କେନ୍ଦ୍ରାପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା : ହୋଟେଲ ମାଲିକଙ୍କ ପତ୍ନୀ, ବନ୍ଧୁ ମୃତ, ୩ ଗୁରୁତର ହସ୍ପିଟାଲରେ ଭର୍ତ୍ତି

କେନ୍ଦ୍ରାପଡ଼ା : ନୂଆବର୍ଷର ପ୍ରଥମ ଦିନରେ ପୁରୀ ଯାଇଥିଲେ ଜଗନ୍ନାଥ ଦର୍ଶନ ପାଇଁ। ଜଗନ୍ନାଥଙ୍କ ଦର୍ଶନ ସହ କୋଣାର୍କ ବୁଲାବୁଲି କରି ଘରକୁ ଫେରୁଥିଲେ। ଆଉ ମାତ୍ର ପାଞ୍ଚ ମିନିଟ୍‌ ଭିତରେ ଘରେ ପହଞ୍ଚିଥା’ନ୍ତେ। କିନ୍ତୁ ନିୟତିର ନିର୍ଦେଶ ଥିଲା ଭିନ୍ନ। ଘରେ ପହଞ୍ଚିବା ପୂର୍ବରୁ ସବୁକିଛି ଓଲଟପାଲଟ ହୋଇଗଲା। ଏକ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ‌ହୋଇ ଦୁଇ ଜଣଙ୍କ ଜୀବନ ଚାଲିଗଲା। ମୃତକ ଦ୍ବୟ ହେଲେ କେନ୍ଦ୍ରାପଡ଼ା ସହରସ୍ଥିତ କଜଳାର ଗୌରୀଶଙ୍କର ହୋଟେଲ ମାଲିକ ଦେବାଶିଷ ପଣ୍ଡାଙ୍କ ପତ୍ନୀ ପ୍ରଣତି ପଣ୍ଡା ଏବଂ କାକଟ ଅଂଚଳର ଲୁଗା ବ୍ୟବସାୟୀ ବିଜୟ ସାହୁ(୪୬)। ହୋଟେଲ ମାଲିକ ଦେବାଶିଷ ତାଙ୍କ ନଅ ବର୍ଷର ସାନ ପୁଅ ଏବଂ କାର୍‌ ଚାଳକଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଘଟଣା ସୂତ୍ରରୁ ପ୍ରକାଶ ଯେ, କେନ୍ଦ୍ରାପଡ଼ା କଜଳା ଅଂଚଳର ଦେବାଶିଷ ପଣ୍ଡା ଗତକାଲି ନୂଆବର୍ଷ ପାଇଁ ଗତକାଲି ପୁରୀ ଯାଇଥିଲେ। ସାଂଗରେ ପତ୍ନୀ ପ୍ରଣତିଙ୍କ ସହିତ ଦୁଇ ପୁଅ, କାକଟସ୍ଥିତ ‘ସୁଭଦ୍ରା ବସ୍ତ୍ରାଳୟ’ର ମାଲିକ ବ୍ୟବସାୟୀ ବିଜୟ ସାହୁ ଏବଂ ଚାଳକ ଭାବେ ଚାଟରାପାଟଣାର ପ୍ରତାପ ମହାନ୍ତି ଯାଇଥିଲେ। ଏକ ମାରୁତି ଏଟ୍ରିଗା (ଓଡି୦୨ଟି-୭୬୬୪)କାର୍‌ରେ ପୁରୀ ଅଭିମୁଖେ ବୁଧବାର ସକାଳୁ ବାହାରିଥିଲେ। ପୁରୀରେ ଜଗନ୍ନାଥଙ୍କ ଦର୍ଶନ ପରେ କୋଣାର୍କ ବୁଲି ସାଲେପୁର ଦେଇ ଘରକୁ ଫେରୁଥିଲେ। ମାତ୍ର ପାଂଚ ମିନିଟ୍ ଭିତରେ ଘରେ ପହଞ୍ଚିଥା’ନ୍ତେ। କିନ୍ତୁ ଘରଠୁ ୧କିମି ଦୂର ଦୁହୁରିଆ ନୟନବିହାର ନିକଟରେ ରାସ୍ତା ପାର୍ଶ୍ବରେ ଠିଆ ହୋଇଥିବା ଏକ ଦଶ ଚକିଆ ଟ୍ରକ୍(ଓଡି୦୪-ଜି-୯୨୮୦) ପଛପଟେ ହଠାତ୍ କାର୍ ପିଟି ହେଇଯାଇଥିଲା। ଏତେ ଜୋର୍‌ରେ ପିଟି ହେଇଥିଲା ଯେ କାର୍ ଭିତରେ ଥିବା ବେଲୁନ୍ ଫାଟିଯିବା ସହିତ ଡ୍ରାଇଭର୍‌ ପାଖରେ ବସିଥିବା ବିଜୟ ସାହୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେବାଶିଷଙ୍କ ସମେତ ପତ୍ନୀ ପ୍ରଣତି, ପୁଅ ଏବଂ ଚାଳକ ପ୍ରତାପଙ୍କୁ ଏକ ଘରୋଇ କାର୍‌ରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ପ୍ରଣତିଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ତିନି ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍‌ ରେଫର୍ କରିଦିଆଯାଇଥିଲା। ପରିବାର ଲୋକେ ସେମାନଙ୍କୁ ଭୁବନେଶ୍ବର ଏମ୍‌ସ ଏବଂ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିବା ବେଳେ‌ ସେଠାରେ ସମସ୍ତଙ୍କ ଚିକିତ୍ସା ଚାଲିଛି। ଅନ୍ୟପକ୍ଷରେ କାର୍‌ ଭିତରୁ ମୃତ ଶ୍ରୀ ସାହୁ ଏମିତି ଚାପି ହେଇଯାଇଥିଲେ, ତାଙ୍କୁ ସହଜରେ କଢ଼ାଯାଇପାରି ନ ଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ କାର୍‌ ଡୋର୍‌ ସମେତ ଅନ୍ୟାନ୍ୟ ଜିନିଷ କାଟି ତାଙ୍କୁ ବାହାରକୁ ବାହାର କରିଥିଲେ।

ସମ୍ବନ୍ଧିତ ଖବର