‌ଦୋଳଯାତ୍ରାରେ ବଚସାକୁ ନେଇ ଗୁଳିମାଡ଼ : ଆଇଆର୍‌ବି ହାବିଲଦାର ମୃତ; ଗାଁରେ ଉତ୍ତେଜନା

ଢେଙ୍କାନାଳ : ସଦର ଥାନା ଚାଉଳିଆ ଖମାର ଗ୍ରାମରେ ଦୋଳଯାତ୍ରା ଚାଲୁଥିବା ସମୟରେ ଶୁକ୍ରବାର ରାତିରେ ଗୁଳିମାଡ଼ ହୋଇଛି। ସାମାନ୍ୟ ବଚସାକୁ କେନ୍ଦ୍ର କରି ଗ୍ରାମ ସଭାପତି ଶ୍ରୀକାନ୍ତ ସାହୁ (୪୨) ପୁଲିସରେ ହାବିଲଦାର ଭାବେ କାର୍ଯ୍ୟ କରୁଥିବା ସଂପୃକ୍ତ ଗ୍ରାମର ରାମଚନ୍ଦ୍ର ସାହୁ(୪୫)ଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ରାମଚନ୍ଦ୍ର ଗୁରୁତର ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଗୁଳିକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଶ୍ରୀକାନ୍ତ ଫେରାର ହୋଇଯାଇଛନ୍ତି। ଏହାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ରାମଚନ୍ଦ୍ରଙ୍କ ଶବ ଆଜି ଅପରାହ୍ଣରେ ଗ୍ରାମରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ତେବେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବା ପ୍ରତିଶ୍ରୁତି ଦେବା ପରେ ରାତି ୭ଟାରେ ରାସ୍ତାରୋକ ହଟିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଚାଉଳିଆ ଖମାର ଗ୍ରାମରେ ଦୋଳଯାତ୍ରା ଅବସରରେ ଶୁକ୍ରବାର ରାତିରେ ଅପେରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମରେ ଶାନ୍ତଶୃଙ୍ଖଳା ପାଇଁ ନିୟୋଜିତ ହୋଇଥିବା ପୁଲିସ କର୍ମଚାରୀଙ୍କ ଖାଇବା ବ୍ୟବସ୍ଥା କରିବା ପାଇଁ ଗ୍ରାମର ଖଗେଶ୍ୱର ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିଲା। କେତେକ ପୁଲିସ କର୍ମଚାରୀ ଖାଇନଥିବା ସଂପର୍କରେ ଗ୍ରାମ ସଭାପତି ଶ୍ରୀକାନ୍ତ ସାହୁ ଅବଗତ ହେବା ପରେ ସେହି ଦାୟିତ୍ୱରେ ଥିବା ଖଗେଶ୍ୱରଙ୍କୁ ଡାକି ପଚାରିବା ସହ ମାଡ଼ ମଧ୍ୟ ମାରିଥିଲେ। ଏହି ସମୟରେ ଖଗେଶ୍ୱରଙ୍କ ସାନଭାଇ ଆଇଆର୍‌ବି ହାବିଲଦାର ରାମଚନ୍ଦ୍ର ସାହୁ ସେଠାରେ ପହଞ୍ଚି ‘କାହିଁକି ତାଙ୍କ ଭାଇଙ୍କୁ ମାଡ଼ ମାରିଲ’ ବୋଲି ପଚାରିବାରୁ ବଚସା ହୋଇଥିଲା। ଏଥିରେ ଶ୍ରୀକାନ୍ତ ରାଗି ଯାଇ ନିଜ ପାଖରେ ରଖିଥିବା ପିସ୍ତଲରୁ ରାମଚନ୍ଦ୍ରଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିଟି ରାମଚନ୍ଦ୍ରଙ୍କ ଡାହାଣ ପାଖ ଛାତିରେ ବାଜିଥିଲା ଏବଂ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ଉଦ୍‌ବେଗଜନକ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଅନ୍ୟପକ୍ଷରେ ଗୁଳିକାଣ୍ଡ ଘଟାଇବା ପରେ ଶ୍ରୀକାନ୍ତ ସେଠାରୁ ଫେରାର୍ ହୋଇଯାଇଥି‌‌ଲେ। ମୃତ ରାମଚନ୍ଦ୍ର କଳାହାଣ୍ଡି ସ୍ଥିତ ନବମ ସ୍ପେସାଲ ବାଟାଲିୟନ୍‌ରେ ହାବିଲ୍‌ଦାର ଭାବେ କାର୍ଯ୍ୟରତ ଥିବା ବେଳେ ଦୋଳଯାତ୍ରା ପାଇଁ ସେ ନିଜ ଗ୍ରାମକୁ ଛୁଟିରେ ବୁଲିବାକୁ ଆସିଥିଲେ। ଏଭଳି ଅଭାବନୀୟ ଘଟଣାରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ରାମଚନ୍ଦ୍ରଙ୍କ ଭାଇ ଖଗେଶ୍ୱରଙ୍କ ଲିଖିତ ଅଭିଯୋଗ କ୍ରମେ ସଦର ଥାନାରେ କେସ୍ ନମ୍ବର ୯୭/୨୦ରେ ଏକ ମାମଲା ରୁଜୁ କରାଯାଇଛି। ଖବର ପାଇ ଫରେନ୍‌ସିକ୍ ଟିମ୍ ସହ ପୁଲିସ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରୁ ଅଫୁଟା ଗୁଳି ଓ ଖୋକାକୁ ପୁଲିସ ଜବତ କରିଛି। ଆଜି ଏସ୍‌ପି ଅନୁପମା ଜେମ୍ସ ଏହି ଗାଁକୁ ଯାଇ ଘଟଣା ସଂପର୍କରେ ଅନୁଧ୍ୟାନ କରିଥିଲେ। ଫେରାର୍ ଅଭିଯୁକ୍ତ ଶ୍ରୀକାନ୍ତକୁ ତୁରନ୍ତ ଗିରଫ ଦାବିରେ ଅଞ୍ଚଳବାସୀ ଗ୍ରାମ ମଝିରେ ଶବକୁ ରଖି ଆଜି ଅପରାହ୍‌ଣରେ ଆନ୍ଦୋଳନ କରିଥିଲେ। ଅତିରିକ୍ତ ଏସ୍‌ପି ଗଣେଶ ଚନ୍ଦ୍ର ପ୍ରଧାନ, ଡିଏସ୍‌ପି ନାଗାର୍ଜୁନ ପ୍ରଧାନ, ସଦର ଥାନା ଅଧିକାରୀ ସଂଧ୍ୟାରାଣୀ ବେହୁରିଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବାବେଳେ ଗାଁରେ ଏକ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର