ପୁରୀ : ପରିବେଶ ଅସନ୍ତୁଳନର ସାଂଘାତିକ ପ୍ରଭାବ ପୁରୀ ବେଳାଭୂମି ଉପରେ ପଡ଼ିଛି। ବେଳାଭୂମିର ରକ୍ଷଣାବେକ୍ଷଣ ଅଭାବରୁ ସମୁଦ୍ର ଅଶାନ୍ତ ହେବା ସହ କୂଳ ଲଙ୍ଘି ଅନେକ ଆଗକୁ ମାଡ଼ି ଆସିଲାଣି। ଯାହାର ସିଧାସଳଖ ପ୍ରଭାବ ସାମୁଦ୍ରିକ ଜୀବଜନ୍ତୁଙ୍କ ଉପରେ ପଡ଼ିଛି। ବିଶେଷ କରି ବିରଳ ପ୍ରଜାତିର ଅଲିଭ୍ ରିଡ୍ଲେ କଇଁଛଙ୍କ ଉପରେ ଏହାର ଅଧିକ ପ୍ରଭାବ ଦେଖାଦେଇଛି। ପରିଣାମ ସ୍ୱରୂପ ୫ ବର୍ଷ ହେଲାଣି ପୁରୀ ଜିଲ୍ଲାର ଉପକୂଳ ଅଞ୍ଚଳରେ ଆଉ ଅଲିଭ୍ ରିଡଲେଙ୍କୁ ଦେଖିବାକୁ ମିଳୁନି। ବିଗତ ଦୁଇ ବର୍ଷ ହେଲା ଏମାନଙ୍କ ସଂଖ୍ୟା ହାତ ଗଣତିକୁ ଖସି ଆସିଛି। ଯାହାକୁ ନେଇ ପରିବେଶବିତ୍ ଚିନ୍ତାପ୍ରକଟ କରିଛନ୍ତି। ପ୍ରଶାସନ ବେଳାଭୂମିର ସୁରକ୍ଷା ବଦଳରେ ଏହାକୁ ବିଦାରିବା ଆରମ୍ଭ କରିଥିବାରୁ ଏଭଳି ପରିସ୍ଥିତି ଦେଖାଦେଇଛି ବୋଲି ଏମାନେ ମତବ୍ୟକ୍ତ କରିଛନ୍ତି। ଯେଉଁଥି ପାଇଁ ବେଳାଭୂମିର ପ୍ରାକୃତିକ ଶୋଭାରାଜି କ୍ରମେ ନଷ୍ଟ ହେବା ସହ ବିରଳ ଅଲିଭ୍ ରିଡ୍ଲେ ଭଳି ସାମୁଦ୍ରିକ ଜୀବଜନ୍ତୁ ଆଉ ପୁରୀ ଉପକୂଳ ମାଡ଼ୁନାହାନ୍ତି। ଅନେକ କ୍ଷେତ୍ରରେ ସୁରକ୍ଷା ଅଭାବରୁ ଏମାନେ ମୃତ ଅବସ୍ଥାରେ କୂଳରେ ଲାଗୁଛନ୍ତି।
/sambad/media/post_attachments/wp-content/uploads/2019/12/Turtles_EPS1234-300x150.jpg)
ନିକଟରେ ଏକାଧିକ ମଲା ଅଲିଭ୍ ରିଡ୍ଲେ କଇଁଛ କୂଳରେ ଲାଗିବା ଘଟଣା ଏହାକୁ ସତ୍ୟ ବୋଲି ପ୍ରମାଣିତ କରୁଛି। ମୁଖ୍ୟତଃ ନଭେମ୍ବର ଆରମ୍ଭରୁ ପୁରୀ ବେଳାଭୂମି ମୁହାଁ ହୋଇଥାନ୍ତି ଅଲିଭ୍ ରିଡ୍ଲେ। ପ୍ରଥମେ ମାଈ ଓ ପରେ ପରେ ପୁରୁଷ କଇଁଛଙ୍କ ଆଗମନ ହୋଇଥାଏ। ନଭେମ୍ବରରୁ ଡିସେମ୍ବର ଭିତରେ ସମୁଦ୍ର ଭିତରେ ହିଁ ଏମାନଙ୍କ ମିଳନର ପର୍ବ ଆରମ୍ଭ ହୁଏ। ଫେବ୍ରୁଆରି ଶେଷ ଆଡ଼କୁ ଏମାନେ କୂଳକୁ ଆସି ଅଣ୍ଡା ଦେବା ଆରମ୍ଭ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଡିସେମ୍ବର ଶେଷ ହେବାକୁ ବସିଥିଲେ ବି ଅଲିଭ୍ ରିଡ୍ଲେଙ୍କୁ ସେଭଳି ଦେଖିବାକୁ ମିଳିନି। କାଁ ଭାଁ ଯେଉଁମାନେ ଆସୁଛନ୍ତି, ସେମାନେ ମତ୍ସ୍ୟଜୀବୀଙ୍କ ଶିକାର ହେଉଛନ୍ତି। ମାଛଧରା ଜାଲ, ଡଙ୍ଗାରେ ବାଜି ମୃତ୍ୟୁମୁଖରେ ପଡ଼ୁଛନ୍ତି। ସେପଟେ କିନ୍ତୁ କଇଁଛଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବନ ବିଭାଗ କହୁଛି। ସୁରକ୍ଷା କ୍ୟାମ୍ପ ସାଙ୍ଗକୁ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିବା କୁହାଯାଉଛି। ଗତବର୍ଷ ବି ଏହିଭଳି ବ୍ୟବସ୍ଥା ବନ ବିଭାଗ ହାତକୁ ନେଇଥିଲା। କିନ୍ତୁ କାଁ ଭାଁ ହାତଗଣତି କଇଁଛ ହିଁ ବେଳାଭୂମି ମାଡ଼ିଥିଲେ।
ପୁରୀ ବେଳାଭୂମିରେ ଗୋଟିଏ ବି ଅଲିଭ୍ ରିଡଲେ ଅଣ୍ଡାଦାନ କରିନଥିଲେ। କେବଳ କୋଣାର୍କ ଓ ଅସ୍ତରଙ୍ଗରେ ଅଳ୍ପକିଛି କଇଁଚ୍ଛ ଅଣ୍ଡାଦାନ କରିଥିଲେ। ସେ ସମୟରେ ବନ ବିଭାଗ ତିତଲି ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ଦାୟୀ କରିଥିଲା। ଏହାର ପ୍ରଭାବରେ ଅଲିଭ୍ ରିଡ୍ଲେ ଗତିପଥ ବଦଳାଇ ଦେଇଥିବା ବନ ବିଭାଗ ମତ ଦେଇଥିଲା। କିନ୍ତୁ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଅଲିଭ୍ ରିଡ୍ଲେଙ୍କ ଦେଖା ନମିଳିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହା ପରିବେଶ ଅସନ୍ତୁଳନର ପ୍ରମୁଖ କାରଣ ହୋଇଥିବା ବେଳେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଅଲିଭ୍ ରିଡ୍ଲେ ଆଦୌ ପୁରୀ ଉପକୂଳ ନ ମାଡ଼ିବା ଆଶଙ୍କା ଦେଖାଦେଇଛି। ଏ ସଂପର୍କରେ ପୁରୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍ଗାତା କହିଛନ୍ତି, ଗତବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅଲିଭ୍ ରିଡଲେ ପୁରୀ ଉପକୂଳ ଆଡ଼କୁ ଆସିନଥିଲେ। ଏମାନେ ଅନ୍ୟତ୍ର ଚାଲି ଯାଇଥିଲେ। ଚଳିତ ବର୍ଷ ଏମାନେ ପୁରୀ ଉପକୂଳମୁହାଁ ହୋଇଛନ୍ତି। ସମୁଦ୍ର ମଝିରେ ଏମାନେ ଦୃଶ୍ୟମାନ ହେଲେଣି। ଏମାନଙ୍କ ମିଳନ ପର୍ବ ବି ଆରମ୍ଭ ହୋଇଯାଇଛି। ଫେବ୍ରୁଆରୀ ଶେଷ ଆଡ଼କୁ ଏମାନେ ଅଣ୍ଡାଦେବା ଆରମ୍ଭ କରିବେ ବୋଲି ସେ କହିଛନ୍ତି।