ଅଲିଭ୍‌ ରିଡ୍‌ଲେଙ୍କ ମନପସନ୍ଦର ସ୍ଥାନ ଓଡ଼ିଶା ଉପକୂଳ : ତେବେ ପୁରୀ, ଚିଲିକା ଉପକୂଳ ନର୍କ

୨୦୧୭ରେ ଓଡ଼ିଶା ଆସିଥିଲେ ୧୧ ଲକ୍ଷ ୨୦ ହଜାର ଅଲିଭ୍‌ ରିଡ୍‌ଲେ

ଭୁବନେଶ୍ବର : ସମଗ୍ର ବିଶ୍ବରେ କଇଁଛଙ୍କ ସଂଖ୍ୟାର ଅର୍ଦ୍ଧାଧିକ କେବଳ ଓଡ଼ିଶା ଉପକୂଳରେ ଦେଖିବାକୁ ମିଳିଥାଏ। ଓଡ଼ିଶା ଉପକୂଳ ଅଲିଭ୍‌ ରିଡ୍‌ଲେଙ୍କ ସ୍ବର୍ଗ ପାଲଟିଛି। ଗତବର୍ଷର ଗଣନା ଅନୁସାରେ, ବିଶ୍ବରେ ୨୦ ଲକ୍ଷ ଅଲିଭ୍‌ ରିଡ୍‌ଲେଙ୍କ ମଧ୍ୟରୁ ୧୧ ଲକ୍ଷ ୨୦ ହଜାର ଓଡ଼ିଶା ଉପକୂଳକୁ ସଂଗମ ଓ ଅଣ୍ଡାଦାନ କରିବାକୁ ଆସିଥିଲେ। ବିଗତ ବର୍ଷ ତୁଳନାରେ ଏହା ରେକର୍ଡ ଭାଙ୍ଗିଥିଲା। ଓଡ଼ିଶା ଉପକୂଳ ଅଲିଭ୍‌ ରିଡ୍‌ଲେଙ୍କ ସ୍ବର୍ଗ ପାଲଟିଥିବା ବେଳେ ପୁରୀ, ଚିଲିକା ଉପକୂଳ ସେମାନଙ୍କ ପାଇଁ ନର୍କ ପାଲଟିଛି। ଗତ ଆଠ ବର୍ଷ ମଧ୍ୟରେ କେବଳ ପୁରୀ ଓ ଚିଲିକା ସମୁଦ୍ର କୂଳରେ ୨୫,୦୪୧ ଅଲିଭ୍‌ ରିଡ୍‌ଲେ ମୃତ୍ୟୁବରଣ କରିଛନ୍ତି। ଗହୀରମଥା, ଦେବୀ ନଦୀ ଓ ଋଷିକୁଲ୍ୟା ମୁହାଁଣ ତୁଳନାରେ ପୁରୀ ଓ ଚିଲିକା ଉପକୂଳରେ କାହିଁକି ଅଲିଭ୍‌ ରିଡ୍‌ଲେ ଏତେ ସଂଖ୍ୟାରେ ମରୁଛନ୍ତି, ତାହା ଚିନ୍ତାର କାରଣ ପାଲଟିଛି।

ପ୍ରତିବର୍ଷ ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେ ସଂଗମ ପାଇଁ ଅଲିଭ୍‌ ରିଡ୍‌ଲେ ଓଡ଼ିଶା ଉପକୂଳକୁ ଆସିଥାନ୍ତି। ପୁନର୍ବାର ମାର୍ଚ୍ଚ ମାସ ବେଳକୁ କେବଳ ମାଈ କଇଁଛମାନେ ସମୁଦ୍ର ଉପକୂଳ ବାଲୁକା ଶଯ୍ୟାକୁ ଅଣ୍ଡା ଦେବାକୁ ଆସିଥାନ୍ତି। ପିସିସିଏଫ୍ (ବନ୍ୟପ୍ରାଣୀ), ଭୁବନେଶ୍ବରର ତଥ୍ୟ ଅନୁସାରେ, ଗତ ୨୦୧୦-୧୧ ବର୍ଷରେ ଓଡ଼ିଶାକୁ ୭.୨୪ ଲକ୍ଷ ଅଲିଭ୍‌ ରିଡ୍‌ଲେ ସମୂହ ଅଣ୍ଡା ଦେବାକୁ ଆସିଥିବା ବେଳେ ୨୦୧୧-୧୨ ବର୍ଷରେ ୫.୬୯ ଲକ୍ଷ, ୨୦୧୨-୧୩ ବର୍ଷରେ ୬.୯୪ ଲକ୍ଷ, ୨୦୧୩-୧୪ ବର୍ଷ‌ରେ ମାତ୍ର ୬୦ ହଜାର,୨୦୧୪-୧୫ ବର୍ଷରେ ୭.୨୨ ଲକ୍ଷ, ୨୦୧୫-୧୬ ବର୍ଷରେ ମାତ୍ର ୫୨ ହଜାର, ୨୦୧୬-୧୭ ବର୍ଷରେ ୯.୭୫ ଲକ୍ଷ ଏବଂ ୨୦୧୭-୧୮ ବର୍ଷରେ ରେକର୍ଡ ପରିମାଣର ୧୧.୧୦ ଲକ୍ଷ ଅଲିଭ୍‌ ରିଡ୍‌ଲେ ସମୂହ ଅଣ୍ଡା ଦେବାକୁ ଆସିଥିଲେ। ଆଶ୍ଚର୍ଯ୍ୟର ବିଷୟ, ୨୦୧୩-୧୪ ଓ ୨୦୧୫-୧୬ ବର୍ଷରେ ଓଡ଼ିଶାକୁ ଆଦୌ କଇଁଛ ଆସି ନଥିଲେ କହିଲେ ଚଳେ। ଏହି ଦୁଇବର୍ଷ ଓଡ଼ିଶାକୁ କଇଁଛ ନ ଆସିବା ଘଟଣାରେ ବନ ବିଭାଗର ନିଦ ହଜି ଯାଇଥିଲା। ତେବେ ପ୍ରତିକୂଳ ପାଣିପାଗ ଓ ପରିବେଶ ଯୋଗୁଁ ସେଇ ଦୁଇବର୍ଷ ଓଡ଼ିଶାକୁ କମ୍‌ ସଂଖ୍ୟାରେ କଇଁଛ ଆସିଥିଲେ ବୋଲି ପ୍ରିନ୍‌ସପାଲ୍‌ ଚିଫ୍‌ କଞ୍ଜରଭେଟର ଅଫ ଫରେଷ୍ଟ (ୱାଇଲ୍‌ଡ଼ ଲାଇଫ) ଡ. ସନ୍ଦୀପ ତ୍ରିପାଠୀ କହିଛନ୍ତି। ଏହାପରଠାରୁ ଓଡ଼ିଶା ଉପକୂଳକୁ କଇଁଛ ଆସିବା ଏବଂ ସେମାନଙ୍କ ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ହାତକୁ ନିଆ‌ଯାଇଛି ବୋଲି ଡ. ତ୍ରିପାଠୀ ସୂଚନା ଦେଇଛନ୍ତି।

ପୁରୀ ଓ ଚିଲିକା ଉପକୂଳରେ ଗହୀରମଥା, ଋଷିକୁଲ୍ୟା ଓ ଦେବୀ ନଦୀ ମୁହାଁଣ ତୁଳନାରେ ଅଧିକ ମାତ୍ରାରେ କଇଁଛ ମରୁଛନ୍ତି। ପରିବେଶବିତ୍‌ ଓ ଜଙ୍ଗଲ ବିଭାଗ ପାଇଁ ଏହା ଏକ ଚେତାବନୀ। ଗତ ୨୦୧୦-୧୧ ବର୍ଷରେ ସମଗ୍ର ଓଡ଼ିଶା ଉପକୂଳ‌ରେ ୩୪୭୩ କଇଁଛଙ୍କର ମୃତ୍ୟୁ ହୋଇଥିବା ବେଳେ କେବଳ ପୁରୀ ଓ ଚିଲିକା ଉପକୂଳରେ ୨୮୦୧ କଇଁଛ ମରିଥିଲେ। ସେହିଭଳି ୨୦୧୧-୧୨ ବର୍ଷରେ ସମଗ୍ର ଓଡ଼ିଶା ଉପକୂଳରେ ୨୩୮୨ ଅଲିଭ୍‌ ରିଡ୍‌ଲେଙ୍କର ମୃତ୍ୟୁ ହୋଇଥିବା ବେଳେ କେବଳ ପୁରୀ-ଚିଲିକା ଉପକୂଳରେ ୧୯୦୨ ଅଲିଭ୍‌ ରିଡ୍‌ଲେ ମରିଥିଲେ। ୨୦୧୨-୧୩ ବର୍ଷରେ ସମଗ୍ର ଓଡ଼ିଶା ଉପକୂଳରେ ୨୭୧୭ ଅଲିଭ୍‌ ରିଡ୍‌ଲେ ମରିଥିବା ବେଳେ ପୁରୀ-ଚିଲିକା ଉପକୂଳରେ ୧୯୭୨ ଅଲିଭ୍‌ ରିଡ୍‌ଲେଙ୍କ ମୃତ୍ୟୁ ହୋଇଥିଲା। ୨୦୧୩-୧୪ ବର୍ଷରେ ସମଗ୍ର ଓଡ଼ିଶା ଉପକୂଳରେ ୩୭୮୭ ଅଲିଭ୍‌ ରିଡ୍‌ଲେଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ-ଚିଲିକା ଉପକୂଳରେ ୨୬୮୪ଙ୍କର ମୃତ୍ୟୁ ହୋଇଥିଲା। ୨୦୧୪-୧୫ ବର୍ଷରେ ସମଗ୍ର ଓଡ଼ିଶା ଉପକୂଳରେ ୫୮୯୯ ଅଲିଭ୍‌ ରିଡ୍‌ଲେଙ୍କର ମୃତ୍ୟୁ ହୋଇଥିବାବେଳେ ୪୩୫୭ଙ୍କର ମୃତ୍ୟୁ ହୋଇଥିଲା। ୨୦୧୫-୧୬ ବର୍ଷରେ ସମଗ୍ର ଓଡ଼ିଶା ଉପକୂଳରେ ୬୯୭୮ କଇଁଛଙ୍କର ମୃତ୍ୟୁ ହୋଇଥିବାବେଳେ କେବଳ ପୁରୀ-ଚିଲିକା ଉପକୂଳ‌ରେ ୪୯୩୯ଙ୍କର ମୃତ୍ୟୁ ହୋଇଥିଲା। ୨୦୧୬-୧୭ ବର୍ଷରେ ସମଗ୍ର ଓଡ଼ିଶା ଉପକୂଳରେ ୫୦୭୯ କଇଁଛଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀ-ଚିଲିକା ଉପକୂଳରେ ୩୫୭୭ଙ୍କର ମୃତ୍ୟୁ ହୋଇଥିଲା। ୨୦୧୭-୧୮ ବର୍ଷରେ ସମଗ୍ର ଓଡ଼ିଶା ଉପକୂଳରେ ୩୭୨୮ କଇଁଛଙ୍କର ମୃତ୍ୟୁ ହୋଇଥିବା ବେଳେ ପୁରୀ-ଚିଲିକା ଉପକୂଳରେ ୧୮୦୯ଙ୍କର ମୃତ୍ୟୁ ହୋଇଥିଲା।

ବନ୍ୟଜୀବ ସଂରକ୍ଷଣ ଆଇନ-୧୯୭୨ ଅନୁସାରେ, ଅଲିଭ୍‌ ରିଡ୍‌ଲେଙ୍କୁ ତଫସିଲ ୧ ପ୍ରାଣୀର ଅନ୍ତର୍ଭୁକ୍ତ କରାଯାଇଛି। ଏଣୁ କଇଁଛ ମାରିବା ଏକ ଗୁରୁତର ଧର୍ତ୍ତବ୍ୟ ଅପରାଧ। ଏଭଳି ନିୟମ ଥିବା ସତ୍ତ୍ବେ ଅଲିଭ୍‌ ରିଡ୍‌ଲେଙ୍କ ପ୍ରତି ଚାରି ଆଡ଼ୁ ବିପଦ ଘନେଇବାରେ ଲାଗିଛି। ମାଛଧରା ଜାଲରେ ଛନ୍ଦି ହୋଇ, କୁକୁର, ବିଲୁଆ, ବନ୍ୟ ବାର୍‌ହାଙ୍କ ପାଟିରେ, ଟ୍ରଲର ମାଡ଼ରେ ଏବଂ ଶିଶୁ ଅବସ୍ଥାରେ କାଉ, ଚିଲ, କଙ୍କଡ଼ାଙ୍କ ପାଟିରେ ପ୍ରତିବର୍ଷ ବହୁ ସଂଖ୍ୟାରେ କଇଁଛଙ୍କ ପ୍ରାଣ ଯାଇଥାଏ। କଇଁଛଙ୍କ ସୁରକ୍ଷା ନେଇ ଜଙ୍ଗଲ ବିଭାଗ ସହିତ ମତ୍ସ୍ୟ ସଂପଦ, ପୁଲିସ ବିଭାଗ ଏବଂ ସ୍ବେଚ୍ଛାସେବୀ ସଂସ୍ଥାମାନଙ୍କ ପକ୍ଷରୁ କଡ଼ା ପ୍ରହରାର ବ୍ୟବସ୍ଥା ଥାଇ ମଧ୍ୟ ସେମାନଙ୍କ ମୃତ୍ୟୁକୁ ରୋକା ଯାଇ ପାରୁନାହିଁ। ଏକ ହିସାବରୁ ଦେଖା ଯାଇଛି ଏକ ହଜାର କଇଁଛ ଶାବକ ମଧ୍ୟରୁ କେବଳ ଜଣେ କଇଁଛ ବଡ଼ ହୋଇ ସମୁଦ୍ରରେ ସୁରକ୍ଷିତ ଜୀବନ ବଞ୍ଚିଥାଏ। ୯୯୯ କଇଁଛଙ୍କୁ ମୃତ୍ୟୁର ସ୍ବାଦ ଚାଖିବାକୁ ପଡ଼ିଥାଏ। ଏଭଳି ସ୍ଥଳେ କଇଁଛଙ୍କ ସୁରକ୍ଷା ସମସ୍ତଙ୍କ ପାଇଁ ବଡ଼ ପ୍ରଶ୍ନବାଚୀ ଠିଆ କରିଛି।

ସମ୍ବନ୍ଧିତ ଖବର