ବର୍ଣ୍ଣବୋଧ ପୋଡ଼ି ଭିଡିଓ ଅପଲୋଡ୍ ଅଭିଯୋଗରେ ଜଣେ ଅଟକ, ପୁଲିସର ପଚରାଉଚୁରା ଜାରି

ବରଗଡ଼: ବର୍ଣ୍ଣବୋଧ ପୋଡା ଯାଉଥିବା ଭିଡ଼ିଓ ଅପଲୋଡ ଅଭିଯୋଗରେ ପୁଲିସ ଜଣେ କୋଶଲୀ ଭାଷା ଆନ୍ଦୋଳନ ସମର୍ଥକଙ୍କୁ ଅଟକ ରଖି ପଚରାଉଚୁରା କରୁଛି | ତାଙ୍କ ନାମ ସାକେତ ଭୂଷଣ ସାହୁ ହୋଇଥିବାବେଳେ କୋଶଳ ସ୍ବତନ୍ତ୍ର ରାଜ୍ୟ ଆନ୍ଦୋଳନ ସହ ସେ ଜଡିତ ବୋଲି ଜଣାପଡ଼ିଛି | ଗତକାଲି ରାତିରୁ ପୁଲିସ ତାଙ୍କୁ ଅଟକ ରଖି ପଚରାଉଚୁରା କରୁଛି | ବରଗଡ଼ର ମେଲଛାମୁଣ୍ଡା ଥାନାରେ ତାଙ୍କୁ ପଚରାଉଚୁରା କରାଯାଉଥିବାର ପଦ୍ମପୁର ଏସଡ଼ିପିଓ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି |

ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କ ଫଟୋକୁ ବ୍ୟବହାର କରି ଓଡ଼ିଆ ଭାଷାର ଅସ୍ମିତା ଓ ପରିଚୟକୁ ବଖାଣୁଥିବା ବର୍ଣ୍ଣବୋଧ ପୋଡିର ଭିଡିଓ ସେୟାର କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଇଥିଲା | ଯାହାକୁ ନେଇ ମୁହଁ ଖୋଲିଥିଲେ ହଳଧର ନାଗ | ହଳଧର କହିଥିଲେ ଯେ ତାଙ୍କ ଫଟୋ ଦେଖାଇ ଯେଉଁମାନେ ଓଡ଼ିଆ ବର୍ଣ୍ଣବୋଧକୁ ପୋଡିଛନ୍ତି ସେମାନଙ୍କୁ ସେ ଧିକ୍କାର କରୁଛନ୍ତି। ଫେସବୁକ କ‘ଣ ସେ ଜାଣି ନଥିବାବେଳେ ତାଙ୍କ ଫଟୋ ବ୍ୟବହାର କରାଯିବା ଘଟଣାକୁ ସେ ନିନ୍ଦା କରୁଛନ୍ତି ବୋଲି ମତ ରଖିଥିଲେ |

ଏଠାରେ ସୂଚନା ଥାଉ କି ସାକେତ ଭୂଷଣ ଜଣେ ଦୃଢ କୋଶଳ ରାଜ୍ୟ ସମର୍ଥକ ହୋଇଥିବାବେଳେ ପୂର୍ବରୁ ନିଜ ଫେସବୁକରେ ଓଡ଼ିଆ ଭାଷାକୁ ବିରୋଧ କରି ଅନେକ କିଛି ପୋଷ୍ଟ କରିଥିଲେ |

ସମ୍ବନ୍ଧିତ ଖବର