ରାଜନଗର : ଓଡ଼ିଶା ଉପକୂଳ ଗହୀରମଥା ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ଏନ୍ତୁଡିଶାଳ ରୂପେ ପରିଚିତ। ଏହି ବିଲୁପ୍ତପ୍ରାୟ କଇଁଛଙ୍କ ସୁରକ୍ଷା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଏହି କଇଁଛଙ୍କ ସୁରକ୍ଷାରେ ଫାଙ୍କ ରହି ଯାଉଛି। ବ୍ୟାପକ କଟକଣା ସତ୍ତ୍ୱେ ବେଆଇନ ଟ୍ରଲର ଚଳାଚଳ ବନ୍ଦ ହୋଇପାରୁନାହିଁ। ଟ୍ରଲର୍ ମାଡ଼ରେ ହଜାରହଜାର କଇଁଛ ମୃତ୍ୟୁମୁଖରେ ପଡ଼ିବା ଉଦ୍ବେଗର ବିଷୟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ନଭେମ୍ବର ପହିଲାରୁ ବନବିଭାଗ, କୋଷ୍ଟଗାର୍ଡ, ମତ୍ସ୍ୟବିଭାଗ, ସାମୁଦ୍ରିକ ଥାନା ପକ୍ଷରୁ ମିଳିତ ପଇଁତରା କଡ଼ାକଡ଼ି କରାଯାଉଛି । ଚାରିଚାରିଟି ବିଭାଗର ମିଳିତ ପଇଁତରା ବି ପ୍ରଭାବଶୂନ୍ୟ ସାବ୍ୟସ୍ତ ହୋଇଛି। ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ଚଳାଚଳ କରୁଥିବା ଟ୍ରଲର ମାଡ଼ରେ ହଜାରହଜାର କଇଁଛ ମରି କୂଳରେ ଲାଗୁଛନ୍ତି। ଏହି ଘଟଣା ପରିବେଶବିତ୍ମାନଙ୍କ ମଧ୍ୟରେ ଉଦ୍ବେଗ ସୃଷ୍ଟି କରିଛି। କଇଁଛଙ୍କ ଆଗମନ ବର୍ଷକୁ ବର୍ଷ ହ୍ରାସ ପାଉଥିଲେ ହେଁ ମୃତ୍ୟୁହାର ରୋକାଯାଇ ପାରୁନାହିଁ। ଅଲିଭ୍ରିଡ୍ଲେଙ୍କ ଆଗମନ ହ୍ରାସ ପାଇଲେ ଓଡ଼ିଶା ଉପକୂଳରେ ଏହା ଦିନେ ସ୍ୱପ୍ନ ପାଲଟିବେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ସୂଚନା ଥାଉ କି, ବରୁଣେଇ ମୁହାଣ, ପେଣ୍ଠ, ସାତଭାୟା, ଗହୀରମଥା ଓ ବାବୁବାଲିଠାରେ ଶହଶହ ମଲା କଇଁଛ କୂଳରେ ଲାଗୁଥିବା ଦେଖିବାକୁ ମିଳୁଛି। ବନବିଭାଗ ଖାତାରେ ଏ ବର୍ଷ ମାତ୍ର ୩ଶହ ଅଲିଭ୍ରିଡ୍ଲେ କଇଁଛଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ହେଲେ, ପ୍ରକୃତପକ୍ଷେ ଏହି ସଂଖ୍ୟା ୫ହଜାରରୁ ଉର୍ଦ୍ଧ୍ୱ ହେବ ବୋଲି ଅଭିଯୋଗ ହୋଇଛି। ୧୯୭୫ ମସିହାରୁ ଗହୀରମଥା ଉପକୂଳରେ ୧୦ କିମି ବାଲୁକା ଶଯ୍ୟାରେ ଏହି ବିରଳ ବିଦେଶୀ କଇଁଛମାନଙ୍କ ପ୍ରଥମ ସମୂହ ଅଣ୍ଡାଦାନ ପ୍ରକ୍ରିୟା ନଜରକୁ ଆସିଥିଲା। ସେହିଦିନ ଠାରୁ ଅଲିଭ୍ରିଡ୍ଲେଙ୍କ ଆଗମନ, ମିଳନ ଓ ସମୂହ ଅଣ୍ଡାଦାନ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ପାଇଁ କୌତୁହଳର ବିଷୟ ହୋଇ ରହିଆସିଛି।
ଚଳିତ ବର୍ଷ ଗହିରମଥାର ବାବୁବାଲି, ଅଗରନାସୀ-୧, ନାସୀ-୨, ହବାଳିଖଟି, ବରୁଣେଇ, ପେଣ୍ଠ ସଂଲଗ୍ନ ବଙ୍ଗୋପସାଗରର କୂଳରେ ଅଲିଭ୍ରିଡ୍ଲେ ଭିଡ଼ ଜମାଇଛନ୍ତି। କୂଳଠାରୁ ୨ରୁ ୪ଶହ ମିଟର ମଧ୍ୟରେ ୨ଲକ୍ଷରୁ ଊର୍ଦ୍ଧ୍ୱ କଇଁଛ ମାସେ ହେଲା ଏକାଠି ହୋଇଥିଳେ ହେଁ ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଉନାହାନ୍ତି। ୨୦୦୭-୦୮, ୨୦୧୩-୧୪ରେ କଇଁଛମାନେ କୂଳକୁ ଲକ୍ଷାଧିକ ସଂଖ୍ୟାରେ ଆସି ମଧ୍ୟ ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇ ନ ଥିଲେ। ୨୦୧୫-୧୬ରେ ୫ଲକ୍ଷରୁ ଉର୍ଦ୍ଧ୍ୱ କଇଁଛ ଅଣ୍ଡା ଦେବା ପାଇଁ ସମୁଦ୍ର କୂଳରୁ ୫ଶହ ମିଟର ମଧ୍ୟରେ ଭିଡ଼ ଜମାଇଥିଲେ। ହେଲେ, ମାତ୍ର ୫୧ହଜାର ୭୪୮ କଇଁଛ ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।
ଅଲିଭ୍ରିଡ୍ଲେଙ୍କ ସୁରକ୍ଷା ପାଇଁ ପଇଁତରା ବ୍ୟବସ୍ଥା କଡାକଡି କରିବା ନିମନ୍ତେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି। ହେଲେ, ସବୁ ଫେଲ୍ ମାରୁଛି। ଦେଶୀ ଓ ବିଦେଶୀ ଟ୍ରଲରଙ୍କ ଅବାଧ ଚଳାଚଳ ବଢି ଚାଲିଛି। ଏହା ସୁରକ୍ଷା ବ୍ୟବସ୍ଥାରେ ଥିବା ଫାଙ୍କକୁୁ ପଦାରେ ପକାଇ ଦେଇଛି। ବନବିଭାଗ ଓ ଟ୍ରଲର ମାଲିକଙ୍କ ମଧ୍ୟରେ ବିଭିନ୍ନ ସମୟରେ ସଲାସୁତୁରା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ଆଜିସ୍ୁଦ୍ଧା ବନବିଭାଗର ପାଟ୍ରୋଲିଂ ଟିମ୍ ୫୪ଟି ଟ୍ରଲର ଜବତ କରିଥିବା ବେଳେ ୩୧୦ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ପ୍ରତିଦିନ ଶହଶହ ସଂଖ୍ୟକ ଟ୍ରଲର ମାଛ ମାରୁଥିବା ମାତ୍ର ୫୪ଟି ଜବତ କରାଯିବା ଘଟଣା ପାଟ୍ରୋଲିଂ ନାଁରେ ଚାଲିଥିବା ପ୍ରହସନକୁ ପଦାରେ ପକାଇଛି।