ରାଜନଗର : ଗଣ ଅଣ୍ତାଦାନରେ ସାମିଲ ହେଲେ ୫୦ ହଜାର ଅଲିଭରିଡ୍‌ଲେ

ରାଜନଗର : ବିରଳ ଅଲିଭରିଡ୍‌ଲେଙ୍କ ଅନ୍ତୁଡିଶାଳ ଗହୀରମଥାରେ ଏବେ ସମୂହ ଅଣ୍ତାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଣ୍ତାଦାନ ପାଇଁ ପାଗ ଅନୁକୂଳ ନ ଥିଲେ ମଧ୍ୟ କଇଁଛମାନେ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଗତକାଲି ରାତିରେ ୨୦ହଜାର ଓ ଆଜି ୩୦ହଜାର କଇଁଛ ଅଣ୍ତାଦାନ କରି ସାରିଛନ୍ତି।

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ବାବୁବାଲି ଦ୍ବୀପ ନାସୀ-୨ଠାରେ ଗତକାଲି ବିଳମ୍ବିତ ରାତିରୁ ଅଲିଭରିଡଲେଙ୍କ ସମୂହ ଅଣ୍ତାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସାଧାରଣତଃ ସଂଧ୍ୟା ସମୟରୁ ଅଲିଭରିଡଲେ ଅଣ୍ତାଦାନ କରିବା ପାଇଁ ବାଲୁକାଶଯ୍ୟାକୁ ଉଠିଥା’ନ୍ତି। କିନ୍ତୁ ଗତକାଲି ରାତି ପ୍ରାୟ ୧୨ଟା ପରେ ଏହି କଇଁଛମାନେ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ବର୍ଷାପାଗ ଥିବାରୁ ଓ ଗଲା ସପ୍ତାହେ ଧରି ମଝିରେ ମଝିରେ ବର୍ଷା ହେଉଥିବାରୁ ଅଲିଭରିଡଲେ ଏବେ ସମୂହ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହେବେ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ସେଥିପାଇଁ ଗତକାଲି କଇଁଛଙ୍କ ଅଣ୍ତାଦାନ ପ୍ରକ୍ରିୟା ଆରମ୍ଭ ସମୟରେ ସୁରକ୍ଷା ବ୍ୟବସ୍ଥା କରାଯାଇ ନ ଥିଲା। ଆଜି ଭୋର୍‌ରୁ ବନ କର୍ମଚାରୀମାନେ ଅଲିଭରିଡଲେ ନାସୀ-୨ରେ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ଦେଖି ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ଗହୀରମଥା ରେଞ୍ଜ୍‌ ଅଫିସର ସଂଧ୍ୟା ୫ଟାରେ କର୍ମଚାରୀମାନଙ୍କ ସହିତ ଅଣ୍ତାଦାନ ସ୍ଥଳରେ ପହଞ୍ଚିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ପ୍ରାୟ ୨୦ହଜାର ଓ ଆଜି ଦିନ ୪ଟାରୁ ଆଉ ୩୦ହଜାର ଅଲିଭରିଡଲେ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ରିପୋର୍ଟ ଲେଖାହେବା ଭିତରେ ୩୦ହଜାର କଇଁଛ ଅଣ୍ତାଦାନ କରିଥିବା ସୂଚନା ମିଳିଛି। ଗୋଟିଏ କଇଁଛ ୮୦ ରୁ ୧୦୦ ପର୍ଯ୍ୟନ୍ତ ଅଣ୍ତାଦାନ କରୁଛନ୍ତି। ସମୁଦ୍ର ଜଳପତ୍ତନଠାରୁ ୫ଫୁଟ ଦୂରତ୍ବରେ ବେଳାଭୂମିରେ ୩ରୁ ୪ ଫୁଟ ପର୍ଯ୍ୟନ୍ତ ଗାତଖୋଳି କଇଁଛମାନେ ଅଣ୍ତା ଦେଉଛନ୍ତି। ସମୂହ ଅଣ୍ତାଦାନ ପକ୍ରିୟା ଜାରି ରହିଥିବାରୁ ଦ୍ବୀପଠାରୁ ମାତ୍ର ୨ଶହ ଫୁଟ ଦୂରତ୍ବରେ ଥିବା ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗର କଲାମ କ୍ଷେପଣାସ୍ତ୍ର ଘାଟିର ଉଜ୍ଜ୍ବଳ ଆଲୋକକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ରାଜନଗର ବନବିଭାଗର ଅନୁରୋଧ କ୍ରମେ ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉଜ୍ଜ୍ବଳ ଆଲୋକକୁ ବନ୍ଦ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର