ଜୟପୁର : ଖତ ଖାଉଛି ଓମଫେଡର କୋଟିଏ ଟଙ୍କାର ଯାନବାହନ ଓ ବିଭିନ୍ନ ଯନ୍ତ୍ରପାତି

ଜୟପୁର : ଜୟପୁର ସ୍ଥିତ ଏସଡିଭିଓଙ୍କ କାର୍ଯ୍ୟାଳୟ ପଛ ପାର୍ଶ୍ବରେ ଓମଫେଡର କୋଟିଏ ଟଙ୍କାର ଯାନବାହନ ଓ ବିଭିନ୍ନ ଯନ୍ତ୍ରପାତି ଖତ ଖାଉଛି। ଏପରିକି କ୍ଷୀର ସଂଗ୍ରହ ପାଇଁ ଯାଉଥିବା ୨ଟି ଟ୍ୟାଙ୍କର, କ୍ଷୀର ଓ ଦୁଗ୍ଧଜାତ ଦ୍ରବ୍ୟ ବିତରଣ କରୁଥିବା ୩ଟି ଭ୍ୟାନ୍, କର୍ମଚାରୀ ମାନେ କ୍ଷେତ୍ରକୁ ଯାଉଥିବା ବୋଲେରୋ, ପିକଅପ୍ ଭ୍ୟାନ୍ ଆଦି ଏବେ ସେଭଳି ପଡି ଖତ ଖାଉଛି। ଏହା ସହ କୁନ୍ଦୁରାରେ ଖୋଲାଯିବାକୁ ଥିବା ଚିଲିଂ ୟୁନିଟ୍ ଯନ୍ତ୍ରପାତି, ୨ଟି ଡିଜି ଆଦି ବି ଲଟାବୁଦା ମଧ୍ୟରେ ସେଭଳି ପଡି ରହିଛି। ପ୍ରାୟ କୋଟିଏ ଟଙ୍କାର ସଂପତ୍ତି ସେହିଭଳି ଲଟାବୁଦା ମଧ୍ୟରେ ପଡି ରହିଥିବା ବେଳେ ବିଭାଗ ପକ୍ଷରୁ ସୁରକ୍ଷା କର୍ମୀ ଦିଆଯାଇଛି ବୋଲି କୁହାଯାଉଥିଲେ ହେଁ ସେଠାରେ କାହାର ଦେଖା ମିଳିନି। ଅନ୍ୟପକ୍ଷରେ ଲକ୍ଷ ଲକ୍ଷ ଟଙ୍କା ଦେଇ କିଣି ଅଣାଯାଇଥିବା ଏହି ଯନ୍ତ୍ରପାତି ଓ ଯାନବାହନ ଗୁଡିକର ରକ୍ଷଣାବେକ୍ଷଣ ଅଭାବରୁ ଖତ ଖାଇବା ଅବସ୍ଥାକୁ ପଳାଇ ଆସିଛି। ଅନ୍ୟପକ୍ଷରେ ଏସବୁକୁ ଗତ ୨୦୦୭ରେ ନିଲାମ ପାଇଁ ନୋଟିସ୍ କରାଯାଇଥିଲା। ତେବେ କେହି ଭାଗ ନେଇନଥିବା ଓମଫେଡ୍ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଦ୍ବିତୀୟ ପର୍ଯ୍ୟାୟ ନିଲାମ ପାଇଁ ଆରଟିଓ ଓ ସରକାରଙ୍କୁ ଚିଠି କରିବା ପରେ ବି ସେଠାରୁ କ୍ଲିଅରାନସ୍ ଆସିନାହିଁ। ତେଣୁ ନିଲାମ ହୋଇ ପାରୁନି ବୋଲି ଓମଫେଡ୍ ପକ୍ଷରୁ କୁହାଯାଇଛି। ପ୍ରକାଶ ଯୋଗ୍ୟ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲା ଆଞ୍ଚଳିକ ଦୁଗ୍ଧ ସଂଘକୁ ନେଇ ଦୀର୍ଘ ୧୩ବର୍ଷରୁ ଉର୍ଦ୍ଧ୍ବ ଜୟପୁରରେ ଚାଲିଛି ଓମଫେଡ୍। ୪ ଜିଲ୍ଲାର ଦୁଗ୍ଧ ଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ କରାଯାଇ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏହାକୁ ବିକ୍ରି କରାଯାଉଛି। ଏ ନେଇ ପ୍ଲାଣ୍ଟ ପରିଚାଳକ ସୁପ୍ରଭାତ କାନୁନଗୋଙ୍କୁ ପଚାରିବାରେ ସେ କହିଲେ ସେ ଏଠାକୁ ନୂଆରେ ଆସିଛନ୍ତି। ବହୁ ବର୍ଷ ଧରି ଏଭଳି ପଡି ରହିଥିବା ଏବଂ ଟେଣ୍ଡରରେ କେହି ଭାଗ ନେଇ ନଥିବାରୁ ୨ୟ ଥର ଟେଣ୍ଡର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର