ଅଲିଭ୍‌ ରିଡ୍‌ଲେଙ୍କ ‘ବ୍ୟତିକ୍ରମ’ ଅଣ୍ଡାଦାନକୁ ନେଇ ବିଜ୍ଞାନୀଙ୍କ ଆଶଙ୍କା : ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାଭାସ

ବ୍ରହ୍ମପୁର : ଗଞ୍ଜାମ ଋଷିକୁଲ୍ୟା ମୁହାଣରେ ହଜାର ହଜାର ସଂଖ୍ୟାରେ ଅଲିଭ୍‌ ରିଡ୍‌ଲେ ପୁଣିଥରେ ଗଣ ଅଣ୍ଡାଦାନ କରିବାକୁ ପହଞ୍ଚିଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ସତ। କଇଁଛଙ୍କ ଏଭଳି ‘ବ୍ୟତିକ୍ରମ ଅଣ୍ଡାଦାନ’କୁ ପରିବେଶବିତ୍‌ ଓ ଜୀବ ବିଜ୍ଞାନୀମାନେ ଏକ ଅନିୟମିତ ଘଟଣା ବୋଲି କହିଥିବା ବେଳେ କେତେକ ପ୍ରକୃତିବିତ୍‌ ଏହି ‘ବିରଳ’ ଘଟଣାକୁ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ସହ ଜଡ଼ିତ କରିଛନ୍ତି। ନଭେମ୍ବର-ଡିସେମ୍ବର ମାସରେ ସଙ୍ଗମ ପରେ ଫେବ୍ରୁଆରୀ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ଆଡ଼କୁ ଅଲିଭ୍‌ ରିଡ୍‌ଲେ ସାମୂହିକ ଅଣ୍ଡା ଦେବା ପାଇଁ ଋଷିକୁଲ୍ୟା ମୁହାଣକୁ ଆସିଥାନ୍ତି। ଚଳିତ ବର୍ଷ ପ୍ରାୟ ୪ଲକ୍ଷ ୫୦ହଜାର ଅଲିଭ୍‌ ରିଡ୍‌ଲେ ଅଣ୍ଡାଦେଇଥିଲେ। ଗତ ଚାରିି ଦିନ ଧରି ଅଣ୍ଡାରୁ ଛୁଆ ଫୁଟି ସମୁଦ୍ର ମୁହାଁ ହୋଇଛନ୍ତି। ବର୍ତ୍ତମାନ ୩ ଭାଗ ଅର୍ଥାତ୍‌ ୩ କୋଟି କଇଁଛ ଛୁଆ ସମୁଦ୍ରକୁ ଫେରିଛନ୍ତି। ଗଞ୍ଜାମ ଜିଲ୍ଲାର ବନ ଅଧିକାରୀ ଆଶିଷ କୁମାର ବେହେରା କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ୨୦୦୯ ଓ ୨୦୧୨ରେ ଏଭଳି ଘଟଣା ଘଟିଥିଲା। ତେବେ ସେହି ସମୟରେ ଅଣ୍ଡାରୁ ଛୁଆ ଫୁଟିନଥିଲା। ବର୍ତ୍ତମାନ ଛୁଆ ଫୁଟି ସମୁଦ୍ର ମୁହାଁ ହେବାବେଳକୁ ପୁଣିଥରେ ଅଣ୍ଡାଦାନ ଆରମ୍ଭ ହେବା ‘ପ୍ରଥମ’ ଓ ‘ବିରଳ’। ବନ ବିଭାଗର ସୂଚନା ଅନୁସାରେ, ଆଜି ଭୋରରେ ପ୍ରାୟ ୫ହଜାରରୁ ୭ହଜାର କଇଁଛ ଋଷିକୁଲ୍ୟା ମୁହାଣରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ୬ଶହରୁ ୭ଶହ କଇଁଛ ମାତ୍ର ଅଣ୍ଡାଦେଇଛନ୍ତି।

ବିଜ୍ଞାନୀଙ୍କ ଆଶଙ୍କା: ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାଭାସ

ଓଡ଼ିଶା ପରିବେଶ ସୋସାଇଟିର ଅଧ୍ୟକ୍ଷ ତଥା ଜୀବବିଜ୍ଞାନୀ ଡ. ସୁନ୍ଦର ନାରାୟଣ ପାତ୍ରଙ୍କ କହିବାନୁସାରେ, ଏଭଳି ବ୍ୟତିକ୍ରମ ଅଣ୍ଡାଦାନ ପଛରେ ଗ୍ଲୋବାଲ୍‌ ଓ୍ଵାର୍ମିଂ ଓ ସାମୁଦ୍ରିକ କରେଣ୍ଟ୍‌ର ପ୍ରଭାବ ରହିଛି। କେବଳ ଏହାନୁହେଁ ଏହି ଘଟଣା ସହ ପ୍ରାକୃତିକ ବିପର୍ଯ୍ୟୟର ମଧ୍ୟ ସମ୍ପର୍କ ରହିଛି। ୨୦୦୪ରେ ସୁନାମୀ ଏବଂ ଓଡ଼ିଶାର ପ୍ରବଳ ହିଟ୍ଓ୍ଵଭ୍‌, ୨୦୦୬ରେ ଓଡ଼ିଶାରେ ହିଟ୍‌ଓ୍ଵଭ୍‌, ୨୦୦୯ ଓଡ଼ିଶା ବନ୍ୟା, ୨୦୧୨ ପୂର୍ବ-ଉତ୍ତର ଭାରତ ଏବଂ ଓଡ଼ିଶାରେ ଅଦିନିଆ ବର୍ଷା ଆଦି ସମୟରେ ଅଲିଭ୍‌ ରିଡ୍‌ଲେଙ୍କ ଏଭଳି ଅଦିନିଆ ଅଣ୍ଡାଦାନ ପରିଲକ୍ଷିତ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର