରୁ ଏକ ହଜାର ଟଙ୍କା ସହାୟତା ଦେଇଥିଲେ ବୋଲି ସେହି ଗାଁର ୱାର୍ଡସଭ୍ୟ ଚନ୍ଦ୍ର ଶେଖର ମାଝୀ ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି, ଗତ ମାର୍ଚ୍ଚ ମାସ ୩୧ ତାରିଖ ଦିନ ଦଶପୁର ଫାଣ୍ତି ଅନ୍ତର୍ଗତ ଧାମନପୁର ଗ୍ରାମପ‌ଞ୍ଚାୟତର ଦେଝର ଗ୍ରାମରେ ବୁଲା କୁକୁରଙ୍କ କାମୁଡ଼ାରେ ଜଣେ ସାତ ବର୍ଷର ବାଳିକାଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର