ମାଟ୍ରିକ୍‌ରେ ଏଥର ରହିବ ଓଏମ୍‌ଆର୍‌!

ଭୁବନେଶ୍ୱର : ଚଳିତ ମାଟ୍ରିକ୍‌ ପରୀକ୍ଷାରେ ଓଏମ୍‌ଆର ସିଟ୍‌ ରହିବ କି ନାହିଁ? ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ କରୁ ନଥିବା ବେଳେ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କ’ଣ କରିବେ? କିଭଳି ପଢ଼ିବେ? ଜାଣିପାରୁ ନାହାନ୍ତି। ଇତି ମଧ୍ୟରେ ଓଏମ୍‌ଆର ପରିବର୍ତନ ନେଇ ଗଠନ ହୋଇଥିବା କମିଟି ମାସେ ହେଲା ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦେଇସାରିଲେଣି। ହେଲେ ୨୦୧୯ ପରୀକ୍ଷାରେ ଓଏମ୍‌ଆର୍‌ ପରିବର୍ତନ ହେବ ନା ପୂର୍ବଭଳି ପରୀକ୍ଷା କରାଯିବ ତାହାକୁ ନେଇ ଗଣଶିକ୍ଷା ବିଭାଗର କେହି ବି ମୁହଁ ଖୋଲୁନାହାନ୍ତି।

ଏପ୍ରିଲ ୨ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ ଆରମ୍ଭ ହୋଇଥିଲା। ସେମାନଙ୍କୁ ଓଏମ୍‌ଆର୍‌ ଢାଞ୍ଚାରେ ଶିକ୍ଷା ଦିଆଯାଇଥିଲା। ୨୫ ଦିନ ଧରି ପିଲାମାନେ ସେହି ଅନୁଯାୟୀ କ୍ଲାସ କରିଥିଲେ। କିନ୍ତୁ ମେ’ ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ, ଆସନ୍ତା ପରୀକ୍ଷାରେ ଆଉ ଓଏମ୍‌ଆର୍‌ ସିଟ୍‌ ରହିବ ନାହିଁ। ନୂଆ ଢାଞ୍ଚାରେ ପରୀକ୍ଷା ହେବେ। କେଉଁ ଢାଞ୍ଚାରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ ସେ ସଂପର୍କରେ ପ୍ରସ୍ତାବ ଗ୍ରହଣ କରାଯିବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଉକ୍ତ କମିଟି ରିପୋର୍ଟକୁ ଆଧାର କରି ପଦକ୍ଷେପ ନିଆଯିବ। ସଚିବ ଶ୍ରୀ ମହାପାତ୍ର ଏହି ଘୋଷଣା ପରେ କମିଟିର ଏକାଧିକ ବୈଠକ ବସି ଜୁଲାଇ ପ୍ରଥମ ସପ୍ତାହରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଗଣଶିକ୍ଷା ବିଭାଗକୁ ମଧ୍ୟ ରିପୋର୍ଟ ଦିଆଯାଇଥିବା ନେଇ ସୂଚନା ମିଳିଛି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ମାଟ୍ରିକ୍‌ ପରୀକ୍ଷାରେ ଓଏମ୍‌ଆର ସିଟ୍‌ ନ ହଟାଇବା ସପକ୍ଷରେ ମତ ଦେଇଛି କମିଟି। କମିଟି ପକ୍ଷରୁ କୁହାଯାଇଛି ଯେ ମାଟ୍ରିକ୍‌ ପାଠପଢ଼ାକୁ ୪ ମାସ ବିତିଗଲାଣି। ଓଏମ୍‌ଆର୍‌ ଢାଞ୍ଚାରେ ପିଲାମାନେ ପଢ଼ୁଛନ୍ତି। ଶିକ୍ଷକମାନେ କ୍ଲାସ୍‌ ମଧ୍ୟ ନେଉଛନ୍ତି। ଆଉ ଗୋଟିଏ ମାସ ପରେ ଛାତ୍ରଛାତ୍ରୀ ପ୍ରି-ଟେଷ୍ଟ ପରୀକ୍ଷା ଦେବେ। ତେଣୁ ଏଭଳି ସମୟରେ ପ୍ରଶ୍ନପତ୍ର ଢାଞ୍ଚା ବଦଳାଇବା ଠିକ୍‌ ହେବ ନାହିଁ। ବରଂ ଚଳିତବର୍ଷ ନବମ ଶ୍ରେଣୀରେ ନୂତନ ପ୍ରଶ୍ନପତ୍ର ଢାଞ୍ଚା ଲାଗୁ କରାଯାଉ। ଫଳରେ ନୂଆ ପ୍ରଶ୍ନପତ୍ର ଢାଞ୍ଚାରେ ଛାତ୍ରଛାତ୍ରୀ ପଢ଼ିବେ ଓ ଅବଗତ ହୋଇପାରିବେ। ୨୦୨୦ରେ ମାଟ୍ରିକ୍‌ ପରୀକ୍ଷା ବେଳକୁ ପିଲାଙ୍କୁ ଆଉ ଅସୁବିଧା ହେବ ନାହିଁ। କମିଟିର ଏଭଳି ରିପୋର୍ଟ ପରେ ବି ଚୁପ୍‌ ବସିଛନ୍ତି ବିଭାଗୀୟ ଅଧିକାରୀ।

ଅନ୍ୟପକ୍ଷରେ ନିଷ୍ପତ୍ତି ଝୁଲି ରହିଥିବାରୁ ପିଲାମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ସେମାନେ କିଭଳି ପ୍ରସ୍ତୁତ ହେବେ ଦ୍ୱନ୍ଦ୍ୱରେ ରହିଛନ୍ତି। ଶିକ୍ଷକମାନେ ମଧ୍ୟ ପୂର୍ବପରି ଓଏମ୍‌ଆର ଢାଞ୍ଚାରେ ପାଠ ପଢ଼ାଉଛନ୍ତି। ଇତିମଧ୍ୟରେ କେତେକ ସଂସ୍ଥା ଓଏମ୍‌ଆର୍‌ ଢାଞ୍ଚାରେ ପ୍ରଶ୍ନ ପ୍ରସ୍ତୁତ କରି ମାଟ୍ରିକ୍‌ ଟେଷ୍ଟ୍‌ ପେପର ବଜାରକୁ ଛାଡ଼ିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜହାଁନାରା ବେଗମ୍‌ କହିଛନ୍ତି ଯେ, ଆମେ ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦେଇସାରିଛୁ। ସେମାନେ ଯାହା କିଛି ନିଷ୍ପତ୍ତି ନେବେ। ଏଥର ଲାଗୁ ହେବ କି ନାହିଁ କହିପାରିବି ନାହିଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ନିର୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ କୌଣସି ଉତ୍ତର ଦେଇ ନ ଥିଲେ।

ସମ୍ବନ୍ଧିତ ଖବର