ଦୁଇ ବାଇକ୍‌ ମୁହାଁମୁହିଁ, ୧ ମୃତ

ବାଲିଆପାଳ : ବାଲିଆପାଳ-କାଳିପଦା ରାସ୍ତାର କୋଷ୍ଟ କେନାଲ ନିକଟରେ ଆଜି ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ପାଳଜାମକୁଣ୍ଡା ଗ୍ରାମର ଜଗନ୍ନାଥ ସାହୁଙ୍କ ପୁଅ ବିଶ୍ୱଜିତ(୨୧)। ଦୁର୍ଘଟଣାରେ ଦୁଇଜଣ କଲେଜ ଛାତ୍ରୀଙ୍କ ସହ ଅନ୍ୟଜଣେ ବାଇକ ଆରୋହୀ ମଧ୍ୟ ଗୁରୁତର ହୋଇଛନ୍ତି। ଆହତମାନେ ହେଲେ ଘଣ୍ଟୁଆଗ୍ରାମର ପ୍ରଦୀପ ପ୍ରଧାନ (୩୫), ଜଗାଇ କଲେଜର ଯୁକ୍ତ ଦୁଇ ଛାତ୍ରୀ ରଶ୍ମିତା ବେବର୍ତ୍ତା ଓ ମଞ୍ଜୁୁଲତା ଦାସ।

ସୂଚନା ଅନୁସାରେ, ରଶ୍ମିତା ଓ ମଞ୍ଜୁଲତା ବାଲିଆପାଳରୁ ଟ୍ୟୁସନ ସାରି କଲେଜ ଯିବା ପାଇଁ କାଳିପଦା ଅଭିମୁଖେ ଯାଉଥିବା ବିଶ୍ୱଜିତ୍‌ ସାହୁଙ୍କୁ ବାଇକ୍‌ରେ ଲିଫ୍‌ଟ ମାଗିଥିଲେ। ବିଶ୍ୱଜିତ ସେମାନଙ୍କୁ ବାଇକ୍‌ରେ ବସାଇ ଯାଉଥିବା ବେଳେ କୋଷ୍ଟ କେନାଲ ଠାରୁ ଅଳ୍ପ ଦୂରରେ ବିପରୀତ ଦିଗରୁ ଆସୁଥିବା ପ୍ରଦୀପ ପ୍ରଧାନଙ୍କ ବାଇକ୍‌ ସହ ଜୋରରେ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୁଇଟି ବାଇକ୍‌ ରାସ୍ତା କଡ଼କୁ ଛିଟିକି ପଡିବା ସହ ଚାରିଜଣ ଯାକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲେକେ ସେମାନଙ୍କୁ ଉଦ୍ଧାର କରି ବାଲିଆପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବିଶ୍ୱଜିତଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଦୀପଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଛି। ବାଲିଆପାଳ ପୁଲିସ ବାଇକ ଦୁଇଟିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର