ହାତୀ ନେଲା ଶ୍ରମିକଙ୍କ ଜୀବନ

ରାଇସୁଆଁ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ରାଇସୁଆଁ ପଞ୍ଚାୟତ ମାର୍ଦା ଗାଁ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଲକ୍ଷ୍ମଣ ପଧାନ (୫୨), ତାଙ୍କ ଘର ମାର୍ଦା ଭାଲୁଦରୀ ଜୁଆଙ୍ଗ ସାହିରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଭାଲୁଦରୀ ଜୁଆଙ୍ଗ ସାହିର ଲକ୍ଷ୍ମଣ ପଧାନ ଗତକାଲି ରାତି ସାଢ଼େ ୯ଟାରେ ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥିବା ବେଳେ ବାଟରେ ମାର୍ଦା ଗ୍ରାମର ମାର୍କଣ୍ଡ ପଧାନ ଓ ଭକ୍ତ ପଧାନଙ୍କ ସହ ତାଙ୍କର ଦେଖା ହୋଇଥିଲା। ପରେ ସମସ୍ତେ ସାଙ୍ଗ ହୋଇ ଘରକୁ ଫେରିବା ବେଳେ ଲକ୍ଷ୍ମଣ ପଛରେ ରହିଯାଇଥିଲେ। କିଛି ସମୟ ପରେ ମାର୍କଣ୍ଡ ଓ ଭକ୍ତ ଲକ୍ଷ୍ମଣଙ୍କର ଚିତ୍କାର ଶୁଣିବାକୁ ପାଇଥିଲେ। ଉଭୟ ଗାଁ ଲୋକଙ୍କୁ ଡାକି ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଲକ୍ଷ୍ମଣଙ୍କର କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଏ ସଂପର୍କରେ ଗ୍ରାମବାସୀ ତେଲକୋଇ ବନାଞ୍ଚଳ ଅଧିକାରୀ ରମେଶ କୁମାର ଜେନାଙ୍କୁ ଖବର ଦେଇଥିଲେ। ଆଜି ସକାଳେ ବନାଞ୍ଚଳ ଅଧିକାରୀ ବିଭାଗୀୟ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ହାତୀ ଆକ୍ରମଣରେ ଲକ୍ଷ୍ମଣଙ୍କ ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ। କାଳିଆହତା ଫାଣ୍ଡି ଅଧିକାରୀ ହାଫିଜ୍‌ ଖାଁ ଶବ ଜବତ କରି ତେଲକୋଇ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ମୃତକଙ୍କ ପରିବାରକୁୁ ବନ ବିଭାଗ ପକ୍ଷରୁ ୫ ହଜାର ଟଙ୍କା ସହାୟତା ଦିଆଯାଇଛି।

ସମ୍ବନ୍ଧିତ ଖବର