ମାଛ ମାରିବାକୁ ବିସ୍ଫୋରଣ : ଯୁବକ ମୃତ, ୩ ଜଣ ଗୁରୁତର

୨୩ ଦିନ ତଳେ ଆଖି ବୁଜିଥିଲେ ବାପା, ୯ ଦିନ ତଳେ ବାହା ହୋଇଥିଲେ

ଯୁଯୁମୁରା : ରବିବାର ମାଳତୀଯୋରରେ ମାଛ ମାରିବା ପାଇଁ ବିସ୍ଫୋରଣ ବେଳେ ଘଟିଛି ଅଘଟଣ। ବିସ୍ଫୋରଣରେ ଯୁଯୁମୁରା ବ୍ଲକ କୁକୁଡ଼ାପାଲି ପଞ୍ଚାୟତ ଗିରିପାଲି ବିଶାଳପଡ଼ାର ଜଣେ ନବବିବାହିତ ଯୁବକ ଉମେଶ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ମାତ୍ର ୯ ଦିନ ତଳେ ତାଙ୍କର ବାହାଘର ହୋଇଥିଲା। ବିସ୍ଫୋରଣରେ ଅନ୍ୟ ୩ ଜଣ ଗିରିପାଲର ଭୁତୁଲୁ ଖଡ଼ିଆ(୩୩), ରଂଜିତ ନାଠୁର(୩୨) ଓ ନୀଳଡୁଗୁଂରିର ଋଷଭ ବାଡ଼ା(୪୨) ବି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତି କରାଯାଇଛି। ୨୩ ଦିନ ତଳେ ଉମେଶଙ୍କ ବାପା ଅପିନ୍‌ ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ପୁଅର ମୃତ୍ୟୁ ଘଟଣା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁସାରେ ଆଜି ଉମେଶ ପ୍ରଧାନ ନିଜର ଦୁଇ ବଡ଼ ଭାଇ ସୁରେନ୍ଦ୍ର ଓ ରବୀନ୍ଦ୍ରଙ୍କ ସହିତ ଗିରିପାଲି କ୍ରସରକୁ କାମ କରିବାକୁ ଯାଇଥିଲେ। ସୁରେନ୍ଦ୍ରଙ୍କ କହିବା ଅନୁସାରେ, ମଧ୍ୟାହ୍ନ ଭୋଜନ ବିରତି ହୋଇଥିବା ବେଳେ ଋଷଭ ଏକ ବାଇକ୍‌ରେ ଆସି ମାଲତୀଯୋରକୁ ମାଛ ମାରିବାକୁ ଯିବା ପାଇଁ ଉମେଶଙ୍କୁ ଡାକି ନେଇଥିଲେ। ଗିରିପାଲିରେ ଘରଜ୍ୱାଇଁ ଥିବା କଟୁରାଯୁରୀ ନିବାସୀ ଭୁତୁଲ ଖଡ଼ିଆ, ରଂଜିତ ନାଠୁରଙ୍କ ସହିତ ସେମାନେ ନିଜ ଗାଁଠାରୁ ଏକ କିଲୋମିଟର ଦୂର କୁସନପୁରୀ ପାଖ ମାଳତୀଯୋରରେ ପହଂଚି ଥିଲେ। ଏକ ପ୍ଲାଷ୍ଟିକ ବୋତଲରେ ବାଲି ଆଉ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କରିଥିଲେ। ବୋତଲରେ ଜିଲାଟିନ, ପିନ୍‌ ଖଂଜା ଯିବା ପରେ କଏଲ ଲଗାଯାଇଥିଲା। ଉମେଶ ନଦୀ କୂଳରେ ରହି କଏଲରେ ନିଆଁ ଲଗାଇଥିଲେ। ନଦୀଗର୍ଭକୁ ଫିଙ୍ଗିଥିଲେ. ତାହା ବିସ୍ଫୋରଣ ଘଟିଥାନ୍ତା ଆଉ ପାଣି ଭିତରେ ଥିବା ମାଛ ମରିଥାନ୍ତେ। ମାତ୍ର କଏଲରେ ନିଆଁ ଲାଗିବା ମାତ୍ରେ ବିସ୍ଫୋରଣ ଘଟିଥିଲା। ଉମେଶ ବୋତଲଟିକୁ ନଦୀ ମଧ୍ୟକୁ ଫିଙ୍ଗି ପାରିନଥିଲେ। ବିସ୍ଫୋରଣ ଯୋଗୁଁ ସେ ନିଜେ କିଛି ଦୂରକୁ ଛିଟକି ପଡ଼ିଥିଲେ। ତାଙ୍କ ଅନ୍ତବୁଜୁଳା ବାହାରି ପଡ଼ିବା ସହ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଉମେଶଙ୍କଠାରୁ ସାମାନ୍ୟ ଦୂରରେ ଥିବା ଅନ୍ୟ ୩ ଜଣ ମଧ୍ୟ କିଛି ଦୂରକୁ ଛିଟକି ପଡ଼ିଥିଲେ। ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣି କୁସୁନପୁରୀ ଗାଁ ଲୋକେ ନଦୀକୂଳକୁ ଦୌଡ଼ି ଆସିଥିଲେ। ଘଟଣାସ୍ଥଳ ହୋଇଯାଇଥିଲା ରକ୍ତ ରଂଜିତ।

ଲୋକଙ୍କଠାରୁ ସୂଚନା ପାଇଁ ଶାସନ ଥାନା ପୁଲିସ ସେଠାରେ ପହଂଚି ଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନା ପଠାଇଥିଲା। ରଂଜିତଙ୍କ ଆଖିରେ ଆଘାତ ଲାଗିଥିବାରୁ ସେ ଦୃଷ୍ଟିଶକ୍ତି ହରାଇପାରନ୍ତି ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷରେ ବୁର୍ଲା ବଡ଼ ମେଡିକାଲରେ ଉମେଶଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ଶାସନ ଥାନା ପୁଲିସ ଘଟଣା ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତକ ଓ ଆହତମାନେ ସମସ୍ତେ କ୍ରସରରେ କାମ କରିଥାନ୍ତି। ତେଣୁ ଖାଦାନରେ ବିସ୍ଫୋରଣ ନିମନ୍ତେ ରଖାଯାଇଥିବା ବିସ୍ଫୋରକ ସାମଗ୍ରୀ ସେମାନେ ସଂଗ୍ରହ କରିଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର