କବାଡ଼ି ଗୋଦାମରେ ବିସ୍ଫୋରଣ : ଜଣେମୃତ, ୨ ଆହତ

କଣ୍ଟିିଲୋ : ଖଣ୍ଡପଡା ବ୍ଳକ ସିଧାମୂଳା ପଞ୍ଚାୟତ ରାଜକିଆରୀ ନିକଟ କନାସିଙ୍ଗି ଗ୍ରାମରେ ଥିବା ଏକ କବାଡି ଗୋଦାମ ଗୃହରେ ବିସ୍ଫୋରଣ ଘଟି କନାସିଙ୍ଗି ଗ୍ରାମର ଅନୀଲ କୁମାର ସାହୁ (୩୨)ଙ୍କ ମୃତ୍ୟୁ ହୋଇଛି। ଅନୀଲ ଏକ ରେଫ୍ରିଜେରେଟର୍‌ର କମ୍ପ୍ରେସର ଟାଙ୍କିକୁ ଏକ ହାତୁଡିରେ ବାଡ଼େଇବା ସମୟରେ ଟାଙ୍କିଟି ବିସ୍ଫୋରଣ ହୋଇଥିଲା। ପ୍ରଥମେ ଅନୀଲଙ୍କୁ ଖଣ୍ଡପଡା ଓ ପରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି।

ମୃତ ଅନୀଲଙ୍କ କନାସିଙ୍ଗି ଗ୍ରାମରେ କବାଡି ବ୍ୟବସାୟ ରହିଛି। କନାସିଙ୍ଗିସ୍ଥିତ ନିଜ ଘରେ ବିଭିନ୍ନ ବ୍ୟବସାୟୀଙ୍କ ଦ୍ୱାରା ସଂଗୃହିତ କବାଡି ସାମଗ୍ରୀ ରଖି ବ୍ୟବସାୟ କରୁଥିଲେ। ଆଜି ସକାଳ ୧୦ ଟା ସମୟରେ ଅନୀଲ ଏକ ପୁରୁଣା ରେଫ୍ରିଜେରେଟର୍‌ର କମ୍ପ୍ରେସର ଟାଙ୍କିକୁ ଏକ ହାତୁଡି ସାହାଯ୍ୟରେ ବାଡେଇବା ସମୟରେ ଟାଙ୍କିଟି ବିସ୍ଫୋରଣ ହୋଇଥିଲା। ଏଥିରେ ଅନୀଲଙ୍କ ବାମ ହାତ ସହ ପେଟରେ ଗଭୀର ଆଘାତ ଲାଗିଥିଲା। ଏହି ସମୟରେ ପାଖରେ ଥିବା ରାଜକିଆରୀ ଗ୍ରାମର ବିନୋଦ ନାୟକ (୫୮) ଓ ନାଗଝର ଗ୍ରାମର ରଘୁନାଥ ନାୟକ (୪୫) ଆହତ ହୋଇଥିଲେ। ମୃତକ ଅନୀଲଙ୍କ ୪ ବର୍ଷର ଝିଅ ଏବଂ ୧୨ ଦିନର ଶିଶୁ ପୁତ୍ର ଥିବା ଜଣାପଡିଛି। ଅନୀଲଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର