ବରଗଡ଼: ଝଡ଼ତୋଫାନରେ ଜଣେ ମୃତ, ଜଣେ ଗୁରୁତର

ବରଗଡ଼: ଝଡ଼ତୋଫାନ ହେବାରୁ ରବିବାର ଅପରାହ୍ନ ୩ଟା ୩୦ରେ ବରଗଡ଼ ବ୍ଲକ ଅନ୍ତର୍ଗତ କଣ୍ଟାପାଲି ନିକଟ ପତକାରପଲ୍ଲୀ ଗାଁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଉ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ ଆକସ୍ମିକ ଭାବରେ ଝଡ଼ତୋଫାନ ହେବାରୁ ମନେଇ ଗୋଚ୍ଛାୟତ(୪୨) ନାମକ ଜଣେ ବ୍ୟକ୍ତି ଅନ୍ୟ ଜଣେ ଲୋକଙ୍କ ସହିତ ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ଗଛର ଡ଼ାଳ ଭାଙ୍ଗି ଯାଇ ଉଭୟଙ୍କ ଉପରେ ପଡ଼ି ଯାଇଥିଲା। ମନେଇଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସାଥୀରେ ଥିବା ଲୋକ ଗୁରୁତର ଆହତ ହୋଇଥିଲେ। ଆଜି କାଳବୈଶାଖୀର ପ୍ରଭାବରେ କେନ୍ଦୁଝର ଜିଲ୍ଲାର କିଛି ଅଞ୍ଚଳରେ କୂଆପଥର ମାଡ଼ ଘଟିଛି।

ସୂଚନାଯୋଗ୍ୟ ଘଡ଼ଘଡ଼ି ସହ ବଜ୍ରପାତ ହେବାରୁ ଶନିବାର ନୟାଗଡ଼ ବ୍ଲକ ଅନ୍ତର୍ଗତ ସରପଡ଼ା ଗ୍ରାମରେ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତି(୬୮)ଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ମାର୍ଚ୍ଚ ୩୦ରେ ରାଜ୍ୟରେ କାଳବୈଶାଖୀ ବଜ୍ରପାତର ପ୍ରଥମ ଶିକାର ହୋଇଛନ୍ତି ଜଣେ ଆଦିବାସୀ ମହିଳା। ‘ଗୁଡ଼ ଫ୍ରାଇଡେ’ ପ୍ରାର୍ଥନା ସାରି ସାଥୀ ମହିଳାଙ୍କ ସହିତ ଯୋଡ଼ାଦେଇ ପାହାଡ଼ ଆଡ଼କୁ ବୁଲି ଯାଇଥିବା ନିଦ୍ରାବତୀ ମଲିକ(୨୮) ବଜ୍ରପାତର ଶିକାର ହୋଇଛନ୍ତି। ଗଜପତି ଜିଲ୍ଲା ମୋହନାସ୍ଥିତ ଆଇଟିଡିଏ ଦ୍ୱାରା ପରିଚାଳିତ ଛାତ୍ରୀ ନିବାସରେ ସିସିଏ ରୂପେ କାର୍ଯ୍ୟ କରନ୍ତି ନିଦ୍ରାବତୀ। ମୋହନା ଠାରୁ ୨ କିଲୋମିଟର ଦୂରରେ ଥିବା ନିଜ ଗାଁ ‘ମଲ୍ଲିପଦର’କୁ ‘ଗୁଡ଼ ଫ୍ରାଇଡେ’ ପାଳନ ପାଇଁ ଯାଇଥିଲେ।

ସମ୍ବନ୍ଧିତ ଖବର