ଶିବ ମହିମା ଛକରେ ପୁଣି ଦୁର୍ଘଟଣା: ଜଣେ ମୃତ, ଆଉ ଜଣେ ଗୁରୁତର

ବ୍ରଜରାଜନଗର/ବେଲପାହାଡ଼ : ଜାତୀୟ ରାଜପଥ ୪୯ ବେଲପାହାଡ଼ ଶିବ ମହିମା ଛକରେ ପୁଣି ଏକ ଦୁର୍ଘଟଣାରେ ଜଣଙ୍କର ପ୍ରାଣ ଯାଇଛି। ଏହି ଛକଟି ଏକ ମରଣଯନ୍ତାରେ ଏବେ ପରିଣତ ହୋଇସାରିଛି। ସମୟ ବ୍ୟବଧାନରେ ଛୋଟବଡ଼ ଦୁର୍ଘଟଣା ଘଟିଚାଲିଛି। ଶନିବାର ରାତି ୩ଟାରୁ ୪ଟା ସମୟରେ ଏକ ଦୁର୍ଘଟଣାରେ ଯୁବକ ମନିଷ ସା (୨୦)ଙ୍କ ମୃତ୍ୟୁ ହୋଇଛି।

ବନ୍ଧବାହାଲ ଖଡ଼ାମ ଗାଁର ମନିଷ ତାଙ୍କ ସାଥୀ ଛର୍ଲା ଗାଁର ଡୋଳାମଣି କାଲୋ (୧୯)ଙ୍କ ସହ ବାଇକ୍‌ (ଓଡି ୨୩ଇ ୧୯୫୭)ରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଡୋଳାମଣି ଏବେ ବୁର୍ଲା ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଉଭୟ ରାଜପୁରରୁ ଗୋକୁଳାଷ୍ଟମୀ ଯାତ୍ରା ଦେଖି ଫେରୁଥିଲେ। ବାଇକ୍‌ଟି ବ୍ରେକଡାଉନ ହୋଇ ପଡ଼ିଥିବା ଏକ ବାଲି ବୋଝେଇ ହାଇଓ୍ଵା (ଓଡି ୨୩ସି ୪୫୬୯) ପଛ ପଟେ ପିଟି ହୋଇଥିବା କୁହାଯାଉଛି।

ବେଲପାହାଡ଼ ଥାନାର କିଛି ପାଟ୍ରୋଲିଂରେ କାର୍ଯ୍ୟରତ କର୍ମଚାରୀ ସେମାନଙ୍କୁ ଟିଆରଏଲ ହସ୍ପିଟାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ମନିଷଙ୍କୁ ମୃତ ଘୋଷଣା କରିଥିଲେ। ପ୍ରକାଶ ଥାଉ କିି ଏହି ରାସ୍ତାରେ ଦୁର୍ଘଟଣାରେ ବିଭିନ୍ନ ସଚେତନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଉଚ୍ଚ କର୍ତୃପକ୍ଷଙ୍କୁ ଅବଗତ କରାଯାଇଛି ଏବଂ ରାସ୍ତା ସୁରକ୍ଷା ନେଇ ରେଡ୍‌ ଡିଭାଇଡର, ହମ୍ପସ, ଷ୍ଟ୍ରିଟ୍‌ ଲାଇଟ୍‌ ଆଦି ଲଗା ଯାଇଥିବା ମଧ୍ୟ ନିର୍ଦେଶ ରହିଛି। ଏହା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର