ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ବେଳାଭୂମିରେ ଅଲିଭ୍ ରିଡ୍ଲେଙ୍କ ଗଣ ଅଣ୍ଡାଦାନ ଜାରି ରହିଛି। ଷଷ୍ଠ ଦିନରେ ୩୦ ହଜାର୧୧୭ ଅଲିଭ୍ ରିଡ୍ଲେ ଅଣ୍ଡା ଦାନ କରିଥିବା ବନବିଭାଗ ସୂତ୍ରରୁ ଜଣାପଡ଼ିଛି। ଏହାକୁ ମିଶାଇ ଏ ବର୍ଷ ବର୍ତ୍ତମାନ ସୁଦ୍ଧା ସମୁଦାୟ ୩ ଲକ୍ଷ ୦୮ ହଜାର ୯୧୭ ଅଲିଭ୍ ରିଡ୍ଲେ ଅଣ୍ଡାଦାନ କରିସାରିଲେଣି। ମୁହାଣର ୫ କିମି ବ୍ୟାପୀ ବେଳାଭୂମିରେ ଏହି ଗଣ ଅଣ୍ଡାଦାନ ଜାରି ରହିଛି।
ଚଳିତ ବର୍ଷ ନଭେମ୍ବର ୧ତାରିଖରୁ ୨୦ତାରିଖ ସୁଦ୍ଧା ସମୁଦାୟ ୩୩୮ଟି କଇଁଛ ବେଳାଭୂମିରେ ଅଣ୍ଡା ଦେଇଥିଲେ। ଗତ ୧୫ ତାରିଖରୁ ପାଗ ଅନୁକୂଳ ଯୋଗୁଁ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବାର ସଙ୍କେତ ମିଳିଥିଲା। ଗତ ୨୦ ତାରିଖ ଭୋର୍ ୩ଟା ୧୦ରେ ନୂଆ ପୋଡ଼ମ୍ପେଟାଠାରୁ ପୁରୁଣାବନ୍ଧ ୩ କିମି ବେଳାଭୂମିରେ ୨ହଜାର ୩୪ ଅଲିଭ୍ ରିଡ୍ଲେ ଅଣ୍ଡାଦାନ କରିଥିଲେ। କିନ୍ତୁ ୨୧ତାରିଖ ଦିନ ବେଳେ ବିରଳ ଘଟଣା ଦେଖିବାକୁ ମିଳିଥିଲା। ହଜାର ହଜାର କଇଁଛ ବେଳାଭୂମିରେ ଅଣ୍ଡା ଦେଇଥିଲେ। ଏଥିସହ ପ୍ରଥମ ଥର ପାଇଁ ଏହି ଦିନ ଗଞ୍ଜାମ ଉପୂକଳରେ ଗୋଟିଏ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ‘ଆଲବିନୋ’ ଦେଖିବାକୁ ମିଳିଥିଲା। ୨୦ ତାରିଖ ରାତି ଓ ୨୧ତାରିଖ ଦିନରେ ସମୁଦାୟ ୪୮ହଜାର ୮୬୧ଟି କଇଁଛ ଅଣ୍ଡା ଦେଇଥିଲେ। ୨୧ତାରିଖ ରାତି ତମାମ୍ ୫୦,୧୬୬ଟି କଇଁଛ ଅଣ୍ଡା ଦେଇଥିଲେ। ୨୨ ତାରିଖ ଅପରାହ୍ଣ ୩ଟାରୁ ପୁଣି ଅଲିଭ ରିଡ଼୍ଲେଙ୍କ ଗଣ ଅଣ୍ଡାଦାନ ଆରମ୍ଭ ହୋଇ ରାତି ମଧ୍ୟରେ ୭୨ହଜାର ୮୫୦ଟି କଇଁଛ ଅଣ୍ଡା ଦେଇଥିଲେ। ୨୩ ତାରିଖ ରାତିରେ ୩୪ହଜାର ୪୮୩, ୨୪ତାରିଖରେ ୭୨ହଜାର ୧୪୨ଟି ଏବଂ ୨୫ତାରିଖରେ ୩୦ ହଜାର ୧୭୭ଟି ଅଲିଭ୍ ରିଡ଼୍ଲେ ଅଣ୍ଡା ଦେଇଥିବା ଜଣାପଡ଼ିଛି।
ଗୋଟିଏ ଅଲିଭ୍ ରିଡ଼୍ଲେ ଶହେରୁ ୧୮୦ ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି। ଚଳିତ ବର୍ଷ ଏକ ମାସ ବିଳମ୍ବରେ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରୟାଗୀଠାରୁ ବଟେଶ୍ବର ପର୍ଯ୍ୟନ୍ତ ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ନୂଆ ପୋଡ଼ମ୍ପେଟାଠାରୁ ପୁରୁଣାବନ୍ଧ ମଧ୍ୟରେ ପୁଲିସ ଫୋର୍ସ ମୁତୟନ ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/rushikulya.jpg)