ଜାହାଜରୁ ଖସି ଜଣେ ମୃତ, ଜଣେ ଗୁରୁତର

ଜଗତସିଂହପୁର : ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଥିବା ଏକ ଜାହାଜର ହ୍ୟାଚ୍‌ରୁ ଖସି ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ନୂଆଦିଲ୍ଲୀର ହର୍ଣ୍ଣଲ ତନ୍ମୟ ଓ ଗୁରୁତର ଆହତ ବ୍ୟକ୍ତି ଉକ୍ତ ଜାହାଜର ଚିଫ୍‌ ଇଂଜିନିୟର୍‌ ଫୈଜଲ ରିଜୱାନ୍‌। ଫୈଜଲଙ୍କୁ ପୋର୍ଟ ଟ୍ରଷ୍ଟ ହସ୍‌ପିଟାଲରେ ଭର୍ତ୍ତିି କରାଯାଇଥିବା ବେଳେ ତନ୍ମୟଙ୍କ ମୃତଦେହକୁ ହସ୍‌ପିଟାଲରେ ରଖାଯାଇଛି। ସୂଚନା ଅନୁଯାୟୀ, ଏମ୍‌.ଭି ଲାଡୋନା-୧ ନାମକ ଏହି ଜାହାଜଟି ରନ୍ଧନ କୋଇଲା ଆଣି ବନ୍ଦରରେ ପହଞ୍ଚିଥିଲା। ପଣ୍ୟ ଅନ୍‌ଲୋଡିଂ କରିବା ପାଇଁ ଜାହାଜଟି ବନ୍ଦର ଭିତରେ ଅପେକ୍ଷା କରିଥିଲା। ଏହି ସମୟରେ ତନ୍ମୟ ଓ ଫୈଜଲ୍‌ ଜାହାଜ ଡେକ୍‌୍‌ ଉପରେ ବୁଲାବୁଲି କରୁଥିଲେ। ଅସାବଧାନତା ଯୋଗୁଁ ଦୁହେଁ ଜାହାଜର ହ୍ୟାଚ୍‌ (ଉପର ଡେକ୍‌ରୁ ତଳ ଡେକ୍‌କୁ ଯିବା ପାଇଁ ବ୍ୟବହାର କରାଯାଉଥିବା କଣା) ଭିତର ଦେଇ ତଳ ଡେକ୍‌କୁ ଖସି ପଡ଼ିଥିଲେ। ଉଦ୍ଧାର କରାଯିବା ବେଳକୁ ତନ୍ମୟଙ୍କର ମୃତ୍ୟୁ ଘଟିଥିଲା। ଗତ ୭ ତାରିଖ ଦିନ ବନ୍ଦର ଆଙ୍କରେଜ୍‌ ଅଞ୍ଚଳରେ ଥିବା ଜାହାଜରୁ ଖସି ପଡ଼ିଥିବା ନାବିକ ଶିଶିଳାଭେଟ୍‌ ସୂର୍ଯ୍ୟନାରାୟଣଙ୍କର ବର୍ତ୍ତମାନ ସୁଦ୍ଧା ପତ୍ତା ମିଳିନାହିଁ। ଏହି ନାବିକଙ୍କୁ ଉଦ୍ଧାର କରିବା ପାଇଁ ତଟରକ୍ଷୀ ବାହିନୀ ହେଲିକପଟର୍‌ର ସହାୟତା ନେଇଥିଲେ ବି ଶିଶିଳାଭେଟ୍‌ଙ୍କୁ ଠାବ କରିବା ସମ୍ଭବ ହୋଇନାହିଁ।

ସମ୍ବନ୍ଧିତ ଖବର