ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ୫ଘଣ୍ଟା ରାସ୍ତାରୋକ

ବାଲିପାଟଣା: ସୋମବାର ରାତିରେ ଏକ ଦୁର୍ଘଟଣାରେ ମାର୍ଥାପୁର ପଞ୍ଚାୟତ ପଣ୍ତୁଆସାହିର ବିଜୟ ଭୋଇ(୩୦)ଙ୍କ ମୃତ୍ୟୁ ହୋଇଯାଇଛି। ରାତି ପ୍ରାୟ ୮ଟା ସମୟରେ ସେ ନିକଟସ୍ଥ କେନାଲ୍‌କୁ ଶୌଚ ପାଇଁ ଯାଇଥିଲେ। ଶୌଚସାରି ମୁଖ୍ୟ ରାସ୍ତା ଉପରକୁ ଉଠିବା ସମୟରେ ପଛପଟୁ ଆସୁଥିବା ବାଇକ(ଓଡି-୦୨-ଏଡବ୍ଲ୍ୟୁ-୩୨୨୭)ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବିଜୟଙ୍କ ମୁଣ୍ତରୁ ପ୍ରବଳ ରକ୍ତସ୍ରାବ ହେବା ସହ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଖବରପାଇ ପରିବାର ଲୋକ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ର ଓ ପରେ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ନେଇଥିଲେ। ସେଠାରେ ବିଜୟଙ୍କ ଅବସ୍ଥା ସ˚କଟାପନ୍ନ ହେବାରୁ ତାଙ୍କୁ ଏମ୍‌ସ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବିଜୟଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାକ୍ଷଣି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ବିଜୟ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଥିଲେ। ତାଙ୍କ ଉପରେ ବୁଢୀ ମା’, ଦୁଇଟି ଛୋଟ ପୁଅ ଓ ପତ୍ନୀ ନିର୍ଭର କରୁଥିଲେ। କ୍ଷତିଗ୍ରସ୍ତ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଓ ବାଇକ ଆରୋହୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ଶତାଧିକ ଲୋକ ବାଲିପାଟଣା ଓ ବନମାଳିପୁର ରାସ୍ତା ଅବରୋଧ କରିଥିଲେ। ନୂଆସାହି କେନାଲ ବ୍ରିଜ୍‌ ଉପରେ ଟାୟାର ଜାଳି ପ୍ରାୟ ୫ଘଣ୍ଟା ଧରି ରାସ୍ତାରୋକ କରିବାରୁ ଯାତାୟାତରେ ବାଧା ଉପୁଜିଥିଲା। ଖବର ପାଇ ବାଲିପାଟଣା ତହସିଲଦାର ପ୍ରାଚୀ ମହାପାତ୍ର ଓ ଏସିପି ଅମରେନ୍ଦ୍ର ପଣ୍ତା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ରେଡ୍‌କ୍ରସ ପକ୍ଷରୁ ୧୦ହଜାର ଟଙ୍କା ପ୍ରାରମ୍ଭିକ ସାହାଯ୍ୟ ପ୍ରଦାନ କରିଥିଲେ। ଏଥିସହ ଉତ୍ତକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା। ବାଲିପାଟଣା ପୁଲିସ ବାଇକ ଆରୋହୀ ତାପସ ଓରଫ୍‌ ଲିଟୁଙ୍କୁ କେସ୍‌ ନ˚୧୯୨/୧୮ ଓ ଧାରା ୨୭୯,୩୦୪(କ)ରେ ଆଜି ଅପରାହ୍ଣରେ ଗିରଫ୍‌ କରି କୋର୍ଟ ଚାଲାଣ କରିଛି। ଏଥିସହ ବାଇକ୍‌କୁ ବି ଜବତ କରିଛି। ଦୁର୍ଘଟଣାରେ ବାଇକ୍‌ ଆରୋହୀ ତାପସଙ୍କ ମୁଣ୍ତରେ ବି ଆଘାତ ଲାଗିଛି।

ସମ୍ବନ୍ଧିତ ଖବର