ମହୁମାଛି ଆକ୍ରମଣରେ ଜଣେ ମୃତ, ୫ ଗୁରୁତର

କୁଚିଣ୍ଡା : କୁଚିଣ୍ଡା ସହର ଉପକଣ୍ଠ ସଇଡ଼ା ନିକଟରେ ଥିବା ଭେଡେନ ନଦୀ ପୋଲ ଉପରେ ରବିବାର ମହୁମାଛିଙ୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ନାଁ ଶିଶିର କଣ୍ଟା ଓ ସେ ବାଉରିଗୋଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ ଥିଲେ। ପ୍ରାପ୍ତ ସୂଚନାନୁସାରେ ଉପରୋକ୍ତ ପୋଲ ତଳେ ବହୁ ଦିନ ହେଲା ଏକ ବଡ଼ ମହୁ ବସା ରହିଛି। ଆଜି ଦିନ ପ୍ରାୟ ୧୧ଟା ବେଳେ ଏକ ବାଜ ପକ୍ଷୀ ଉକ୍ତ ମହୁ ବସାକୁ ଆକ୍ରମଣ କରି ଖଣ୍ଡିଆ କରି ଦେଇଥିଲା। ଫଳରେ ଉତ୍ତ୍ୟକ୍ତ ମହୁମାଛିମାନେ ପୋଲ ଉପରେ ଉଡ଼ିବା ସହ ଯାତାୟାତ କରୁଥିବା ଲୋକଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ ଉକ୍ତ ରାସ୍ତା ଦେଇ ବାଇକ୍‌ରେ ପୁଅ ଉମେଶ କଣ୍ଟାଙ୍କ ସହ ଯାଉଥିବା ଶିଶିର କଣ୍ଟା ମଧ୍ୟ ସେମାନଙ୍କ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଶିଶିରଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଉମେଶ କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର