କୁହୁଡ଼ି ହେଲା କାଳ: ପଛକୁ ପଛ ପିଟି ହେଲା ୧୧ ଗାଡ଼ି

ଜଣେ ମୃତ, ୨ ଆହତ, ୩ଘଣ୍ଟା ଧରି ରାଜପଥ ଜାମ୍‌

କୁତ୍ରା : ଘନ କୁହୁଡ଼ି ଯୋଗୁ ବିଜୁ ଏକ୍ସପ୍ରେସ୍‌ ୱେରେ ଘଟିଛି ସିରିଜ୍‌ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣେ ଗାଡ଼ି ଚାଳକଙ୍କ ମୃତ୍ୟୁ ହେବା ସହ ୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଯୋଗୁଁ ରାଜପଥ ଦୀର୍ଘ ତିନି ଘଣ୍ଟା ଧରି ଜାମ୍ ରହିବା ସହ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଆଜି ଭୋର ୫ଟା ସମୟରେ ବିଜୁ ଏକ୍ସପ୍ରେସ୍‌ ୱେର ଗଡ଼ପୋଷ ଛକରେ ଏକ ମାଛ ବୋଝେଇ ମ୍ୟାକ୍ସ ଗାଡ଼ିକୁ ପଛରୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। କିଛି ସମୟ ପରେ ଓଡ଼ି ୦୯ ଜି ୪୬୮୬ ହାଇୱା ଗାଡ଼ିଟି ଦ୍ରୁତଗତିରେ ଆସି ଉକ୍ତ ଟ୍ରକ୍‌ରେ ପିଟି ‌ହୋଇଥିଲା। ଫଳରେ ଘଟଣାସ୍ଥଳରେ ହାଇୱା ଗାଡ଼ି ଚାଳକ ମହମ୍ମଦ ମନସାଦ ଖାନ(୩୪)ଙ୍କ ଷ୍ଟିୟରିଂରେ ଚାପି ହୋଇ ମୃତ୍ୟୁ ହୋଇଥିଲା। ଏହା ପରେ ପରେ ଏକ ହାଇୱା, ଟ୍ରକ୍‌, ତା ପଛକୁ ଆଉ ଏକ ଟ୍ରକ୍‌, ହାଇୱା, ପିକ୍‌ଅପ୍‌ ଭ୍ୟାନ ଓ ଟେମ୍ପୋ ଏହିପରି ୧୧ ଟି ଗାଡ଼ି ପଛକୁ ପଛ ପିଟି ହୋଇଥିଲା। ଓଡ଼ି ୧୬ଇ ୮୩୧୪ ଟେମ୍ପୋରେ ପରିବା ନେଇ ଯାଉଥିବା ଗଡ଼ଗଡ଼ବାହାଲ ଗ୍ରାମର ଶତ୍ରୁଘ୍ନ ସା ଓ ଜୟସିଂ ସା ବାପା ପୁଅ ଆହତ ହୋଇଥିଲେ। ‌ସେମାନଙ୍କୁ ଉଦ୍ଧାର କରି ପ୍ରଥମେ କୁତ୍ରା ଓ ପରେ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା। ହାଇୱାରେ ଚାପି ହୋଇ ରହିଥିବା ଚାଳକର ଶବକୁ ଗ୍ୟାସ କଟରରେ କାଟି ଉଦ୍ଧାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟ ଯୋଗୁ ଦୀର୍ଘ ତିନି ଘଣ୍ଟା ଧରି ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଗୁଡ଼ିକୁ ହଟାଇବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର