ରାଜନଗର : ବିଶ୍ୱପ୍ରସିଦ୍ଧ ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ଏନ୍ତୁଡିଶାଳ ଗହୀରମଥାରେ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୬ ତାରିଖ ସଂଧ୍ୟାରୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନାସୀ-୨ରେ ଅଣ୍ଡାଦେବା ଆରମ୍ଭ କରିଛନ୍ତିି। ଗୋଟିଏ ଦିନରେ ନାସୀ-୨ରେ ୬ ହଜାର ଅଲିଭ୍ରିଡ୍ଲେ ମୁହାଣର ବାଲୁକା ଶଯ୍ୟା ଉପରକୁ ଆସି ଅଣ୍ଡା ଦେଇଥିବା ପ୍ରାରମ୍ଭିକ ଗଣନାରୁ ଜଣାପଡିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ, ୫ ତାରିଖ ସଂଧ୍ୟାରେ ୨ ଶହ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବାବେଳେ ୬ ତାରିଖ ରାତିରେ ୫ ହଜାର ୬୪୦ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଚଳିତବର୍ଷ ବିଳମ୍ବରେ ହେଲେ ବି ଏହି ବିରଳ ସାମୁଦ୍ରିକ ଜୀବଙ୍କ ଗଣଅଣ୍ଡାଦାନ ପର୍ବ ଗହୀରମଥାରେ ଆରମ୍ଭ ହୋଇଛି।
ଅଲିଭ୍ରିଡ୍ଲେ ଦଳଦଳ ହୋଇ ବାଲୁକା ଶଯ୍ୟାକୁ ଉଠିଆସି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଗଣଅଣ୍ଡାଦାନ ପ୍ରକ୍ରିୟା ଜାରି ରଖିଛନ୍ତିି। କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେଲା ପରେ ଗହୀରମଥାର ନାସୀ ଦ୍ୱୀପ ଠାରୁୁ ୨ଶହ ମିଟର ଦୂରରେ ଥିବା ପ୍ରତିରକ୍ଷା ବିଭାଗ କ୍ଷେପଣାସ୍ତ୍ର ଘାଟିର ଉଜ୍ଜ୍ୱଳ ଆଲୋକ ବନ୍ଦ କରାଯାଇଛି। ବନବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବନ ବିଭାଗର ଜଣେ ରେଞ୍ଜ୍ ଅଫିସରଙ୍କ ନେତୃତ୍ୱରେ ଡେପୁଟି ରେଞ୍ଜର, ଫରେଷ୍ଟର ଏବଂ ୨୦ ଜଣ ସୁରକ୍ଷା କର୍ମଚାରୀ ଅଣ୍ଡାଦେବା ସ୍ଥାନକୁ ଜଗି ରହିଛନ୍ତି। ୩ଟି ଟ୍ରଲର ଓ ୩ଟି ସହାୟକ ବୋଟ୍ ସହାୟତାରେ ସେମାନେ ଗହୀରମଥା ସାମୁୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବେଆଇନ୍ ଟ୍ରଲର ଚଳାଚଳ ଓ ଜଳଦସ୍ୟୁଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।
ପ୍ରକାଶଥାଉକି, ଗହୀରମଥାରେ ୧୯୯୬-୯୭, ୧୯୯୭-୯୮, ୨୦୦୧-୦୨, ୨୦୦୭-୦୮ ଓ ୨୦୧୩-୧୪ ରେ ଗଣଅଣ୍ଡାଦାନ ପ୍ରକ୍ରିୟା ହୋଇନଥିଲା। ଏହି ବିରଳ କଇଁଛ କୂଳକୁ ଆସିଥିଲେ ବି’ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇନଥିଲେ। ହଜାର ହଜାର କଇଁଛଙ୍କ ମୃତ୍ୟୁ ପରେ ଚଳିତବର୍ଷ କଇଁଛମାନେ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେବା ନେଇ ଆଶଙ୍କା ଦେଖାଦେଇଥିଲା। ମାତ୍ର ବିଳମ୍ବ ହେଲେ ବି’ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବାରୁ ପ୍ରାଣୀବିଜ୍ଞାନୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।