କଟକ-ପାରାଦୀପ ରାସ୍ତାରେ ଦୁର୍ଘଟଣା : ଜଣେ ମୃତ, ୨ ଆହତ

ତିର୍ତ୍ତୋଲ : କଟକ-ପାରାଦୀପ ରାସ୍ତାରେ ଆଜି ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର୍‌ ସମୟରେ ପ୍ରବଳ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଭୋର୍‌ ୬ଟା ସମୟରେ କଟକ-ପାରାଦୀପ ରାସ୍ତାର ବାଲିପାଟଣାଠାରେ ଏହି ଦୁର୍ଘଟଣା ଘଟିଥିଲା। ତିର୍ତ୍ତୋଲ ଥାନା ଅନ୍ତର୍ଗତ ସୁସଙ୍ଗ ଗ୍ରାମର ମନୋରଞ୍ଜନ ଦାସ (୪୬) ଓ ତାଙ୍କ ସମ୍ପର୍କୀୟ ଭାଉଜ ଓ ନିଜର ୮ ବର୍ଷ ଝିଅକୁ (ଓଆର୍‌ ୦୫-ଏଜି-୩୮୦୮) ଏକ ବାଇକ୍‌ରେ ବସାଇ ଅସୁରେଶ୍ୱରଙ୍କ ନିକଟକୁ ଯାଉଥିଲେ। ଏହି ସମୟରେ କଟକରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ପରିବା ବୋଝେଇ ଏକ ପିକଅପ୍‌ ଭ୍ୟାନ୍‌ (ଓଡି୧୭ଏଲ୍‌-୦୬୫୨) ଦ୍ରୁତ ଗତିରେ ଆସି ବାଇକ୍‌ଟିକୁ ସମ୍ନାପଟୁ ଧକ୍କା ଦେଇଥିଲା । ଫଳରେ, ବାଇକ୍‌ରେ ଥିବା ସମ୍ପର୍କୀୟ ଭାଉଜ ଓ ତାଙ୍କ ଝିଅ ରାସ୍ତା କଡକୁ ଛିଟିକି ପଡି ଆହତ ହୋଇଥିବାବେଳେ ମନୋରଞ୍ଜନ ଗାଡିତଳେ ଚାପି ହୋଇଯାଇଥିଲେ ।

ସ୍ଥାନୀୟ ଲୋକମାନେ ଆହତ ତିନି ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ମନୋରଞ୍ଜନଙ୍କ ମୃତ୍ୟୁ ହୋଇଥିବାବେଳେ ଭାଉଜ ଏବଂ ତାଙ୍କ ଝିଅକୁ ଚିକିତ୍ସା ପାଇଁ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଆଜି ଭୋର୍‌ ସମୟରେ ପ୍ରବଳ ମାତ୍ରାରେ କୁହୁଡ଼ି ହୋଇଥିଲା। ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଛି। ପୁଲିସ୍‌ ଦୁର୍ଘଟଣାଗ୍ରସ୍ତ ୨ଟି ଗାଡ଼ିକୁ ଜବତ କରିବା ସହିତ ତଦନ୍ତ ଚଳାଇଛି। ମୃତ ମନୋରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ପରେ ଗାଁକୁ ନିଆଯାଇଥିଲା। ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର