ଆମ୍ବୁଲାନ୍ସ ଧକ୍କାରେ ଅଟୋ ଚାଳକ ମୃତ, ୪ ଗୁରୁତର

ଠାକୁରମୁଣ୍ତା : ମହୁଲଡିହା ଥାନା ଅନ୍ତର୍ଗତ ଠାକୁରମୁଣ୍ତା-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥ ରାସ୍ତାର ଚିଆଁବେଡା ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଗୁରୁବାର ରାତିରେ ଏକ ଆମ୍ବୁଲାନ୍ସ ସହିତ ଅଟୋର ଧକ୍କା ହୋଇ ଅଟୋ ଡ୍ରାଇଭରଙ୍କ ପ୍ରାଣହାନି ଘଟିଛି। ମୃତ ଡ୍ରାଇଭର ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ କାଠକଟା ଗ୍ରାମର ଶ୍ୟାମ ସୁନ୍ଦର ହୋ। ତେବେ ଅଟୋରେ ଥିବା ୪ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ଜଣକ ଅବସ୍ଥା ସଂକଟାପନ୍ନ ରହିଛି। ଘଟଣାରୁ ପ୍ରକାଶ, ଗୟଳମୁଣ୍ତା ନିକଟ କୁଲଡିହା ଗ୍ରାମକୁ ଆଦିବାସୀ ନାଟକ ପ୍ରତିଯୋଗିତା ଦେଖିବାକୁ ଆନନ୍ଦପୁର ଥାନା ଅନ୍ତର୍ଗତ କାଠକଟା ଗ୍ରାମର କେତେକ ଆଦିବାସୀ ଯୁବକ ଓ ଯୁବତୀ ଏକ ଅଟୋ ନ˚. ଓଡି-୨୨ଏଫ୍‌-୪୨୩୬ ଯୋଗେ ରାତି ପ୍ରାୟ ୧୦ଟା ବେଳେ ଆସୁଥିଲେ। ଏତିକିବେଳେ ରୋଗୀ ଛାଡ଼ି ଭୁବନେଶ୍ବର ଫେରୁଥିବା କଳିଙ୍ଗ ହସପିଟାଲର ଏକ ଆମ୍ବୁଲାନ୍ସ (ଓଡି-୩୩ବି-୬୦୧୩) ସହିତ ଅଟୋଟି ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅଟୋ ଚାଳକ ଶ୍ୟାମସୁନ୍ଦର ହୋ’ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସଞ୍ଜନୀ ହେମ୍ବ୍ରମ୍‌ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଘଷିପୁରା ଓ ପରେ କଟକକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର