କଣ୍ଟା ସାଜିଛି ଓଏମ୍‌ଏମ୍‌ସି ରୁଲ୍-୨୦୧୬ : ସରକାରୀ ନିର୍ମାଣ କାମ ବନ୍ଦ

ଯାଜପୁର : ରାଜ୍ୟ ସରକାର ଓଏମ୍‌ଏମ୍‌ସି ରୁଲ-୨୦୧୬କୁ କଡ଼ାକଡ଼ି ଲାଗୁ ଫଳରେ ପ୍ରତିକ୍ରିୟାଶୀଳ ହୋଇ କେତେକ ଠିକାଦାର ଗୋଷ୍ଠୀ ବିଭିନ୍ନ ବାହାନା ଦେଖାଇ ସରକାରୀ ନିର୍ମାଣ କାମ ଠପ୍ କରି ଦେଇଛନ୍ତି। ନିୟମ ଭାଙ୍ଗିବା ପାଇଁ ଅଡ଼ି ବସିଛନ୍ତି। ରାଜ୍ୟବ୍ୟାପୀ ନିର୍ମାଣ କାରବାରରେ ଅଚଳାବସ୍ଥା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଯାଜପୁର ଜିଲ୍ଲାରେ ଏହାର ଏକ ବାସ୍ତବ ଚିତ୍ର ଦେଖିବାକୁ ମଳିଛି।

ପୂର୍ବ ଉପକୂଳ ଜିଲ୍ଲାଗୁଡ଼ିକ ମଧ୍ୟରେ ଯାଜପୁର ଜିଲ୍ଲାରେ ଲଘୁଖଣିଜ ସାମଗ୍ରୀ ବାଲି, ଗୋଡି, ମୋରମ, ଚିପ୍ସରେ ଭରପୂର। ଯାଜପୁର ଜିଲ୍ଲାରୁ ଏହି ଲଘୁଖଣିଜ ସାମଗ୍ରୀ ବ୍ୟାପକ ଚାଲାଣ ହେଉଛି। ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଧୀନରେ ଥିବା ଡଙ୍କାରି, ଆରୁହା, ବାଘୁଆ, ବାଜବାଟି, ରାହାଡପୁର ଓ ବିଛାଖଣ୍ଡି ପ୍ରଭୃତି ପାହାଡ଼ରୁ ନିୟମିତ ଲକ୍ଷ ଲକ୍ଷ ଟନ୍ ଗ୍ରାନାଇଟ୍(କଳାପଥର) ଓ ଦର୍ପଣ ତହସିଲ ଅଞ୍ଚଳ ପାହାଡ଼ରୁ ମୋରମ ଚାଲାଣ ହେଉଛି। କିଛିଦିନ ହେଲା ଚୋରା ଚାଲାଣ ରୋକିବା ପାଇଁ ଅଧିକାଂଶ ଖଣିଖାଦାନରେ ତହସିଲ ପକ୍ଷରୁ ୧୪୪ଧାରା ଜାରି କରାଯାଇ ବନ୍ଦ କରିଦିଆଯାଇଛି। ଯାହାକୁ ନେଇ ସେଠାରେ କାମ କରୁଥିବା ପଥର ବ୍ୟବସାୟୀ, ମାଫିଆ ଓ ଶ୍ରମିକ ଶ୍ରେଣୀ ଲୋକ ପ୍ରତିକ୍ରିୟାଶୀଳ ହୋଇ ଆନ୍ଦୋଳନ ଆରମ୍ଭ କରିଛନ୍ତି। ମାଫିଆମାନେ କ୍ଷତିଗ୍ରସ୍ତ ହେଉଥିବା ସହିତ ପଥର କାରବାରରେ ନିୟୋଜିତ ସ୍ଥାନୀୟ ଖଟିଖିଆ, ସାଧାରଣ ଲୋକମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ମାତ୍ର ଗତ ମାସ ୧୦ ତାରିଖରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ସଚିବ ବେଆଇନ୍ ଲଘୁ ଖଣିଜ ସାମଗ୍ରୀ ବ୍ୟବହାର ଉପରେ କଟକଣା ଲାଗୁ କରି ସରକାରଙ୍କ ବିଭିନ୍ନ ନିର୍ମାଣ ବିଭାଗକୁ ଦେଇଥିବା ନିର୍ଦେଶ ଲଘୁ ଖଣିଜ ସମ୍ପଦ ଲୁଟେରା ମାଫିଆ ଓ ଅସାଧୁ ବ୍ୟବସାୟୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି। ବ୍ୟବହୃତ ଲଘୁ ସାମଗ୍ରୀର ରୟାଲଟି ଓ ଆବଶ୍ୟକ କାଗଜପତ୍ର ନଥିଲେ ଚୋରା ସାମଗ୍ରୀ ବ୍ୟବହାର କରିଥିବା ସଂସ୍ଥା ଓ ଠିକାଦାର ସାମଗ୍ରୀର ମୂଲ୍ୟ ଦେବାକୁ ନିର୍ଦେଶ କରିଛନ୍ତି। ଯାହାକି ଚୋରା ସାମଗ୍ରୀ ବ୍ୟବହାର କରି ସରକାରଙ୍କର ଧାର୍ଯ୍ୟ ସର୍ବନିମ୍ନ ରୟାଲଟି ସମ୍ପୃକ୍ତ ବିଭାଗରେ ଜିମା ଦେଇ ଖସିଯିବା ବାଟ ବନ୍ଦ ହୋଇଯାଇଛି।

ବାଲି, ମାଟି ଓ‌ ମୋରମ କ୍ୟୁବିକ୍ ମିଟର ୩୫ଟଙ୍କା ଓ ଚିପ୍ସ ୧୩୦ଟଙ୍କା ସର୍ବନିମ୍ନ ରୟାଲିଟି ସରକାର ଧାର୍ଯ୍ୟ କରିଛନ୍ତି। ଯାଜପୁର ଜିଲ୍ଲାରେ କିନ୍ତୁ ବାଲି ଓ ଚିପ୍ସର ରୟାଲଟି ମୂଲ୍ୟ ଢେର ଅଧିକରେ ଲିଜ୍‌ଧାରୀ ନେଇଛନ୍ତି । ଏପରିକି ଏକ ହଜାର ଟଙ୍କାରୁ ଅଧିକ ଟଙ୍କାରେ ଲିଜ୍ ନେଇଛନ୍ତି। ଏହିସବୁ କ୍ଷେତ୍ରରେ ସମ୍ପୃକ୍ତ ସଂସ୍ଥା ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ରୟାଲଟି ନେଇ ଚୋରା ଲଘୁ ଖଣିଜ ସାମଗ୍ରୀକୁ ଅନୁମୋଦନ କରୁଛନ୍ତି। ଫଳରେ ସରକାର ନିଲାମ କରିଥିବା କୋଟି କୋଟି ଟଙ୍କା ରାଜସ୍ବ ଘୋଟାଲା ହେଉଛି। ଚୋରା ଓ ବେଆଇନ୍ କାରବାର ପାଇଁ ସରକାର ୧୪୪ଧାରା ଜାରି କରି ପାହାଡ ପର୍ବତ, ନଦୀଘାଟରେ ଖନନ ବନ୍ଦ କରୁଥିବା ‌େବଳେ କିପରି ଚୋରା ସାମଗ୍ରୀକୁ ସରକାରଙ୍କ ବିଭିନ୍ନ ବିଭାଗ ସର୍ବନିମ୍ନ ରୟାଲଟିରେ କ୍ରୟ କରି ଅନୁମୋଦନ କରୁଛନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ବେଆଇନ୍ କାରବାର ଯୋଗୁଁ ମାଫିଆରାଜ୍‌ ବୃଦ୍ଧି ପାଇବା ସହିତ ଲଘୁ ଖଣିଜ ସାମଗ୍ରୀ ଚୋରା କାରବାରକୁ ପ୍ରତ୍ସୋହିତ କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର