ରଥ ଚକ ତଳେ ଜୀବନ ଗଲା

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଶ୍ରୀପତିତପାବନ ଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରାରେ ରଥ ଚକ ଚଢ଼ିଯିବାରୁ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ଅଳଭା ଗ୍ରାମର ନିରାକାର ଜେନା(୫୫)। ଅଘଟଣ ପରେ ରଥାରୂଢ ଶ୍ରୀଜିଉମାନଙ୍କୁ ମହାସ୍ନାନ କରାଯାଇଛି ଓ ଅନ୍ୟାନ୍ୟ ନୀତିକାନ୍ତି ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି। ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ପତିତପାବନଜିଉଙ୍କ ବାହୁଡ଼ା ଯାତ୍ରା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ବକ୍ତାରପୁରସ୍ଥିତ ମାଉସୀ ମା’ ମନ୍ଦିରରୁ ଶ୍ରୀଜିଉଙ୍କ ରଥକୁ ପୋଖରୀଆପଡ଼ାସ୍ଥିତ ମନ୍ଦିର ନିକଟକୁ ଟାଣି ନେଇଥିଲେ। ସଂଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ରଥକୁ ମନ୍ଦିର ବେଢ଼ାକୁ ନିଆଯିବା ବେଳେ ରଥ ଟାଣୁଥିବା ନିରାକାର ଭାରସାମ୍ୟ ହରାଇ ରଥ ଚକ ତଳେ ପଡ଼ି ଯାଇଥିଲେ। ଅଧିକ ବେଗ ଥିବାରୁ ରଥକୁ ରୋକାଯାଇ ପାରି ନ ଥିଲା ଓ ରଥ ଚକ ତାଙ୍କ ବେକ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର