ପାଇକମାଳ/ଲାଞ୍ଜିଗଡ଼ : ଲଗାଣ ବର୍ଷା ଯୋଗୁଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳରେ କାନ୍ଥ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରେ ବନ୍ୟା ପାଣିରେ ଜଣେ ଯୁବକ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ମିଠାପାଲି ଗାଁରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ପଡ଼ିଯିବାରୁ ଟେକଧର ବରିହା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରବିବାର ମଧ୍ୟାହ୍ନ ଭୋଜନ ପରେ ଟେକଧର ଘର ବାରଣ୍ଡାରେ ବିଶ୍ରାମ ନେଉଥିଲେ। ଦିନ ଗୋଟାଏ ବେଳେ ମାଟି କାନ୍ଥ ମୂଳରୁ ଧସିଯାଇ ତାଙ୍କ ଉପରେ ପଡ଼ିଥିଲା। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ପାଇକମାଳ ଡାକ୍ତରଖାନାକୁ ନେଉଥିଲେ। ହେଲେ ବାଟରେ ତାଙ୍କ ମୃତ୍ୟୁ ଘଟିବାରୁ ତାଙ୍କୁ ଘରକୁ ଫେରାଇ ଆଣିଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ପାଇକମାଲ ତହସିଲଦାର ତଦନ୍ତ ଆରମ୍ଭ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଡଙ୍ଗର ପତଲମା ଗାଁର କାଳିଆ ମାଝୀ(୩୮) ନଦୀରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। କାଳିଆ ଏବଂ ସିମିଳିଭଟା ଗାଁର କୃଷ୍ଣଚନ୍ଦ୍ର ମାଝୀ(୩୩) ଗାଁରୁ ଲାଞ୍ଜିଗଡ଼କୁ ଯିବା ପାଇଁ ବଂଶଧାରା ନଦୀ ପାରି ହେଉଥିଲେ। ଏହି ସମୟରେ ଜଳସ୍ରୋତରେ ଉଭୟେ ଭାସି ଯାଇଥିଲେ। ପ୍ରାୟ ଦୁଇଶହ ମିଟର ପରେ କୃଷ୍ଣଚନ୍ଦ୍ର କୌଣସି ମତେ କୂଳରେ ଲାଗିଯାଇ ଜୀବନ ବଞ୍ଚାଇ ଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ କାଳିଆଙ୍କ ପତ୍ତା ମିଳିପାରି ନାହିଁ। ଉଦ୍ଧାର କାର୍ଯ୍ୟରେ ପୁଲିସ ମଧ୍ୟ ସାମିଲ ହୋଇଥିଲ।