ପଟ୍ଟାମୁଣ୍ଡାଇରେ ହାଜତ ମୃତ୍ୟୁ! ଥାନା ଆଗରେ ଧାରଣା, ଉତ୍ତେଜନା, ପୁଲିସ୍‌ର ଅସ୍ବୀକାର

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଥାନାରେ ହାଜତ ମୃତ୍ୟୁ! ଜଣେ ବ୍ୟକ୍ତିଙ୍କୁ ପୁଲିସ୍‌ ପିଟିପିଟି ମାରି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହିତ ପ୍ରତିବାଦରେ ଲୋକମାନେ ଥାନା ଆଗରେ ଧାରଣା ଦେଇଛନ୍ତି। ପୁଲିସ୍‌ର ବରିଷ୍ଠ ଅଧିକାରୀ ଘଟଣା ଉପରେ ତୀକ୍ଷ୍ମ ନଜର ରଖିଛନ୍ତି।

ମୃତ ବ୍ୟକ୍ତି ‌େହଲେ, ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରଡ଼ପଲ୍ଲୀ ଗ୍ରାମର ସୁରେଶ ଚନ୍ଦ୍ର ବେହେରା (୪୦ବର୍ଷ)। ଚୋରା ମଦ ବିକ୍ରି ଅଭିଯୋଗରେ ପୁଲିସ୍‌ ତାଙ୍କୁ ଥାନାକୁ ଧରିଆଣିଥିଲା। ସୁରେଶଙ୍କ ପତ୍ନୀ ଚିନ୍ମୟୀଙ୍କ ଅଭିଯୋଗ ଅନୁସାରେ, ଆଜି ଅପରାହ୍ନ ପ୍ରାୟ ୨ଟାରେ ସୁରେଶ ଘରେ ଥିବାବେଳେ ପଟ୍ଟାମୁଣ୍ଡାଇ ଥାନା ଏଏସ୍‌ଆଇ ପବିତ୍ର ବେହେରା ଓ ଅନ୍ୟ ଜଣେ ପୁଲିସ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ଏହି ଦୁଇ ପୁଲିସ୍‌ ଅଧିକାରୀ ସୁରେଶଙ୍କୁ ଘରୁ ଡାକିବା ସହ ମାଡ଼ି ମାରି ଗାଡ଼ିରେ ବସାଇ ଥାନାକୁ ନେଇଯାଇଥିଲେ। କାହିଁକି ସୁରେଶଙ୍କୁ ନେଉଛ ବୋଲି ପଚାରିବାରୁ ସେମାନେ କିଛି ଉତ୍ତର ଦେଇ ନ ଥିଲେ। ତେବେ, ଅପରାହ୍ନ ପ୍ରାୟ ୩ଟାରେ ସେ ଜାଣିବାକୁ ପାଇଥିଲେ ଯେ ପୁଲିସ୍‌ ହାଜତରେ ପ୍ରବଳ ମାଡ଼ ମାରିବାରୁ ତାଙ୍କ ସ୍ବାମୀ ଅଚେତ ହୋଇ ପଡ଼ିଛନ୍ତି। ପୁଲିସ ସୁରେଶଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଇଛି। କେନ୍ଦ୍ରାପଡ଼ା ମେଡିକାଲ ଯାଇ ଖୋଜିବାରୁ ସେଠାରେ ସୁରେଶଙ୍କ ପତ୍ତା ମିଳିନଥିଲା। ପଟ୍ଟାମୁଣ୍ଡାଇ ଥାନା ପୁଲିସ କର୍ମଚାରୀ ତାଙ୍କ ସ୍ବାମୀ ସୁରେଶଙ୍କୁ ବାଡ଼େଇ ମାରି ଦେଇଛନ୍ତି ବୋଲି ଚିନ୍ମୟୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ରାତି ପ୍ରାୟ ୮ଟା ସମୟରେ ମୃତ ସୁରେଶଙ୍କ ବାପା, ମା’ ଓ ପତ୍ନୀ ଚିନ୍ମୟୀଙ୍କ ସମେତ ତାଙ୍କର ପୁଅ ଓ ଝିଅ ଥାନାରେ ପହଞ୍ଚି ଧାରଣାରେ ବସିଥିଲେ। ସେମାନଙ୍କ ସହ ଗ୍ରାମର ୩୦ରୁ ଅଧିକ ଲୋକ ମଧ୍ୟ ଉପସ୍ଥିତ ଥିଲେ। କେଉଁ ପରିସ୍ଥିତିରେ ସୁରେଶଙ୍କ ମୃତ୍ୟୁ ଘଟିଲା ବୋଲି ପ୍ରଶ୍ନ କରି ଲୋକେ‌ ସେଠାରେ ପାଟିତୁଣ୍ଡ କରିଥିଲେ। ବିଳମ୍ବିତ ରାତି ଯାଏ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

ତେବେ, କେନ୍ଦ୍ରାପଡ଼ା ଏସ୍‌ପି ନିତି ଶେଖର ଘଟଣାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ, ଥାନାରେ ସିସିଟିଭି ଲାଗିଛି। ସିସିଟିଭିରୁ ହିଁ ପ୍ରକୃତ ଘଟଣା ଜଣାପଡ଼ିବ ଏବଂ ଏହି ଅଭିଯୋଗ ଉପରେ ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର