ରାବଣପୋଡ଼ି ଉତ୍ସବରେ ମଦକୁ ନେଇ ରକ୍ତାକ୍ତ ସଂଘର୍ଷ: ଜଣେ ମୃତ ଓ ୪ ଆହତ

ସୋହେଲା : ରାବଣପୋଡ଼ି ଉତ୍ସବରେ ଘଟିଛି ରକ୍ତାକ୍ତ ସଂଘର୍ଷ। ମଦକୁ କେନ୍ଦ୍ର କରି ସଂଘଟିତ ଏହି ସଂଘର୍ଷରେ ଜଣେ ଯୁବକର ଜୀବନ ଯାଇଛି। ଅନ୍ୟ ତିନି ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ମଂଗଳବାର ଦିନ ଏଭଳି ଅଘଟଣ ଘଟିଛି ବରଗଡ଼ ଜିଲ୍ଲା ସୋହେଲାରେ।

ସୋହେଲା ମିନି ଷ୍ଟାଡିୟମଠାରେ ରାବଣ ପୋଡ଼ି ଦେଖିବା ପାଇଁ ଆଖପାଖ ଜିଲ୍ଲା ତଥା ଛତିଶଗଡ଼ ରାଜ୍ୟର ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। କିନ୍ତୁ ମଧ୍ୟରାତ୍ରିବେଳେ ମଦ ଦରକୁ ନେଇ ବିକ୍ରେତା ଓ କ୍ରେତାଙ୍କ ମଧ୍ୟରେ ଝଗଡ଼ାରୁ ଘଟିଗଲା ହତ୍ୟାକାଣ୍ଡ। ସ୍ଥାନୀୟ କୁମ୍ଭାରବନ୍ଧ ପଡ଼ାରେ କିଛି ଲୋକ ମଦ ବିକ୍ରି କରୁଥିଲେ। ରାତି ପ୍ରାୟ ଗୋଟାଏ ବେଳେ ଚଢ଼ାଦରରେ ମଦ ବିକ୍ରି କରୁଥିବା କହି କ୍ରେତାମାନେ ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ କ୍ରେତା ଓ କିଛି ଯୁବକଙ୍କ ମଧ୍ୟରେ କଥା କଟାକଟି ହୋଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେଲା। ମଦ ବିକ୍ରେତାମାନେ ଭୁଜାଲି ଓ ବିଭିନ୍ନ ମାରଣାସ୍ତ୍ରରେ ଯୁବକମାନଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ । ଆଉ ଭୁଜାଲି ମାଡ଼ରେ ଛତିଶଗଡ଼ ରାଜ୍ୟ ସରେଇପାଲି ଥାନା ବାଲସି ଗ୍ରାମର ସଂଜୟ ପଧାନ (୩୦) ଏବଂ ବରଗଡ଼ ଜିଲ୍ଲା ବିଜେପୁର ଥାନା ବାଦିପାଲି ଗ୍ରାମର କ୍ଷୀରୋଦ୍ର ଭୋଇ(୨୪), ଡାକ୍ତର ଭୋଇ(୨୩) ଓ ବିଦ୍ୟାଧର ଭୋଇ(୨୭) ଆହତ ହୋଇଥିଲେ । ଖବର ପାଇ ପୂଜା କମିଟିର ସଦସ୍ୟମାନେ ଘଟଣାସ୍ଥଳକୁ ଯାଇ ପୁଲିସର ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସଂଜୟଙ୍କ ମୃତ୍ୟୁ ଘଟିଥିଲା । ପ୍ରାଥମିକ ଚିକିତ୍ସା ପରେ ଅନ୍ୟମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ରାତାରାତି ପୁଲିସ କୁମ୍ଭାରପଡାକୁ ଯାଇ ସନ୍ଦିଗ୍ଧ ଯୁବକମାନଙ୍କୁ ଥାନାକୁ ଆଣି ଅଟକ ରଖିଛି । ସୋହେଲା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର