ଦୁର୍ନୀତିକୁ ଘଣ୍ଟ ଘୋଡ଼ାଉଛି ଓମ୍‌ଫେଡ୍‌

ଭୁବନେଶ୍ୱର : ଓମ୍‌ଫେଡ୍‌ ପରିଚାଳନାଧୀନ ବିକେଏନ୍‌ (ବଲାଙ୍ଗୀର-କଳାହାଣ୍ଡି-ନୂଆପଡା ଦୁଗ୍ଧ ଉତ୍ପାଦକ ସଂଘ)ରେ ବ୍ୟାପକ ଆର୍ଥିକ ଅନିୟମିତତା ପଦାକୁ ଆସିବା ପରେ ବିଭାଗୀୟ ତଦନ୍ତ ହେଲା। ତଦନ୍ତକାରୀ ଅଧିକାରୀ ୨୦୧୫ ମସିହା ଅଗଷ୍ଟ ୨୯ ତାରିଖରୁ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ଆର୍ଥିକ ହେରଫେରରେ ସଂପୃକ୍ତ ପଦାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ଦୂର କଥା ଦୁଇ ବର୍ଷ ପରେ ବି ତଦନ୍ତ ରିପୋର୍ଟକୁ ଉଦ୍ଦେଶ୍ୟମୂଳକ ଭାବେ ଚପାଇ ରଖାଯାଇଛି।

ସୂଚନାଯୋଗ୍ୟ, ରାଷ୍ଟ୍ରୀୟ କୃଷି ବିକାଶ (ଆରକେଭିଓ୍ଵାଇ) ଯୋଜନାରେ କଳାହାଣ୍ଡି ଜିଲ୍ଲାର ୩୧ଟି ଦୁଗ୍ଧ ଉତ୍ପାଦକ ସମିତିକୁ ଜାନୁଆରି ୨୦୧୩ ମସିହାରେ ମୋଟ୍‌ ୩ ଲକ୍ଷ ୯୬ ହଜାର ଟଙ୍କା ଅନୁଦାନ ଦିଆଯାଇଥିବା ବେଳେ ପ୍ରତ୍ୟେକ ସମିତି ଦୁଇଟି କିସ୍ତି ଆକାରରେ ୧୩ ହଜାର ୨ ଶହ ଟଙ୍କା ଲେଖା ପାଇଥିଲେ। ତେବେ ସେଥିମଧ୍ୟରୁ ୧୨ଟି ଦୁଗ୍ଧ ଉତ୍ପାଦକ ସମିତି ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲେ ମଧ୍ୟ ମିଛ କ୍ଷୀର ବିଲ୍‌, ବନ୍ଦ ହୋଇ ଯାଇଥିବା ଦୁଗ୍ଧ ଉତ୍ପାଦକ ସମିତି ନାଁ’ରେ ଜାଲ ରସିଦ୍‌ ଏବଂ ଆକାଉଣ୍ଟରେ ଜାଲିଆତି କରାଯାଇ ଏକ ଲକ୍ଷ ୫୧ ହଜାର ୨ ଶହ ଟଙ୍କା ହଡପ କରି ନିଆଯାଇଥିବା ତଦନ୍ତ ଅଧିକାରୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ସରକାରଙ୍କ ଏହି ଅନୁଦାନ ବିକେଏନ୍‌ ୟୁନିୟନ୍‌ର ଦୁଇ ଜଣ ରୁଟ୍‌ ସୁପରଭାଇଜରଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା, ଯାହାକି ସରକାରୀ ନିୟମର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି। ୧୨ଟି ସୋସାଇଟି ବନ୍ଦ ରହିଥିବା ବେଳେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଅନୁଦାନ ଦୁଇଜଣ କର୍ମଚାରୀଙ୍କର ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବା ସନ୍ଦେହଜନକ ବୋଲି ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି। ଏହା ଛଡା ଅନ୍ୟ ୫ଟି ସୋସାଇଟି ସରକାରୀ ଅନୁଦାନ ହାତେଇବା ପରେ ସେଗୁଡିକ ମଧ୍ୟ ବନ୍ଦ ହୋଇ ଯାଇଥିଲା।

ଅନୁରୂପ ଭାବେ ବିନା ଟେଣ୍ଡରରେ ୨୦୧୨ ମସିହା ଜାନୁଆରି ୧ରୁ ମାର୍ଚ ୩୧ ତାରିଖ ମଧ୍ୟରେ ବିକେଏନ୍‌ କର୍ତ୍ତୃପକ୍ଷ ୫ ଟନ୍‌ ପୁରୁଣା ଲୁହା ଯନ୍ତ୍ରାଂଶ (ସ୍କାର୍ପ) କବାଡିବାଲାଙ୍କୁ ବିକ୍ରି କରି ଦେଇଥିଲେ। ତେବେ ସ୍କାର୍ପ ବିକ୍ରି ବାବଦରେ ମିଳିଥିବା ୬ ଲକ୍ଷ ଟଙ୍କା ବିକେଏନ୍‌ର ଆକାଉଣ୍ଟରେ ଜମା ନ ହେବା, ଷ୍ଟକ୍‌ ରେଜିଷ୍ଟର ସମେତ ଅନ୍ୟ କାଗଜପତ୍ର ଠିକ୍‌ଠାକ୍‌ ନଥିବା ତଦନ୍ତ ସମୟରେ ଜଣାପଡିଥିଲା। ଏମିତିକି ସ୍କାର୍ପ ବିକ୍ରି ସମୟରେ ସରକାରୀ ନିୟମକୁ ବିକେଏନ୍‌ କର୍ତୃପକ୍ଷ ସମ୍ପୂର୍ଣ୍ଣ ଭାବେ ଦଳିମକଚି ଦେଇଥିବା ବେଳେ ଅତି ଚତୁରତାର ସହିତ କାଗଜପତ୍ରରେ ଜାଲିଆତି କରିଥିବା ତଦନ୍ତକାରୀ ଅଧିକାରୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ସେହିପରି ଅଫିସ୍‌ ସ୍ଥାନାନ୍ତର ବେଳେ ମନି ରିସିପ୍ଟ (ଏମଆର୍‌ ବୁକ୍‌ ନଂବର-୨) ହଜିଯିବା ଏବଂ ଏ ବାବଦରେ ସ୍ଥାନୀୟ ଥାନାରେ କୌଣସି ଏଫ୍‌ଆଇଆର୍‌ ଦିଆନଯିବା ମଧ୍ୟ ଉଦ୍ଦେଶ୍ୟମୂଳକ ବୋଲି ରିପୋର୍ଟରେ କୁହାଯାଇଛି।

ଏହାଛଡା ବିକେଏନ୍‌ରେ କାର୍ଯ୍ୟରତ ଶ୍ରମିକମାନଙ୍କର ଇପିଏଫ୍‌ ପ୍ରାପ୍ୟ ଅକ୍ଟୋବର ୨୦୧୩ ମସିହାରୁ ଡିପୋଜିଟ୍‌ ନହେବା, କଳାହାଣ୍ଡି ଜିଲ୍ଲା ତୁଣ୍ଡଲା ଅଞ୍ଚଳରୁ କ୍ଲିନ୍‌ ମିଲକ୍‌ ପ୍ରୋଗ୍ରାମ୍‌ (ସିଏମ୍‌ପି) ଯୋଜନାରେ ଦୁଗ୍ଧ ଚାଷୀଙ୍କ ପାଖରୁ ୧୦୦ ଟଙ୍କା ଲେଖା ଆଦାୟ ହୋଇ ଏ ବାବଦରେ ୪୨ ହଜାର ୪ ଶହ ଟଙ୍କା ହଡପ ହୋଇଥିବା ତଦନ୍ତ ଅଧିକାରୀ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ପ୍ରକାଶଥାଉକି, ବିକେଏନ୍‌ର ଏହି ଦୁର୍ନୀତି ସଂପର୍କରେ ୨୦୧୪ ମସିହା ମେ ୧୫ ତାରିଖରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶିତ ହୋଇଥିଲା। ବିକେଏନ୍‌ର ପରିଚାଳନା କମିଟି ସଭ୍ୟ ସତ୍ୟାନନ୍ଦ ରାଉତଙ୍କ ସମେତ ଅନ୍ୟ ୭ ଜଣ ସଂଘରେ ଗୁରୁତର ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ଆଣିବା ପରେ ଓମ୍‌ଫେଡ୍‌ କର୍ତୃପକ୍ଷ ଏହାର ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟ ପାଇବା ପରେ ଓମ୍‌ଫେଡ୍‌ର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ ଚିଠି ନଂ ୧୩୪୨୪/ ୧୩.୧୧.୨୦୧୫ରେ ଏହି ଆର୍ଥିକ ହେରଫେର ଘଟଣାର ତଦନ୍ତ କରିବା ଲାଗି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଚିଠି ମଧ୍ୟ ଲେଖିଥିଲେ। ଏହା ସତ୍ତ୍ୱେ ଅଭିଯୁକ୍ତ ଅଧିକାରୀଙ୍କୁ ଘଣ୍ଟ ଘୋଡାଯିବା, ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା, ବର୍ଷାଧିକ କାଳ ତଦନ୍ତ ରିପୋର୍ଟକୁ ଚପାଇ ରଖାଯିବା ପ୍ରଭୃତି ଘଟଣା କର୍ତୃପକ୍ଷଙ୍କ ମନ୍ଦ ଉଦ୍ଦେଶ୍ୟକୁ ସୂଚିତ କରୁଛି ବୋଲି ଅଭିଯୋଗ ଉଠିଛି।

ସମ୍ବନ୍ଧିତ ଖବର