ଦୁଇ ସ୍ତ୍ରୀଙ୍କୁ ହତ୍ୟା ପରେ ବୃଦ୍ଧଙ୍କ ଆତ୍ମହତ୍ୟା!

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଶଙ୍ଖାଭଙ୍ଗା ପଞ୍ଚାୟତର ତାଡ଼କିଶୋଳ ଗ୍ରାମର ତଳସାହିରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ସମୟରେ ପ୍ରଥମେ ନିଜର ଦୁଇ ସ୍ତ୍ରୀଙ୍କୁ ଏକ ବଡ଼ ହାତୁଡ଼ିରେ ପିଟି ନିର୍ମମ ଭାବେ ହତ୍ୟା କରିବା ପରେ ଜଣେ ୬୦ ବର୍ଷୀୟ ବୃଦ୍ଧ ନିଜ ଘର ଆଗରେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସକାଳୁ ସ୍ଥାନୀୟ ଲୋକ ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସକୁ ସୂଚନା ଦେଇଥିଲେ। ମୃତକମାନେ ହେଲେ ତାଡ଼କିଶୋଳ ଗାଁ ତଳସାହିର ଶ୍ୟାମ ମାର୍ଣ୍ଡି(୬୦), ଶ୍ୟାମଙ୍କ ପ୍ରଥମ ପତ୍ନୀ ଫୁଲମଣି ମାର୍ଣ୍ଡି(୪୭) ଏବଂ ୨ୟ ପତ୍ନୀ ତଥା ଫୁଲମଣିର ଭଉଣୀ ସାଲ୍‌ଖୁ ମାର୍ଣ୍ଡି(୪୧)। ଏହି ଘଟଣା ସମ୍ପର୍କରେ ମୃତ ଶ୍ୟାମଙ୍କ ଶଳା ସୁନାରାମ ମୁର୍ମୁ ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇ ବାରିପଦା ସଦର ଏସଡିପିଓ କୃଷ୍ଣ ପ୍ରସାଦ ପଟ୍ଟନାୟକ, ଥାନା ଅଧିକାରୀ ସ୍ୱର୍ଣ୍ଣଲତା ମିଞ୍ଜଙ୍କ ସମେତ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଥିଲେ। ଏକ କୋଠରୀ ଭିତରେ ଓ ଘର ପିଣ୍ଡାରେ ଦୁଇ ଜଣ ମହିଳାଙ୍କ ଶବ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ତଦନ୍ତ ପରେ ପୁଲିସ ୩ଟି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପିଆରଏମ ମେଡିକାଲ କଲେଜକୁ ପଠାଇଦେଇଛି। ହତ୍ୟାକାଣ୍ଡରେ ବ୍ୟବହୃତ‌ ରକ୍ତଲଗା ହାତୁଡ଼ି ଜବତ ହୋଇଛି।

ଶ୍ୟାମ ହିଁ ଦୁଇ ପତ୍ନୀଙ୍କ ହତ୍ୟାକାରୀ ବୋଲି ପୁଲିସ ସନ୍ଦେହ କରୁଛି। ତେବେ ଶ୍ୟାମର ଶଳା ସୁନାରାମଙ୍କ କହିବା ଅନୁସାରେ, ଶ୍ୟାମର ଶରୀର ଭଲ ରହୁନଥିବାରୁ ସେ ଓ ତାର ପରିବାର ପ୍ରାୟ ୨ ମାସ ପୂର୍ବେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। ଶ୍ୟାମଙ୍କ ପରିବାର କହିଲେ ପ୍ରଥମ ସ୍ତ୍ରୀ ଓ ତାଙ୍କର ୨ ଝିଅ ଏବଂ ୨ୟ ସ୍ତ୍ରୀଙ୍କ ଔରସରୁ ଗୋଟିଏ ଝିଅ ଓ ଗୋଟିଏ ପୁଅ। ସମସ୍ତ ଝିଅ ବିବାହ କରିସାରିଥିବା ବେଳେ ଏକମାତ୍ର ପୁଅ ଗୁଜୁରାଟରେ ରହି କାମ କରନ୍ତି। ତେଣୁ ଘରେ କେବଳ ଶ୍ୟାମ ଏବଂ ତାଙ୍କର ୨ ପତ୍ନୀ ବାସ କରନ୍ତି। ତେବେ ହଠାତ୍‌ କଣ ପାଇଁ ଶ୍ୟାମ ଏମିତି କାଣ୍ଡ ଭିଆଇଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାରିପଦା ସଦର ଥାନାରେ ଏନେଇ ୪୮/୧୯ରେ ମାମଲା ରୁଜୁ ହୋଇଛି। ତେବେ ଏହି ଘଟଣାର ସମସ୍ତ ଦିଗକୁ ପୁଲିସ୍‌ ପକ୍ଷରୁ ଛାନ୍‌ଭିନ କରାଯାଉଥିବା ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର