ଦାଦନ ଶ୍ରମିକଙ୍କୁ ଟଙ୍କା ମାଗୁଥିବା ଅଭିଯୋଗରେ ୫ ଅଟକ, ୬ ଶ୍ରମିକ ଉଦ୍ଧାର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ମହକୁମା ରେଲୱ ଷ୍ଟେସନରେ ଟ୍ରେନରେ ପଶି କିଛି ଯୁବକ ଶ୍ରମିକମାନଙ୍କୁ ଟଙ୍କା ମାଗୁଥିବା ଅଭିଯୋଗରେ ନୂଆପଡ଼ା ପୁଲିସ ୫ ଜଣଙ୍କୁ ଅଟକ ରଖିଛି | ଏହା ସହ ୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି | ଏହି ୫ ଜଣଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ପୁଲିସ ଠାରୁ ମିଳିଥିବା ସୂଚନା ମୁତାବକ ସୋମବାର ସନ୍ଧ୍ୟାରେ ବରଗଡ଼ ଜିଲ୍ଲା ଜାମସେଟ ଗ୍ରାମର ୨ ଜଣ ମହିଳା ଓ ୪ ଜଣ ପୁରୁଷ ଶ୍ରମିକ ପୁସଫୁଲ ପେସେଞ୍ଜର ଟ୍ରେନରେ ରାୟପୁର ଯାଉଥିଲେ |

ଏହି ସମୟରେ ନୂଆପଡ଼ା ରେଲୱେ ଷ୍ଟେସନରେ ନୂଆପଡ଼ାର ଖୁଦିରାମ ପଟେଲ, ବିରେନ ନାଗ, ମୁକେଶ ପଟେଲ, ବିଜୁ ମହାନନ୍ଦ, ଅଜୟ ସାହୁ ନାମକ ୫ ଜଣ ଯୁବକ ଷ୍ଟେସନରେ ଟ୍ରେନ ଅଟକି ଥିବା ବେଳେ ଏହି ୫ ଜଣ ଯୁବକ ଟ୍ରେନ ଭିତରେ ପଶି ଦାଦନ ଶ୍ରମିକ ମାନଙ୍କୁ ଟଙ୍କା ମାଗିଥିଲେ।

କିନ୍ତୁ ଶ୍ରମିକମାନେ ଟଙ୍କା ଦେଇ ନଥିଲେ। ଏହି ସମୟରେ କୌଣସି ସୁତ୍ରରୁ ପୁଲିସ ଖବର ପାଇ ଷ୍ଟେସନରେ ପହଞ୍ଚି ୫ ଜଣ ଯୁବକ ସହ ୬ ଜଣ ଶ୍ରମିକଙ୍କୁ ନେଇ ନୂଆପଡ଼ା ଥାନାକୁ ଆଣିଥିଲା । ପରେ ୪ ଜଣ ଯୁବକଙ୍କୁ ନୋଟିସ ନେଇ ଛାଡିଥିବାବେଳେ ଅଜୟ ସାହୁଙ୍କୁ ବିଭିନ୍ନ କେସରେ ସଂପୃକ୍ତ ଥିବାରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି | ଉଦ୍ଧାର ୬ ଜଣ ଶ୍ରମିକଙ୍କୁ ନୂଆପଡ଼ା ଶ୍ରମ ବିଭାଗ ତଦନ୍ତ ପରେ ସେମାନଙ୍କ ଘରେ ପହଞ୍ଚାଇ ଦିଆଯାଇଛି।

ସମ୍ବନ୍ଧିତ ଖବର